ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ର ପୋଷ୍ଟର ବୟ ଏବେ ନକଲି ନୋଟ ଛାପିବା ନେଇ ଗିରଫ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ ଯୋଜନା ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଯୁବକ ଅଭିନବ ବର୍ମା, ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ଭଲ କାମ ପାଇଁ ନୁହଁ ବରଂ ସେ ତାଙ୍କ ଜ୍ଞାନର ଦୁରୂପଯୋଗ କରି ଲୋକଲୋଚନକୁ ଆସିଛନ୍ତି । ୨୧ ବର୍ଷୀୟ ଅଭିନବ ବର୍ମା ତାଙ୍କ ଜଣେ ସମ୍ପର୍କୀୟ ଭାଇ ବିକାଶ ବର୍ମା ଓ ଲୁଧିଆନାର ଜଣେ ପ୍ରପର୍ଟି ଡିଲରଙ୍କ ସହ ମିଶି ନକଲି ୨ହଜାର ଟଙ୍କିଆ ନୋଟ ଛାପିବା ଅଭିଯୋଗରେ ପଞ୍ଜାବ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳ କରିବା ପାଇଁ ଚାହୁଁଥିବା ଲୋକଙ୍କୁ ଠକି ସେମାନଙ୍କଠାରୁ ଏଇ ତିନିଜଣ ୩୦ ପ୍ରତିଶତ କମିଶନ ଆଦାୟ କରୁଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
୪୨ ଲକ୍ଷ ଟଙ୍କାର ଜାଲ ନୋଟ ଏବଂ ଏକ ନୂତନ ଏସୟୁଭି ଗାଡି ସହ ତିନି ଜଣକୁ ଗିରଫ କରିଛି ପୁଲିସ । ଏହି ଜାଲି ନୋଟଗୁଡିକ ବର୍ମାର ଚଣ୍ଡୀଗଡ କାର୍ଯ୍ୟାଳୟରେ ଛପା ହୋଇଥିବା ଜଣାପଡିଛି । ଜବତ ହୋଇଥିବା ୨ହଜାର ଟଙ୍କିଆ ନୋଟ ଗୁଡିକ ଅବିକଳ ନୂଆ ୨ହଜାର ଟଙ୍କିଆ ନୋଟ ପରି ଦେଖା ଯାଉଛି ବୋଲି ସୂଚନା ଦେଇଛନ୍ତି ପୁଲିସ ଅଧୀକ୍ଷକ ପରମିନ୍ଦର ସିଂ ଭଣ୍ଡାଲ ।
ଅଭିନବ ବର୍ମା ଯୋଗ୍ୟତା ଅନୁସାରେ ଜଣେ ମେକାନିକାଲ ଇଂଜିନିୟର । ସେ ମାତ୍ର ୧୮ ବର୍ଷ ବୟସରେ ହିଁ ସେ ଦୃଷ୍ଟିହୀନଙ୍କ ପାଇଁ ବିନା ବାଡି ସାହାଯ୍ୟରେ ଚାଲିବା ପାଇଁ ‘ଲାଇଭ ବ୍ରେଲ’ ନାମକ ଏକ ଯନ୍ତ୍ର ତିଆରି କରିଥିଲେ । ଏହି ଯନ୍ତ୍ର ଦ୍ୱାରା ଲୋକପ୍ରିୟତା ହାସଲ କରିବା ସହ ତାଙ୍କର ଏହି ନୂତନ ଯନ୍ତ୍ରକୁ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯାଇଥିଲା । ଏହି ଯନ୍ତ୍ର ପାଇଁ ସେ ଦେଶର ପ୍ରମୁଖ ଇଂଜିନିୟରିଂ ସଂସ୍ଥାନ ଓ ଇଲିନୋଇସ ଷ୍ଟେଟ ୟୁନିର୍ଭସିଟି ତରଫରୁ ପୁରସ୍କାର ଜିତିଥିଲେ । ଏହା ସହ ମଧ୍ୟ ଟାଇ ସିଲିକନ ଭାଲି ୟୁଏସଏ ଦ୍ୱାରା ଟିଏଗର ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ କଂଗ୍ରେସରେ ଅଭିନବଙ୍କୁ ଡାକିଥିଲେ । (ସୈାଜନ୍ୟ : ଇଣ୍ଡିଆ ଟାଇମ୍ସ)