ମାସକରେ ମଲେଣି ୪୫ ଶିଶୁ : ମାଲକାନଗିରିରେ ବଢିଚାଲିଛି ଜାପାନିଜ ଏନସେଫାଲାଇଟିସ ଆତଙ୍କ

19

କନକ ବ୍ୟୁରୋ : ମାସକରେ ମଲେଣି ୪୫ ଶିଶୁ । ମାଲକାନଗିରିରେ ଜାପାନିଜ ଏନସେଫାଲାଇଟିସ ଆତଙ୍କ ଥମିବାର ନାଁ ନେଉନି । ଗାଁ ଗାଁ ରେ ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି । ହେଲେ ଆକ୍ରାନ୍ତଙ୍କ ପରିବାର ଲୋକେ ନିଜ ରୋଗୀଣା ଶିଶୁକୁ ନେଇ ମେଡିକାଲ ଆସିବାକୁ ମଙ୍ଗୁ ନାହାଁନ୍ତି । କାରଣ ଜିଲ୍ଲା ମେଡିକାଲକୁ ଆସିଥିବା କୈାଣସି ଶିଶୁ ଜୀବିତ ଫେରୁନାହାଁନ୍ତି ।

ଏମିତି ଏକ ସାଂଘାତିକ ଖବର ପାଇବାପରେ କନକ ନ୍ୟୁଜ୍ ଟିମ ପହଂଚିଥିଲା କୋଇମେଟଲା ଗାଁରେ । ଯେଉଁ ଗାଁ ରେ ଲୋକେ ପ୍ରଥମେ ପୀଡିତ ହୋଇଥିଲେ ଜାପାନୀ ଜ୍ୱରରେ । କୋଇମେଟଲା ଗାଁର ଇର୍ମେ ମାଢ଼ୀ । କୋଳରେ ଶୋଇଛି ୨ ମାସର କଅଁଳା ଝିଅ । କେତେବେଳେ ଜ୍ୱରରେ ତା ଦେହ କମ୍ପୁଛି ତ କେତେବେଳେ ମା କ୍ଷୀର ବି ତା ପାଟିକୁ ରୁଚୁନି । ହେଲେ ମା କିନ୍ତୁ ତାକୁ ମେଡିକାଲ ନେବାକୁ ନାରାଜ । କାରଣ ସରକାରୀ ଚିକିତ୍ସା ଉପରେ ତାର ଭରସା ନାହିଁ ।

ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଇର୍ମେଙ୍କ ଦୁଃଖ କାହାଣୀ । ୬ ତାରିଖରେ ୨ ବର୍ଷର ପୁଅକୁ ଏମିତି ଜ୍ୱର ଆସିଥିଲା । ମୋବାଇଲ ହେଲଥ ଟିମଙ୍କ କଥାରେ ପଡି ସେ ପୁଅକୁ ନେଇଥିଲେ କାଲିମେଳା ମେଡିକାଲକୁ । ଅବସ୍ଥା ନ ସୁଧୁରିବାରୁ ଡାକ୍ତର କହିଥିଲେ ମାଲକାନଗିରି ନେବାକୁ । ହେଲେ ଇର୍ମେ କିନ୍ତୁ ପୁଅକୁ ନେଇ ଆସିଥିଲେ ଘରକୁ । ଆଉ ପରଦିନ ପୁଅ ପ୍ରାଣ ହରାଇଲା ।

ଇରା କବାସୀଙ୍କ ପୁଅ ରାମା । ଦେହରେ ଖଇ ଫୁଟୁଛି । ହେଲେ ପୁଅକୁ ମେଡିକାଲ ନେବାକୁ ଇରାଙ୍କ ସାହାସ ପାଉନି । କାରଣ ଏ ଗାଁରୁ ୬ ଜଣ ପିଲା ମେଡିକାଲ ଯାଇ ଆଉ ଘରକୁ ଫେରି ନାହାଁନ୍ତି । ସେପଟେ କୋଇମେଟଲା ଗାଁ । ଏହି ଗାଁରେ ହି ପ୍ରଥମେ ଆତଙ୍କ ଖେଳେଇଥିଲା ଏହି ଜାପାନୀ ଜ୍ୱର । ମନ୍ତ୍ରୀ ଆସିଲେ ,ସଚିବ ଆସିଲେ । ଭୁବନେଶ୍ୱରରୁ ଦିଲ୍ଲୀ, କେତେକଣ ବୈଠକ ହେଲା , ଯୋଜନା ହେଲା । ହେଲେ ଏବେ ବି କୋଇମେଟଲା ଗାଁରେ କ୍ୟୁଲେକ୍ସ ମଶାକୁ ପୋଷିବାକୁ ଏ ହେଉଛି ପରିବେଶ । ଯେଉଁଠି ମଣିଷ , ସେଇଠି ଘୁଷୁରୀ । ବ୍ୟାପକ ସଚେତନତା ପରେ ବି ସ୍ଥିତି ସୁଧୁରିବାର ନାଁ ନେଉନି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –