‘ଉବେର’ କାରଣରୁ ସ୍ୱାମୀକୁ ସ୍ତ୍ରୀ ଦେଲା ଛାଡପତ୍ର ! କଂପାନୀ ଉପରେ ୩୪ କୋଟି ଟଙ୍କା ଜୋରିମାନା ଲଗାଇଲେ ସ୍ୱାମୀ

20

ଏବେ ଆପଣ ଭାବୁଥିବେ କି ‘ଉବେର’ ଏକ ପ୍ରକାର କାର୍ ସର୍ଭିସ, ସେ ପୁଣି କିଭଳି ଜଣେ ପତିପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ପାରିବ । ମାତ୍ର ଏହି ମାମଲା ଟିକେ ଅଲଗା ରହିଛି । ପତି-ପତ୍ନୀଙ୍କ ମଧ୍ୟରେ ଛାଡପତ୍ର କରାଇବାରେ ପତି ଜଣକ ‘ଉବେର’ କାର ସର୍ଭିସକୁ ହିଁ ଦାୟୀ କରିଛନ୍ତି । ଖାଲି ସେତିକି ନୁହେଁ ସେ ଏଥିପାଇଁ ମଧ୍ୟ କଂପାନୀଠାରୁ ୩୪ କୋଟି ଟଙ୍କା ଜୋରିମାନା ଦେବାକୁ ଦାବି କରିଛନ୍ତି ।

ପ୍ରକୃତ ଘଟଣାଟି ହେଲା, ‘ଉବେର’ ଆପ୍ କାରଣରୁ ହିଁ ଫ୍ରେଂଚର ଜଣେ ବ୍ୟବସାୟୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ଆଉ ଏହି କାରଣରୁ ସେମାନେ ପରମ୍ପରଠାରୁ ଅଲଗା ହେବାକୁ ନିଷ୍ପତି ନେଇଥିଲେ । ତେବେ ବ୍ୟବସାୟୀଙ୍କ ଅଭିଯୋଗ ହେଲା, ଯେତେବେଳେ ସେ ବାହାରକୁ ଯାଆନ୍ତି ସେତେବେଳେ ସେ ‘ଉବେର’ ଗାଡିକୁ ହିଁ ଡାକିଥାନ୍ତି । ଆଉ ଏହାପରେ ତାଙ୍କ ପତ୍ନୀଙ୍କ ମୋବାଇଲରେ ଏକ ନୋଟିଫିକେସନ ଆସିଯାଏ । ଆଉ ଏହି ନୋଟିଫିକେସନ କାରଣରୁ ତାଙ୍କ ପତ୍ନୀଙ୍କୁ ଲାଗି ଥିଲା କି ତାଙ୍କର ଅନ୍ୟ କୌଣସି ଯୁବତୀଙ୍କ ସହ ଚକ୍କର ଚାଲିଛି । ତେବେ ସେ ଏଥିପାଇଁ ଉବେର ଆକାଉଂଟକୁ ବଦଳାଇ ଦେବାପରେ ମଧ୍ୟ ତାଙ୍କ ପତ୍ନୀଙ୍କ ମୋବାଇଲକୁ ମଧ୍ୟ ନୋଟିଫିକେସନ ଆସିବାରେ ଲାଗିଥିଲା । ଯେଉଁ କାରଣରୁ ଦୁହିଁଙ୍କ ମଧ୍ୟରେ ଅଶାନ୍ତି ବଢିବାରେ ଲାଗିଥିଲା ।

ତେବେ ଦୁହିଁଙ୍କ ମଧ୍ୟରେ ଅଶାନ୍ତି ଏତେମାତ୍ରାରେ ବଢିଯାଇଥିଲା କି ତାଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହାପରେ ରାଗିଯାଇ ବ୍ୟବସାୟୀ ଜଣକ ‘ଉବେର’ କଂପାନୀ ବିରୋଧରେ ପାଖାପାଖି ୩୪ କୋଟି ଟଙ୍କା ଜୋରିମାନା ଦାବି କରିବା ସହ ମକଦ୍ଦମା ମଧ୍ୟ ଦାଏର କରିଛନ୍ତି । ବ୍ୟବସାୟୀଙ୍କ କହିବା କଥା ହେଲା ଉବେର ଆପରେ କୌଣସି ଅସୁବିଧା କାରଣରୁ ହିଁ ଏଭଳି ଘଟିଛି ।