ଟ୍ରମ୍ପଙ୍କ ମହାମିଛ ! କହିଲେ, କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ ମୋଦି, ଭାରତର ତୀବ୍ର ପ୍ରତିବାଦ ପରେ କଥା ବଦଳାଇଲା ଆମେରିକା ।

326

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ, ଆମେରିକାର ଅଡୁଆ ବଢାଇ ଦେଇଛି । ଭାରତର ତୀବ୍ର ପ୍ରତିବାଦ ପରେ କଥା ବଦଳାଇଛି ଆମେରିକା । ଦ୍ୱିପାକ୍ଷିକ ଆଲୋଚନାରେ ସହାୟତା କରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଏପରିକି ୱାସିଂଟନର ଭୂମିକା ସ୍ପଷ୍ଟ କରିବାକୁ ସେଠାକାର ବରିଷ୍ଠ ଅଧିକାରୀମାନଙ୍କୁ କ୍ଷମା ମାଗିବାକୁ ପଡିଛି ।

କାଶ୍ମୀର ପ୍ରସଙ୍ଗରେ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରଧାମନ୍ତ୍ରୀ ମୋଦି ଅନୁରୋଧ କରିଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ଦାବିକୁ ନୂଆଦିଲ୍ଲୀ ଦୃଢତାର ସହ ଖଣ୍ଡନ କରିବା ପରେ, ଏ ହେଉଛି ଆମେରିକା ଷ୍ଟେଟ୍ ଡିପାର୍ଟମେଂଟର ଜଣେ ବରିଷ୍ଠ ଅଧିକାରୀଙ୍କ ଟ୍ୱିଟ୍ ।

ବ୍ରାଡ୍ ସେରମନ ଟ୍ୱିଟ୍ ୧ । ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନକୁ ମସ୍ତବଡ ଭୁଲ ଓ ଅତି ନିନ୍ଦନୀୟ ବୋଲି ଟ୍ୱିଟ୍ କରି ଲେଖିଛନ୍ତି ଆମେରିକା ସାଂସଦ ବ୍ରାଡ ସେରମନ୍ । ସେ ଆହୁରି ଲେଖିଛନ୍ତି ଯେ, ଦକ୍ଷିଣରେ ଆମେରିକାର ବିଦେଶ ନୀତି ବାବଦରେ ଯେଉଁମାନେ ଜାଣନ୍ତି, ସେମାନଙ୍କୁ ଭଲଭାବେ ଜଣାଅଛି କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ମୂଳରୁ ବିରୋଧ କରିଆସୁଛି । ପ୍ରଧାନମନ୍ତ୍ରୀ ମୋଦି ଏଭଳି କୌଣସି ପ୍ରସ୍ତାବ ଦେବେନାହିଁ ବୋଲି ମଧ୍ୟ ସମସ୍ତଙ୍କୁ ଜଣାଅଛି । ତେଣୁ ଟ୍ରମ୍ପଙ୍କ ବୟାନ୍ ପିଲାଳିଆ, ଭ୍ରମାତ୍ମକ ଓ ନିନ୍ଦନୀୟ । ସେହିପରି ଅନ୍ୟ ଏକ ଟ୍ୱିଟରେ ସେ ଭାରତୀୟ ରାଷ୍ଟ୍ରଦୂତ ହର୍ଷ ଶ୍ରୀଙ୍ଗଲଙ୍କୁ ଏଥିପାଇଁ କ୍ଷମା ମାଗିଥିବା ମଧ୍ୟ ଲେଖିଛନ୍ତି ।

