ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସାଂଘାତିକ ଖେଳ । ପରୀକ୍ଷା ଖାତାରେ ଉତ୍ତର ଲେଖିବା ପରେ ବି ମିଳିନି ମାର୍କ, ରିଚେକିଂ ପରେ ସାମନାକୁ ଆସିଲା ସତ ।

443

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ କେମିତି ଖେଳାଯାଉଛି ତାର ଏକ ନମୁନା ସାମ୍ନାକୁ ଆସିଛି । ଯୁକ୍ତ ଦୁଇ ଖାତା ଦେଖାରେ ବାହାରିଛି ସାଙ୍ଘାତିକ ତ୍ରୁଟି । ଯାହା ଯୁକ୍ତ ଦୁଇ କାଉନସିଲର ପାରିବାପଣିଆ ଉପରେ ବଡ ପ୍ରଶ୍ନ ଠିଆ କରିଛି । ଅସ୍ମିତା ମହାନ୍ତି । ଭୁବନେଶ୍ୱର ରମାଦେବୀ ମହିଳା କଲେଜରେ ଚଳିତ ବର୍ଷ ଯୁକ୍ତ ଦୁଇରେ ପରୀକ୍ଷା ଦେଇଥିଲେ । ରେଜଲ୍ଟ ବାହାରିବା ପରେ ଆଶାନୁରୂପ ମାର୍କ ମିଳିନଥିଲା । ଆଉ ଏହାପରେ ରିଚେକିଂ ପାଇଁ ଆବେଦନ କଲେ ଅସ୍ମିତା । ଆବେଦନ ପରେ ଇଂରାଜୀ ପେପରର ଉତ୍ତର ଖାତା ମିଳିଥିଲା । ଦେଖନ୍ତୁ ଇଂରାଜି ପେପରର ଉତର ଖାତା ।

୮ନଂ ପ୍ରଶ୍ନରେ ୧୦ ମାର୍କ ଥିବା ବେଳେ ଅସ୍ମିତା ଉତ୍ତର ଲେଖିଛନ୍ତି କିନ୍ତୁ ଶିକ୍ଷକ କୌଣସି ମାର୍କ ଦେଇନାହାନ୍ତି । ସେମିତି ୨ନଂ ଏବଂ ୩ନଂ ପ୍ରଶ୍ନର ଉତ୍ତର ଲେଖାଯାଇଥିବା ବେଳେ କୌଣସି ମାର୍କ ଦିଆଯାଇନାହିଁ ।

ମୂଲ୍ୟାଙ୍କନରେ ହୋଇଥିବା ତ୍ରୁଟି ଯୋଗୁଁ ଯୁକ୍ତ ୩ ଆଡମିଶନରେ ଅସୁବିଧା ଭୋଗୁଛନ୍ତି ଅସ୍ମିତା । ଆଉ ଏଥିପାଇଁ କାଉନସିଲକୁ ଦାୟୀ କରିଛନ୍ତି ଅସ୍ମିତାଙ୍କ ବାପା । ଯୁକ୍ତ ଦୁଇ କାଉନସିଲର ଚେୟାରମ୍ୟାନଙ୍କୁ ଭେଟିବା ପରେ ସେ କହିଛନ୍ତି, ୮ ମାସରୁ ଅଧିକ ସମୟ ଲାଗିବ । ଯାହାକି ଅସ୍ମିତାଙ୍କ ଭବିଷ୍ୟତ ପାଠପଢାରେ ବାଟ ଓଗାଳି ପାରେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି ଯୁକ୍ତ ଦୁଇ ପରୀକ୍ଷା ଫଳ ଉପରେ । ହେଲେ ଏପରି ମୂଲ୍ୟାଙ୍କନ ପୁଣି ଥରେ କାଉନସିଲର ପାରିବାପଣିଆ ଉପରେ ପ୍ରଶ୍ନ ଛିଡା କରିଛି ।