କେନ୍ଦ୍ରାପଡା ରାଜନଗରରେ ଅଭାବନୀୟ ଘଟଣା ! ନଈରେ ଆଣ୍ଠୁଏ ପାଣିରେ ପଶି ପରୀକ୍ଷା କେନ୍ଦ୍ରକୁ ଆସୁଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ, ଓଦା ସରସର ହୋଇ ଦେଉଛନ୍ତି ଏକଜାମ

30

କନକ ବ୍ୟୁରୋ: ନଦୀ ପାର ହୋଇ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ଛାତ୍ରଛାତ୍ରୀ । ଓଦା ସରସର ଅବସ୍ଥାରେ ଦେଉଛନ୍ତି ମାଟ୍ରିକ ପରୀକ୍ଷା । କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବ୍ରାହ୍ମଣୀନଦୀ ଘେର ମଧ୍ୟରେ ରହିଛି ଆଳି ବ୍ଲକର ନଳପାହି, ଏକମାଣିଆ ଓ ଦକ୍ଷିଣଡିଆ ଗାଁ । ଏହି ୩ଟି ଗାଁର ଛାତ୍ରଛାତ୍ରୀ ଏକମାଣିଆ ହାଇସ୍କୁଲରେ ପଢିଥା’ନ୍ତି । ଏକମାଣିଆ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀ ରାଜନଗର ବ୍ଲକ କେରଡାଗଡସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି । ଉକ୍ତ ସ୍କୁଲର ୪୫ଜଣ ଛାତ୍ରଛାତ୍ରୀ ବ୍ରାହ୍ମଣୀ ନଦୀରେ ଆଣ୍ଠୁଏ ପାଣିରେ ପଶି ପରୀକ୍ଷା କେନ୍ଦ୍ରକୁ ଆସୁଛନ୍ତି । ବ୍ରାହ୍ମଣୀନଦୀର ଏକମାଣିଆ ପଟରେ ଡଙ୍ଗା କୂଳକୁ ଲାଗୁଥିବା ବେଳେ କେରଡାଗଡ଼ ପଟରେ କୂଳକୁ ଆସିପାରୁନି । ପରୀକ୍ଷାର୍ଥୀମାନେ ଆଳି ପଟୁ ଡଙ୍ଗାରେ ଆସି କୂଳଠାରୁ ୫ଶହ ମିଟର ଦୂରରେ ନଦୀ ମଧ୍ୟରେ ଓହ୍ଲାଉଛନ୍ତି । ଆଣ୍ଠୁଏ ପାଣିରେ ପଶି କୂଳକୁ ଆସୁଛନ୍ତି । ଚାଲିଚାଲି ପରୀକ୍ଷାକେନ୍ଦ୍ରକୁ ଯାଉଛନ୍ତି ।

ପରୀକ୍ଷାର୍ଥୀଙ୍କ କହିବାକଥା ହେଲା,‘ ଘରୁ ପରୀକ୍ଷାକେନ୍ଦ୍ରକୁ ଆସିବା ପାଇଁ ୩ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ଘରୁ ମଟରସାଇକଲରେ ଘାଟ ନିକଟକୁ ଆସୁଛୁ । ଘାଟକୁ ଅପେକ୍ଷା କରି ଡଙ୍ଗାରେ ଆସି ନଈ ମଝିରେ ଓହ୍ଲାଉଛୁ । ପ୍ୟାଣ୍ଟ, ସାର୍ଟ ଓଦା ହୋଇଯାଉଛି । ବିଳମ୍ବ ବି ହୋଇଯାଉଛି । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ବେଳକୁ ବେଳେବେଳେ ତାଲା ବି ପଡିଯାଉଛି । ପରୀକ୍ଷା ସମୟ ପୂର୍ବରୁ ନଦୀ ପାର ହେବାରେ ୩ ଘଣ୍ଟା ମୂଲ୍ୟବାନ ସମୟ ହରାଇବାକୁ ପଡୁଛି,’ ବୋଲି ସେମାନେ କହିଛନ୍ତି ।

ଅଭିଭାବକଙ୍କ ଅଭିଯୋଗ ମୁତାବକ, ପୂର୍ବବର୍ଷ ମାନଙ୍କରେ ନିଜ ବିଦ୍ୟାଳୟରେ ପରୀକ୍ଷାକେନ୍ଦ୍ର ହେଉଥିଲା । ଏ ବର୍ଷ ୫ କିମି ଦୂରତା ମଧ୍ୟରେ ପରୀକ୍ଷାକେନ୍ଦ୍ର କରିବାକୁ ସରକାର ନିୟମ କରିଛନ୍ତି । ଆମ ୩ଟି ଗାଁର ଚାରି ପଟେ ନଦୀଘେର ରହିଛି । ପିଲାମାନଙ୍କ ଅସୁବିଧା ପ୍ରତି ଦୃଷ୍ଟି ନ ଦେଇ ୫ କିମି ଦୂରରେ ପରୀକ୍ଷାକେନ୍ଦ୍ର କରାଯାଇଛି । ଯାହାଫଳରେ, ସେମାନେ ଆଣ୍ଠୁଏ ପାଣି ମଧ୍ୟରେ ପଶି ପରୀକ୍ଷାକେନ୍ଦ୍ରକୁ ଆସୁଛନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୮ ନଭେମ୍ବର ୨୦୧୬ରେ ଶିଳାନ୍ୟାସ କରିଥିଲେ । ମାତ୍ର ଆଜିଯାଏଁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।