ଡ୍ୟାମେଜ୍ କଂଟ୍ରୋଲ ମୋଡରେ ଆମେରିକା । ଭାରତର ବିରୋଧ ପରେ କଥା ବଦଳାଇଲା । ଟ୍ରମ୍ପଙ୍କ ବିବାଦୀୟ ବୟାନ ପରେ ସଫେଇ ରଖିଛି ୟୁଏସ୍ ଷ୍ଟେଟ୍ ଡିପାର୍ଟମେଂଟ । ୟୁଏସ ଷ୍ଟେଟ୍ ଡିପାର୍ଟମେଂଟର ମୁଖପାତ୍ର କହିଛନ୍ତି କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷକ ବିବାଦ । ତେବେ ୱାସିଂଟନ୍ ଏଥିପାଇଁ ସହାୟତା କରିବାକୁ ପ୍ରସ୍ତୁତ ଅଛି । ଅର୍ଥାତ୍ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ କହୁଥିବାବେଳେ ଏବେ କଥା ବଦଳାଇ ଆମେରିକା କେବଳ କଥାବାର୍ତାରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରସ୍ତାବ ରଖିଛି ।

ଦୁଇ ଦେଶ ବସି ଆଲୋଚନା କରନ୍ତୁ ଓ ଏଥିପାଇଁ ଆମେରିକା ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଆମେରିକା ଷ୍ଟେଟ୍ ଡିପାର୍ଟମେଂଟର ବରିଷ୍ଠ ଅଧିକାରୀ ଆଲିସ ୱେଲ୍ସ । ସେ ଆହୁରି ମଧ୍ୟ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତାର ମୂଳଦୂଆ ସେତେବେଳେ ପଡିବ, ଯେତେବେଳେ ପାକିସ୍ତାନ ତାର ମାଟିରେ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ତେବେ ଟ୍ରମ୍ପଙ୍କ ଏଭଳି ବେପରୁଆ ବୟାନ୍ ନୂଆ ନୁହେଁ । ଅନ୍ୟ ବିଶ୍ୱନେତାଙ୍କୁ ମଧ୍ୟ ସେ ଅପମାନିତ କରିଛନ୍ତି ।

ସଂଜୋ ଆବେଙ୍କୁ ଅପମାନ
– ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ, ଯଦି ଜାପାନ ଉପରେ ଆକ୍ରମଣ ହୁଏ ତେବେ ଆମେ ତୃତୀୟ ବିଶ୍ୱଯୁଦ୍ଧ ଲଢିବୁ । କିନ୍ତୁ ଯଦି ଆମ ଉପରେ ଆକ୍ରମଣ ହୁଏ, ତାହାହେଲେ ଜାପାନର ସହାୟତା ଦରକାର ପଡିବନି । ଜାପାନ କେବଳ ସୋନି ଟିଭିରେ ବସି ଏହାକୁ ଦେଖିବ ।

ସାଉଦି ପ୍ରିନ୍ସଙ୍କୁ କ୍ଲିନଚିଟ୍
– ୱାସିଂଟନ୍ ପୋଷ୍ଟର ସ୍ତମ୍ଭକାର ଜମାଲ ଖସୋଗିଙ୍କ ହତ୍ୟା ପାଇଁ ସାଉଦି ପ୍ରିନ୍ସ ନିର୍ଦ୍ଦେଶ ଦେଇଥିବା ଆମେରିକା ଗୁଇନ୍ଦା ସଂସ୍ଥା କହିଥିଲା । ହେଲେ ଜି-୨୦ ଶିଖର ସମ୍ମିଳନୀ ସମୟରେ ସାଉଦି ରାଜାଙ୍କୁ କ୍ଲିନଚିଟ୍ ଦେଇଥିଲେ ଆମେରିକା ରାଷ୍ଟ୍ରପତି ।

ଭ୍ଲାଦିମିର ପୁଟିନଙ୍କୁ ନିନ୍ଦା
– ୨୦୧୬ରୁ ରୁଷିଆ ସହିତ ଆମେରିକାର ସଂପର୍କ ତିକ୍ତ ରହିଆସିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ ରାଷ୍ଟ୍ରପତି ପୁଟିନ୍ ଅନୁଚିତ୍ ମଧ୍ୟସ୍ଥତା କରିଥିବା ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରୁଛନ୍ତି । ଜି-୨୦ ସମ୍ମିଳନୀରେ ଟ୍ରମ୍ପ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପୁଟିନଙ୍କ ବିରୋଧରେ ସିଧାସିଧା ଏହି ଅଭିଯୋଗ ଲଗାଇଥିଲେ ।