ଝଲସୁଛି କୋଣାର୍କର ମୁକ୍ତାକାଶ ରଂଗମଂଚ ! ଘୁଙ୍ଗୁର ଶଦ୍ଧରେ ମୁଖରିତ ହେଉଛି ପରିବେଶ

22

କନକ ବ୍ୟୁରୋ : ଝଲସୁଛି କୋଣାର୍କର ମୁକ୍ତାକାଶ ରଂଗମଂଚ । ଘୁଂଘୁଂର ଶଦ୍ଧରେ ମୁଖରିତ ହେଉଛି ପରିବେଶ । କୋଣାର୍କ ମହୋତ୍ସବର ତୃତୀୟ ସଂଧ୍ୟାରେ ମୁକ୍ତାକାଶ ମଂଚ ପରିସରକୁ ମଧୁର ଝଙ୍କାରରେ ଭରି ଦେଇଥିଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ତୃତୀୟ ସଂଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ମାଲେସିଆ ନୃତ୍ୟଶିଳ୍ପୀଙ୍କ ଓଡିଶୀ ନୃତ୍ୟ ଓ ଗଂଜାମର ଲୋକନୃତ୍ୟ ସଖୀନାଟ । ଗୁରୁ ରାମ୍ଲି ଇବ୍ରାହିମ୍ ଓ ସାଥୀ ପରିବେଶଣ କରିଥିଲେ ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ । ମାଲେସିଆ ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଝୁମି ଉଠିଥିବା ଦର୍ଶକଙ୍କ ମନ ମୋହିଥିଲେ ଦିଲ୍ଲୀର ନୃତ୍ୟଶିଳ୍ପୀ । ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କୁଚୁପୁଡି ନୃତ୍ୟକୁ ନେଇ ମୁକ୍ତାକାଶ ରଂଗ ମଂଚକୁ ଓହ୍ଲାଇଥିଲେ ବନଶ୍ରୀ ରାଓ ଓ ରସ ୟୁନାଇଟେଡ୍ ଦିଲ୍ଲୀର ଶିଳ୍ପୀ । ଏମାନଙ୍କର ପ୍ରଥମ ଉପସ୍ଥାପନା ଥିଲା ନଟରାଜ ଶିବଙ୍କ ଆନନ୍ଦ ତାଣ୍ଡବ । ଏହାପରେ ପରେ ନୃତ୍ୟଶିଳ୍ପୀଙ୍କ ମୟୂରଭଂଜର ପ୍ରସିଦ୍ଧ ଛଉନୃତ୍ୟ ଦର୍ଶକଙ୍କୁ ଶୀତୁଆ ସଂଧ୍ୟାର ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିପାରିଥିଲା ।