ମାର୍ଚ୍ଚ ଆସିନି, ଡରାଇଲାଣି ତାତି ! ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଚଳିତ ବର୍ଷ ୪୦ ଟପିବ ତାପମାତ୍ରା

39

କନକ ବ୍ୟୁରୋ: ତାତିରୁ ଉତ୍ତର ଓଡ଼ିଶାବାସୀଙ୍କୁ ମିଳିଛି ଟିକିଏ ଆଶ୍ୱସ୍ତି । ରବିବାର ବାଲେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଗତକାଲି ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ାର ତାପମାତ୍ରା କିଛି ମାତ୍ରାରେ କମିଛି । ଉପକୂଳ ଓଡ଼ିଶାରେ ବି ମିଳିଛି ସାମାନ୍ୟ ଆଶ୍ୱସ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବାରୁ ତାପମାତ୍ରାରେ ଏଭଳି ପରିବର୍ତନ ଦେଖିବାକୁ ମିଳିଛି । ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲେ ମଧ୍ୟ ସେଭଳି କିଛି ହୋଇ ନାହିଁ । ସୁନ୍ଦରଗଡ଼ରେ ଦୁଇ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୦.୩ ମି.ମି., ଝାରସୁଗୁଡ଼ା, କେନ୍ଦୁଝର, ଯାଜପୁରର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । ପାଗ ବି କୋହଲା ରହିଥିଲା।

ଅନ୍ୟପକ୍ଷରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ତାପମାତ୍ରା ବଢ଼ିଛି । ମାଲକାନଗିରି ଓ ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ ହୋଇଛି । ଏଥିସହ ଟିଟିଲାଗଡ଼ ତାପମାତ୍ରା ୩୭ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ଟିକିଏ ହ୍ରାସ ପାଇ ୩୭.୬, ତାଳଚେରରେ ୩୭, ଭବାନୀପାଟଣାରେ ୩୬.୨, ବଲାଙ୍ଗିର ଓ ବାରିପଦାରେ ୩୬ ଡିଗ୍ରୀ ରେକର୍ଡ ହୋଇଛି । ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା । ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଡେଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ, ଏଣିକି ତାପମାତ୍ରା ବଢ଼ିବ । ସବୁ ସହରର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ମାର୍ଚ୍ଚ ୨ ବେଳକୁ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ଆଉ ବର୍ଷା କିମ୍ବା କାଳବୈଶାଖୀର ସମ୍ଭାବନା ହିଁ ନାହିଁ ।

ଅନ୍ୟପଟେ, ଚଳିତ ବର୍ଷ ଆଗୁଆ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖ ପାଖ ଅଂଚଳର ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଛି । ଖରାଦିନ ଆରମ୍ଭର ଦେଖାଦେଇଛି ଜଳ କଷ୍ଟ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଅତ୍ୟଧିକ ଖରାଯୋଗୁଁ ହାଲିଆ ଅନୁଭବ କରୁଛନ୍ତି । ଗଛ ଛାଇ ତଳେ ଶୋଇ ରହୁଥିବା ବାର ବାର ପାଣି ପିଊଥିବାର ଦେଖିବାକୁ ମିଳିଛି । ସିଂମ୍ପାଞି ମାନେ ମଧ୍ୟ ଖରାରେ ପଦାକୁ ନବାହାରି ଛାଇରେ ବସି ରହୁଛନ୍ତି । ନନ୍ଦନକାନନ କର୍ତୁପକ୍ଷ ମଧ୍ୟ ଏବେ ଠାରୁ ବାଘ ଓ ସିଂହ ରହୁଥିବା ଘରର ପାଣି ନାଳୀକୁ ସଫା କରି ସେଥିରେ ପାଣି ଭରିବା ବ୍ୟବସ୍ଥା ଆରମ୍ଭ କରିଦେଇଛନ୍ତି ।