ଲିଟେରାରୀ ଫେଷ୍ଟିଭାଲର ଦ୍ୱିତୀୟ ଦିନରେ ମାତୃଭାଷାର ସୁରକ୍ଷା ନେଇ ଆଲୋଚନା । ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ପ୍ରସ୍ତାବ 

135

କନକ ବ୍ୟୁରୋ: ଅପରାହ୍ଣରେ ‘ବହୁଭାଷୀ ଜୀବନରେ ମାତୃଭାଷା ଉପେକ୍ଷିତ’ ଶୀର୍ଷକ ଅଧିବେଶନକୁ ପରିଚାଳନା କରିଥିଲେ କଥାକାର ତଥା ବରିଷ୍ଠ ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ । ଏଥିରେ ଆଲୋଚନା ଭାବେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ, ବିଶ୍ୱରେ ୭ ହଜାର ଭାଷା ଥିଲା । ସେଥିରୁ ଏକ ହଜାର ଭାଷା ମରିଗଲାଣି। ଦେଶରେ ତିନି ହଜାର ଓ ଓଡ଼ିଶାରେ ଶହେ ଭାଷା ରହିଥିଲେ ମଧ୍ୟ ଆମେ ତାହାକୁ ଅଣଦେଖା କରୁଛୁ । ସ୍ଥିତି ଏମିତି ହୋଇଛି ଯେ ଓଡ଼ିଆ ବୋଲି ପରିଚୟ ଦେବାକୁ ଆମର ଯୁବପିଢ଼ି କୁଣ୍ଠାବୋଧ କରୁଛନ୍ତି। କିଛି ବର୍ଷ ଆଗରୁ ଭାରତୀୟ ଭାଷାଗୁଡ଼ିକ ପରସ୍ପରର ପରିପୂରକ ଥିବାରୁ ଗୋଟିଏ ଭାଷା ଆଉ ଗୋଟିଏ ଭାଷାକୁ ଦବାଇ ପାରୁ ନ ଥିଲା । ଏବେ କିନ୍ତୁ ଭାଷା ମଧ୍ୟରେ ବିବାଦ ମୁଣ୍ଡ ଟେକିଛି । ପରସ୍ପରର ବିରୋଧୀ ହେବାରୁ ଭାଷା ମରିଯାଉଛି । ଏହାଛଡ଼ା ମାତୃଭାଷା ପ୍ରତି ମମତା ମଧ୍ୟ କମୁଛି ବୋଲି ସେ କହିଥିଲେ ।

 

 

ଭାଷାବିତ୍ ପ୍ରଫେସର ପଞ୍ଚାନନ ମହାନ୍ତି କହିଲେ, ମାତୃଭାଷା ଶିଖିଲେ ଜଣେ ଭଲ ମଣିଷ ହୋଇପାରିବ । କିନ୍ତୁ ବହୁଭାଷୀ ହେବା ଦ୍ୱାରା ସୁପର ହ୍ୟୁମାନ ହେବା ସହ ୪ରୁ ୫ ବର୍ଷ ଅଧିକ ବଞ୍ଚିପାରିବ । ୨୦୦୧ ଜନଗଣନା ତଥ୍ୟକୁ ଉପସ୍ଥାପନ କରି କହିଲେ ୪୦ କୋଟି ଲୋକ ହିନ୍ଦୀ ଭାଷା କହିଥାନ୍ତି । ସେମାନଙ୍କ ମଧ୍ୟରୁ ୨.୧୩ ପ୍ରତିଶତ ହେଉଛନ୍ତି ତ୍ରିଭାଷୀ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ୯୮% ଲୋକ ତ୍ରିଭାଷୀ ନୁହନ୍ତି । ଭାଷାର ବିକାଶ ଲାଗି ସରକାରଙ୍କ ପକ୍ଷରୁ ନଦୀ ଓ ସହର ଯୋଜନା ଭଳି ଭାଷା ଯୋଜନାର ଆବଶ୍ୟକତା ରହିଛି । ଭାଷା ନୀତି କରା ନ ଗଲେ ଭଲ ଶିକ୍ଷା ନୀତି ହୋଇପାରିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ ।

 

 

ଅନ୍ୟତମ ଆଲୋଚକ ଭାବେ ଯୋଗ ଦେଇ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ଇଂରାଜୀ ଭାଷା ଏବେ ଏକ ଫ୍ୟାସନ ହୋଇଯାଇଛି । ଯଦି ଜଣେ ପିଲା ହଲିଉଡ୍ ଫିଲ୍ମ ଦେଖୁଛି, ଇଂରାଜୀ ଗୀତ ଶୁଣୁଛନ୍ତି କିମ୍ବା ଇଂରାଜୀରେ କଥା ହେଉଛନ୍ତି ତାଙ୍କୁ ଆମେ ଉତ୍ସାହିତ କରୁଛୁ । କିନ୍ତୁ ଓଡ଼ିଆରେ ଶୁଦ୍ଧ ଭାବେ କଥା ହେଲେ ମଧ୍ୟ କେହି ବି ପଚାରୁନାହାନ୍ତି । ଭାଷାକୁ ବଞ୍ଚାଇବାକୁ ହେଲେ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ପଡ଼ିବ । ମାତୃଭାଷାରେ ଲେଖିବା କିମ୍ବା କହିବା ନେଇ ଯଦି ସରକାରଙ୍କ କୌଣସି ନିୟମ କରିଥାନ୍ତେ କି ଦଣ୍ଡ ବ୍ୟବସ୍ଥା ହୋଇଥାନ୍ତା ତେବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୁଅନ୍ତା । ଓଡ଼ିଆ ନ ଜାଣିଲେ ଚାକିରି ମିଳିବ ନାହିଁ ବୋଲି ଯଦି କୌଣସି ନିୟମ ହୋଇଥାନ୍ତା ତେବେ ପିଲାଙ୍କୁ ମାତୃଭାଷା ଶିଖିବାକୁ ପଡ଼ିଥାନ୍ତା । ପିଲାଙ୍କ ମାତୃଭାଷା ବ୍ୟବହାର କରିବା ଦିଗରେ ଅଭିଭାବକଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ ।

 

 

ଟାଟା ଷ୍ଟିଲ ଓ ସମ୍ବାଦର ମିଳିତ ସହଯୋଗରେ ହୋଟେଲ ଟ୍ରାଇଡେଣ୍ଟରେ ଚାଲିଥିବା ଲିଟେରାରି ମିଟର ଅନ୍ତିମ ଦିବସ(ଶନିବାର)ରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍ ଓ ବିଶିଷ୍ଟ ଟେଲିଭିଜନ ଉପସ୍ଥାପିକା ବର୍ଖା ଦତ୍ତ ଯୋଗ ଦେବେ। ଦୁହେଁ ‘୨୦୧୯ ନିର୍ବାଚନ କାଉଣ୍ଟଡାଉନ୍ : ଆସନ୍ତା ନିର୍ବାଚନରେ ଅର୍ଥନୀତି ଭାଙ୍ଗିବା କିମ୍ବା ଯୋଡ଼ିବ’ ଉପରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ। ପରବର୍ତୀ ଅଧିବେଶନରେ ବିଶିଷ୍ଟ ବଲିଉଡ୍ ଅଭିନେତ୍ରୀ ନନ୍ଦିତା ଦାସ ଓ ରସିକା ଦୁଗଲଙ୍କ ସହି ତନୟା ପଟ୍ଟନାୟକ, ପରେ ଲିବରେସନ୍ ଥ୍ରୁ ସୀତା : ଭୋଲଗା, ଅନିତା ରତ୍ନମ୍ ଓ ସହିଂତା ଆର୍ଣ୍ଣିଙ୍କ ସହିତ ଜୟଶ୍ରୀ ମିଶ୍ର ତ୍ରିପାଠୀ ଆଲୋଚନା କରିବେ।