ଆପଣ ଟ୍ୱିଟରରେ ଅଛନ୍ତି? ମୋଦିଙ୍କୁ କିଏ ପଚାରିଲା ଏହି ପ୍ରଶ୍ନ, ଜାଣନ୍ତୁ ତା’ପରେ ହେଲା କଣ?

46

ଥରେ ଭାବନ୍ତୁ, ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଯଦି କୈାଣସି ବ୍ୟକ୍ତିଙ୍କୁ ପଚରାଯାଏ, ଆପଣ ଟ୍ୱିଟର ବ୍ୟବହାର କରୁଛନ୍ତି? ସେତେବେଳେ ତାଙ୍କ ପ୍ରତିକ୍ରିୟା କଣ ରହିବ? ଯେତେବେଳେ ଏହି ପ୍ରଶ୍ନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଖ୍ୟାତନାମା ସାମ୍ବାଦିକ ପଚାରନ୍ତି, ସେତେବେଳେ କଣ ହୋଇଥିବ ସ୍ଥିତି?

ଏଭଳି ଘଟଣା ଘଟିଛି, ସେଂଟ ପିଟର୍ସବର୍ଗରେ । ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଧୁମ୍ ଚର୍ଚ୍ଚା । ଆମେରିକୀୟ ସାମ୍ବାଦିକ ମେଗିନ୍ କେଲି, ଋଷ୍ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନଙ୍କ ଉପସ୍ଥିତିରେ ନରେନ୍ଦ୍ର ମୋଦିଙ୍କୁ ଏଭଳି ଗୋଟିଏ ପ୍ରଶ୍ନ ପଚାରିଲେ, ଯାହା ତାଙ୍କୁ ଚର୍ଚ୍ଚାର ପରିଧି ଭିତରକୁ ନେଇ ଆସିଲା । ମୋଦିଙ୍କୁ ମେଗିନଙ୍କ ପ୍ରଶ୍ନ ଥିଲା, ଆପଣ ଟ୍ୱିଟରରେ ଅଛନ୍ତି?

ଆଉ ଏହାପରେ ଆରମ୍ଭ ହୋଇଗଲା ସୋସିଆଲ ମିଡିଆର କରାମତି । ହୋମୱାର୍କ ଠିକ୍ ଭାବେ କରିନଥିବାରୁ ତୁରନ୍ତ ଟୁଇଟରରେ ଆରମ୍ଭ ହୋଇଗଲା ବାଦ ଅପବାଦ । ନିଜ ନୂଆ ସୋ’ର ରେକର୍ଡିଂ ଆଗରୁ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିଲା । ଯେତେବେଳେ ମୋଦି କହିଥିଲେ, ମୁଁ ଆପଣଙ୍କର ଗୋଟିଏ ଟ୍ୱିଟ୍ ଦେଖିଥିଲେ ଯେଉଁଠି ଆପଣ ଛତାଟିଏ ଧରି ଫଟୋ ଉଠାଇଥିଲେ । ଆଉ ଏହାର ଜବାବରେ କେଲି କହିଥିଲେ – ଆଛା, ଆପଣ ଟ୍ୱିଟରରେ ଅଛନ୍ତି । ଉତ୍ତରରେ ମୋଦି ହସିଦେଇ ମୁଣ୍ଡ ଟୁଙ୍ଗାରି ଦେଇଥିଲେ ।

ମିଡିଆ ରିପୋର୍ଟ ଆସିବା ପରେ ମେଗିନ କେଲିଙ୍କୁ ତୁରନ୍ତ ସୋସିଆଲ ମିଡିଆରୁ ଅପବାଦକୁ ସାମ୍ନା କରିବାକୁ ପଡିଥିଲା । କିଏ କହିଥିଲା, ଆପଣ ଜଣେ ଭୁଲ ବ୍ୟକ୍ତିଙ୍କୁ ପଚାରିଲେ, ଯେ ଆପଣ ଟ୍ୱିଟରରେ ଅଛନ୍ତି? ଆପଣ ଜଣେ ସାମ୍ବାଦିକ, କିଛି ହୋମୱାର୍କ କରିବାର ଆବଶ୍ୟକତା ରହିଛି । ସେହିଭଳି ଆଉ ଜଣେ କମେଂଟ କରି କହିଥିଲେ, ଏହା ଠିକ୍ ସେମିତି କଥା, ଯେତେବେଳେ ସାରାପୋଭା ପଚାରନ୍ତି ସଚିନ୍ କିଏ? ଟ୍ୱିଟର ଏହି ଧାରା ଆଗକୁ ମଧ୍ୟ ଲମ୍ବିଥିଲା । ଆଉ ଜଣେ ବ୍ୟକ୍ତି ଟ୍ୱିଟ୍ କରି କହିଲେ, ପ୍ରଶ୍ନ ପଚାରିବା ଆଗରୁ ନିଜର ଆଉ ମୋଦିଙ୍କର ଟ୍ୱିଟର ଫଲୋଅର ସଂଖ୍ୟାକୁ ଥରେ ଦେଖିନିଅନ୍ତୁ ।

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର ସଂଖ୍ୟା ୩ କୋଟି ହୋଇଥିବା ବେଳେ, ଫେସବୁକରେ ଏହି ସଂଖ୍ୟା ୪ କୋଟି ୧୦ ଲକ୍ଷ । ଟ୍ୱିଟରରେ ସର୍ବାଧିକ ଫଲୋଅର ସଂଖ୍ୟା ଥିବା ତାଲିକାରେ ସେ ହେଉଛନ୍ତି ବିଶ୍ୱରେ ଦ୍ୱିତୀୟ । ମୋଦିଙ୍କ ଉପରେ ରହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ମୋଦିଙ୍କୁ ପ୍ରଶ୍ନ ପଚାରିଥିବା ସାମ୍ବାଦିକା ତଥା ଫକ୍ସ ନ୍ୟୁଜର ପୂର୍ବତନ ଆଙ୍କର୍, କେଲିଙ୍କ ଟ୍ୱିଟର ଫଲୋଅର ସଂଖ୍ୟା ହେଉଛି ମାତ୍ର ୨୦ ଲକ୍ଷ ।