ଜିଦରୁ ଆପଣାଛାଏଁ ଓହରିଗଲା ସୁଆର ମହାସୁଆର ନିଯୋଗ : ଶ୍ରୀମନ୍ଦିରରେ ଆଜିଠୁ ବାହାରିବ ଅବଢା, ହାଇକୋର୍ଟଙ୍କ ରାୟ ପରେ ତୁଟିଲା ଅଚଳାବସ୍ଥା

50

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଭକ୍ତଙ୍କ ପାଇଁ ମିଳିବ ମହାପ୍ରସାଦ । ଏଭଳି ଖବର ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଶ୍ୱସ୍ତ କରିଛି । ଗତ ଚାରି ଦିନଧରି ଶ୍ରୀମନ୍ଦିରରେ ମହାପ୍ରସାଦକୁ ନେଇ ବାଦବିବାଦ ଲାଗିରହିଥିଲା । ମହାପ୍ରଭୁଙ୍କଠାରେ କେବଳ କୋଠଭୋଗ ଲାଗି ହେଉଥିବାବେଳେ ସାଧାରଣ ଭକ୍ତଙ୍କ ପାଇଁ ବରାଦି ଅବଢା ବାହାରୁନଥିଲା । ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ନିରାଶ ହେବାକୁ ପଡୁଥିଲା ।

ପ୍ରାୟ ୫୦ ଲକ୍ଷ ଟଙ୍କାର ଅହ୍ମୁଣିଆ ପ୍ରସାଦ ନଷ୍ଟ ହୋଇଯିବା ପରେ କ୍ଷତିପୂରଣ ଦାବିରେ ଅଡିବସିଥିବା ସୁଆର- ମହାସୁଆର ନିଯୋଗ ଅପାଣାଛାଏଁ ଦାବିରୁ ଓହରିଯାଇଛି । ଭକ୍ତଙ୍କ ପାଇଁ ଅବଢା ବାହାରିବ ଓ ଆନନ୍ଦ ବଜାରରେ ବିକ୍ରି କରାଯିବ ବୋଲି ସୁଆର ନିଯୋଗ ସବୁଜ ସଂକେତ ଦେଇଛି । ଯାହା ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଆଶ୍ୱସ୍ତ କରିଛି । ଏପରିକି ଗତ ୧୬ ତାରିଖରୁ ଲାଗିରହିଥିବା ନୀତି ବିଭ୍ରାଟ ମଧ୍ୟ ସୁଧୁରିଛି ।

ଗତକାଲି ହାଇକୋର୍ଟ କେବଳ ଜଗମୋହନ ମରାମତି ସଂକ୍ରାନ୍ତରେ ରାୟ ଦେଇଥିଲେ ଏବଂ ନୀତିକାନ୍ତି ସମ୍ପର୍କରେ କୋର୍ଟ ହସ୍ତକ୍ଷେପ କରିନାହାନ୍ତି ବୋଲି ସ୍ପଷ୍ଟ କରିବା ପରେ ବିବାଦ ତୁଟିଛି । ତେବେ ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବିପି ଦାସଙ୍କ ସୁପାରିଶ ପାଳନ କରିବାକୁ ପ୍ରଶାସନ ଚାହିଁବାରୁ ସବୁ ବିବାଦ ସୃଷ୍ଟିହେଲା ବୋଲି ଅନୁମାନ କରାଯାଉଛି । ଆଉ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁଆର-ମହାସୁଆର ନିଯୋଗ ସବୁ ବାଦବିବାଦକୁ ଭୁଲି ବରାଦି ମହାପ୍ରସାଦ ପ୍ରସ୍ତୁତ କରିବାକୁ ରାଜି ହୋଇଛି ।