ଗାଁ ବୁଲିଲେ ସଚିବ । ଲାଲଗଡରେ ଲୋକଙ୍କ ସୁଖ ଦୁଃଖ ବୁଝିଲେ ସରକାରୀ ବାବୁ

33

କନକ ବ୍ୟୁରୋ: ଗାଁ ବୁଲିଲେ ସଚିବ । ଲାଲଗଡରେ ଲୋକଙ୍କ ସୁଖ ଦୁଃଖ ବୁଝିଲେ ସରକାରୀ ବାବୁ  । ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଦାୟିତ୍ୱ ନେବା ପରେ ଦ୍ୱିତୀୟ ଥର ପାଇଁ ସଚିବ ବିଶାଲ ଗଗନ ଜିଲ୍ଲାର ପଛୁଆ ଅଂଚଳ ବୁଲି ଦେଖିବା ସହ ବିକାଶର ସ୍ଥିତି ପରଖିଛନ୍ତି  । ସୁୁଦୁର ମଫସଲ ଗାଁରେ ଭୁବନେଶ୍ୱର ବାବୁଙ୍କୁ ଦେଖି ଚକିତ ହୋଇ ପଡି ଥିଲେ ଦାନିଗୁଡା ଗ୍ରାମବାସୀ । ବିଶେଷ କରି ଆଦିବାସୀଙ୍କୁ ସ୍ୱାବଳମ୍ବି କରିବା ସହ ରାସ୍ତା ଘାଟ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସଚିବ । ସେଠାରେ ହିତାଧିକାରୀଙ୍କ ଛେଳି ଫାର୍ମକୁ ବୁଲି ଦେଖିଥିଲେ ସଚିବ ।

ଦାନିଗୁଡା ଗାଁର ଦୁଲା ପଡିଆମି ସରକାରୀ ଅନୁଦାନରେ ଏକ ସଫଳ ଛେଳି ଫାର୍ମ କରି ଥିବା ବେଳେ ଅନ୍ୟ ମାନଙ୍କୁ ଦୁଲାଙ୍କ ପରି ସ୍ୱାବଳମ୍ବି ହେବା ଲାଗି ପରାମର୍ଶ ମଧ୍ୟ ଦେଇଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା ପରି ବିଭିନ୍ନ ସରକାରୀ ସ୍କିମ ଗୁଡିକ ତଦାରଖ କରିଥିବା ସହ ଆଦିବାସୀଙ୍କୁ ସ୍ଥାୟୀ ଜମି ପଟ୍ଟା, ଜଳ ସେଚନା, ପାନୀୟ ଜଳ ବ୍ୟବସ୍ଥାକୁ ସୁଚାରୁ ରୁପେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସଚିବ । ଦାନୀଗୁଡା ପାୱାରଗ୍ରିଡ ସହ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ ଶଟ ଡାଉନ ସମସ୍ୟା ଲାଗି ରହି ଥିବା ବେଳେ ପାୱାର ହାଉସ ବୁଲି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ମାଲକାନଗିରି ଜିଲ୍ଲାର ଜଳ ସେଚନର ଏକ ମାତ୍ର ସାଧନ କୁହା ଯାଉଥିବା ଗାମ୍ଫାକୋଣ୍ଡା ଓ ତାମସା ମେନ କେନାଲ ମଧ୍ୟ ବୁଲି ଦେଖିଥିଲେ ସଚିବ । ଗତ କିଛି ଦିନ ତଳେ ମାଓବାଦୀ ମାନେ ବଣ୍ଡାଘାଟି ଠାରେ ରାସ୍ତା ନିର୍ମାଣ କାମକୁ ବିରୋଧ କରି ପୋକଲିନ, ଜେ.ସି.ବି ଓ ଯାନବାହନ ପୋଡି ଦେଇ ଥିଲେ ହେଁ ସେଠାରେ ପହଁଚି ରାସ୍ତା ନିର୍ମାଣ କାମ କୁ ତଦାରଖ କରି ପୁନର୍ବାର ରାସ୍ତା ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସଚିବ ।