ଭାରତୀୟ ପ୍ରେମିକ, ପାକିସ୍ତାନୀ ପ୍ରେମିକା ! ସନ୍ଦେହରେ ପୁଲିସ କବଜାରେ ପ୍ରେମୀ ଯୁଗଳ

43

କୁହାଯାଏ ପ୍ରେମ ଏକ ନିଆରା ପ୍ରତିଶଦ୍ଦ । ଆଉ ସବୁଠୁ ଭିନ୍ନ ଏହାର ଆକର୍ଷଣ ଓ ଶିହରଣ । ପ୍ରେମ ମାନେନା କୈାଣସି ବାଧା -ବନ୍ଧନ ଓ ସୀମା -ସରହଦ । ତାହା ଏକ ଦେଶର ସୀମା ହେଉନା କାହିଁକି । ଏମିତି ଏକ ପ୍ରେମ ଓ ପ୍ରେମୀଯୁଗଳକୁ ନେଇ ଖବର ପ୍ରକାଶିତ ହୋଇଛି ବେଙ୍ଗାଲୁର ମିରର୍ ରେ । ପୁଲିସର ସନ୍ଦେହ ଘେରରେ ଏବେ ପ୍ରେମୀଯୁଗଳ ।

ପ୍ରକାଶିତ ତଥ୍ୟ ଅନୁସାରେ , କେରଳର ବାସିନ୍ଦା ମୁହମ୍ମଦ ଶିହାବ ନାମକ ଜଣେ ଭାରତୀୟ ଯୁବକଙ୍କ ପ୍ରେମ ହୋଇଥିଲା ଜଣେ ପାକିସ୍ତାନୀ ଯୁବତୀ ସମୀରାଙ୍କ ସହ । ଦୁହେଁ ବିବାହ କରି ଭାରତ ଆସିଲେ ଏବଂ ବେଙ୍ଗାଲୁର ରେ ପୁଲିସର ସନ୍ଦେହ ଘେରରେ ପଡିଯାଇଥିଲେ । କାରଣ ଥିଲା ବେଆଇନ ଭାବେ ଭାରତୀୟ ସୀମାରେ ପ୍ରବେଶ କରିବା । କାଠମାଣ୍ଡୁ ଠାରୁ ୨୫ ହଜାର ଟଙ୍କାରେ ଏକ ଟ୍ୟାକ୍ସି ଭଡା କରି ମୁହମ୍ମଦ ଶିହାବ ଓ ୩ ପାକିସ୍ତାନୀ ନାଗରିକ ପାଟନା ପହଁଚିଥିଲେ । ଏଠାରୁ ଟ୍ରେନ ରେ ବେଙ୍ଗାଲୁର୍ ଯାଇଥିଲେ ।

କେରଳରେ ରହୁଥିବା ମୁହମ୍ମଦ ଶିହାବ ନିଜର ପାକିସ୍ତାନୀ ପତ୍ନୀ ସମିରା ଅବଦୁଲ ରହମାନ ଓ ତାଙ୍କର ଦୁଇ ଅନ୍ୟ ସଂପର୍କୀୟଙ୍କ ସହ ଡିସେମ୍ବର ୨୦୧୬ ମସିହା ଠାରୁ କାଠମାଣ୍ଡୁରେ କ୍ୟାମ୍ପ କରି ରହୁଥିଲେ । ଭାରତକୁ ପ୍ରବେଶ ପାଇଁ ସମୟକୁ ଅପେକ୍ଷା କରିଥିଲେ । ଏହା କେବଳ ନିଜର ପ୍ରେମ ପାଇଁ କରିଛନ୍ତି ବୋଲି ମୁହମ୍ମଦ ଶିହାବ ପୁଲିସକୁ କହିଛନ୍ତି । କିନ୍ତୁ ପୁଲିସକୁ ଏହି ପ୍ରେମ କାହାଣୀ ଉପରେ ସନ୍ଦେହ । କାରଣ ଶିହାବ ଓ ସମୀରା ଦୁଇଜଣଙ୍କ ବୟାନରେ ତାଳମେଳ ରହୁନାହିଁ । ଏବେ କେନ୍ଦ୍ରୀୟ ଏଜେନ୍ସି କତରର ଗୃହ ମନ୍ତ୍ରାଳୟ ଠାରୁ ଏହି ତିନି ପାକିସ୍ତାନୀଙ୍କ ବିଷୟରେ ଅଧିକ ତଥ୍ୟ ମାଗିଛି ।