ବରଗଡରେ ଛାତ୍ରୀ ଅସଦାଚାରଣ ମାମଲା ! ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ । ପୂର୍ବରୁ ଗିରଫ ହୋଇଥିଲେ ୬ ଅଭିଯୁକ୍ତ

39

କନକ ବ୍ୟୁରୋ : ବରଗଡରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ୨ଜଣଙ୍କୁ ଗିରଫ କରିଛି ପୁଲିସ । ବରଗଡ ଜିଲ୍ଲା ପାଇକମାଳ ଗୁଗୁରାମୁଣ୍ଡାରୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଉଛନ୍ତି ଜିତୁ ବେହେରା ଓ ମୁରଲି ବାରିକ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରିଥିଲା ପୁଲିସ ।

ଗ୍ରାମୀଣ ଓଡିଶାର ଏକ ମଝିରାସ୍ତାରେ ଜଣେ ଯୁବତୀ କେତେ ଅସହାୟ, ତାର ଏକ ଦୃଷ୍ଟାନ୍ତମୂଳକ ଚିତ୍ର ସାମ୍ନାକୁ ଆସିଥିଲା । ବରଗଡରେ ଜଣେ ଯୁବତୀଙ୍କୁ ଗୋଡାଇ ଗୋଡାଇ ସମସ୍ତଙ୍କ ସାମ୍ନାରେ ଅସଦାଚରଣ କରିବା ଓ ଭିଡିଓ ଭାଇରାଲ କରିବା ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ପୀଡିତାଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ମଝି ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସର ନିଦ ଭାଙ୍ଗିଥିଲା । ବରଗଡ ପୁଲିସ ନିଜ ଆଡୁ ପାଇକମାଳ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

ବିଚ ରାସ୍ତାରେ ଜଣେ ଛାତ୍ରୀଙ୍କୁ କିଛି ଯୁବକ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଟଣା ଓଟରା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବଂ ଭିଡିଓର ପାରିପାଶ୍ୱର୍କ ସ୍ଥିତିରୁ ଏହା ବରଗଡର ବୋଲି ଜଣାପଡିଥିଲା । ଯାହାକୁ ନେଇ ସାରା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା । ଦିନ ଦ୍ୱିପ୍ରହରରେ ଯେଉଁଭଳି ଭାବେ ଛାତ୍ରୀ ଜଣକ ଅସଦାଚରଣର ଶିକାର ହେଲେ ତାହା ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।