ଟିଭି ଷ୍ଟୁଡିଓରେ କାନ୍ଦିଲେ ବିଧାୟକ ! ମୋଦିଙ୍କୁ ଗୁହାରୀ କରି କହିଲେ “ପ୍ଲିଜ୍ ହେଲିକାପ୍ଟର ପଠାନ୍ତୁ, ନହେଲେ ମରିଯିବେ ୫୦ ହଜାର ଲୋକ”

79

କେରଳରେ ଦେଖିବାକୁ ମିଳିଛି ବନ୍ୟାର କରାଳ ରୂପ । ବନ୍ୟା ଏବଂ ବର୍ଷା କାରଣରୁ କେରଳରେ ଏ ପର୍ଯ୍ୟନ୍ତ ୩୨୪ଜଣଙ୍କ ମୃତ୍ୟୁ ଘଟିଲାଣି । ଏବେବି ଅନେକ ଲୋକ ବନ୍ୟା ଘେରରେ ଅଛନ୍ତି । ଏହି ବନ୍ୟାରେ ସମଗ୍ର ରାଜ୍ୟରୁ ପ୍ରାୟ ୨କୋଟି ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ଚାଲାକୁଦି, ଚେଙ୍ଗାନୁର ଅଂଚଳରେ ସ୍ଥିତି ସଙ୍ଗିନ ରହିଛି । ବନ୍ୟାର ଜଳସ୍ରୋତ ପ୍ରଖର ଥିବାରୁ ଏଠାକାର ଲୋକଙ୍କୁ ଉଦ୍ଧାର କରିବା ମୁସ୍କିଲ ହୋଇପଡିଛି ।

ଶୁକ୍ରବାର (୧୭ ଅଗଷ୍ଟ) ଚେଙ୍ଗାନୁରର ବିଧାୟକ ସାଜି ଚେରିୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ମାଗି ଟିଭି ଷ୍ଟୁଡିଓରେ କାନ୍ଦି ପକାଇଥିଲେ । ନିଜ ବିଧାନସଭା ଅଂଚଳର ସ୍ଥିତି ବଖାଣି ଚେରିୟନ ଷ୍ଟୁଡିଓରେ କାନ୍ଦି କାନ୍ଦି ନିବେଦନ କରି କହିଥିଲେ କି, ‘ପ୍ଲିଜ୍ ମୋଦିଙ୍କୁ କୁହନ୍ତୁ ସେ ଆମ ପାଖକୁ ହେଲିକାପ୍ଟର ପଠାନ୍ତୁ, ଆମକୁ ହେଲିକାପ୍ଟର ଦରକାର… ପ୍ଲିଜ, ପ୍ଲିଜ.. ନଚେତ୍ ୫୦ ହଜାର ଲୋକ ମରିଯିବେ, ଆମେ ଗତ ଚାରିଦିନ ହେଲା ନାଭିକୁ ସହାୟତା ମାଗିଲୁଣି କିନ୍ତୁ ଏଯାବତ କେହି ହେଲେ ଆମ ପାଖରେ ପହଂଚିନାହାଁନ୍ତି ଆମକୁ ଏହି ବିପଦରୁ ରକ୍ଷା କରିବା ପାଇଁ, ବର୍ତ୍ତମାନ ଏକମାତ୍ର ଭରସା ଏୟାରଲିଫ୍ଟ ହିଁ ବାକି ରହିଛି, ପ୍ଲିଜ, ପ୍ଲିଜ, ପ୍ଲିଜ୍ ।’

ସୂଚନା ମୁତାବକ, ବିଧାୟକ ସାଜି ଚେରିୟନଙ୍କ ନିବେଦନ ପରେ ନାଭି ତରଫରୁ ୧୦ଟି ଡଙ୍ଗା ଚେଙ୍ଗାନୁରକୁ ପଠାଯାଇଥିଲା । ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପି ବିଜୟନ ମଧ୍ୟ ସ୍ୱୀକାର କରିଥିଲେ କି, ଚେଙ୍ଗାନୁର ବନ୍ୟାରେ ବେଶି ପ୍ରଭାବିତ ହୋଇଛି । ତେବେ ବନ୍ୟାର ପ୍ରଖର ସ୍ରୋତ କାରଣରୁ ଏଠାରେ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି ବୋଲି ପି ବିଜୟନ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ଗତକାଲି ରାତିପ୍ରାୟ ୧୧ଟା ସମୟରେ କେରଳରେ ପହଂଚିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଭବନରେ ରାତିରେ ରହିବା ପରେ ଆଜି ସକାଳେ ସେ ଆକାଶମାର୍ଗରୁ କେରଳର ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି । ପଂଜାବ ଏବଂ ଦିଲ୍ଲୀ ଭଳି ରାଜ୍ୟ ୧୦ କୋଟି ଲେଖାଁଏ ସହାୟତା ରାଶି କେରଳ ବନ୍ୟା ପ୍ରଭାବିତଙ୍କୁ ପ୍ରଦାନ କରିଛନ୍ତି । ୨୦୯୪ଟି ରିଲିଫ କ୍ୟାମ୍ପରେ ବନ୍ୟା ପ୍ରପିଡିତଙ୍କୁ ସହାୟତା ପ୍ରଦାନ କରାଯାଉଛି । ୧୪ଟି ଆର୍ମି ହେଲିକପ୍ଟର, ୭୯ଟି ଏନଡିଆରଏଫ ବୋଟ, ୪୦୩ଟି ମତ୍ସ୍ୟଜୀବୀଙ୍କ ବୋଟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଆଜି ଅଧିକ ସଂଖ୍ୟକ ବୋଟ ଏବଂ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ୧୦କୋଟି ଟଙ୍କାର ବନ୍ୟା ରିଲିଫ ଦିଆଯାଇଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ମେଟ୍ରିକ ଟନର ରନ୍ଧାଖାଦ୍ୟ ବନ୍ୟା ବିପନ୍ନ ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ ମାନକା ଗାନ୍ଧି ସୂଚନା ଦେଇଛନ୍ତି । ଦକ୍ଷିଣ ରେଳବାଇ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ପାଣି ବୋତଲ ଯୋଗାଇବାର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି । ଷ୍ଟାର ଇଣ୍ଡିଆ ପକ୍ଷରୁ ମଧ୍ୟ ୨କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରାଯାଇଛି ।