ହ୍ୟାକରଙ୍କଠାରୁ ନିଜ ଆକାଉଂଟକୁ କିପରି ରଖିବେ ସୁରକ୍ଷିତ ? ମନେ ରଖନ୍ତୁ ୬ଟି ମୁଖ୍ୟ କଥା

34

ସୋସିଆଲ ମିଡିଆରେ ପ୍ରତିବନ୍ଧକ ନଥିବାରୁ ଏବଂ ଏଥିରେ ଅନୁପ୍ରବେଶ ସହଜ ହୋଇଥିବା କାରଣରୁ ଏହା ହ୍ୟାକରଙ୍କର ଦ୍ୱାରା ସବୁବେଳେ ଶିକାର ହୋଇଥାଏ । ଯେଉଁଥି ପାଇଁ ଆପାଣଙ୍କର ଟିକେ ଅସାବଧାନତା କାରଣରୁ ହିଁ ଆପଣଙ୍କ ବ୍ୟକ୍ତିଗତ ସୂଚନା ବା ତଥ୍ୟ ନଷ୍ଟ ହୋଇଯାଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବୁ ଯଦି ଆପଣ ତାକୁ ନିଜ ବ୍ୟକ୍ତିଗତ ଜୀବନରେ ପ୍ରୟୋଗ କରିବେ ତେବେ ଆପଣଙ୍କର ସୋସିଆଲ ମିଡିଆରେ ଥିବା ଆକାଉଂଟ ତଥା ଟୁଇଟର,ଫେସବୁକ୍, ଇଷ୍ଟାଗ୍ରାମ ଏବଂ ସ୍ନାପଚାଟ୍ ପ୍ରୋଫାଇଲକୁ ଆପଣ ହ୍ୟାକରଙ୍କ କବଳରୁ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା ଏସଂପର୍କରେ ଅଧିକ ସୂଚନା ।

• ତୃତୀୟ ପକ୍ଷ ବା ଥାର୍ଡ ପାର୍ଟି ଆପ୍ସ ଯେପରି ଗେମ୍ସ ଜନିତ ବିଭିନ୍ନ ଆପ୍ସ ସହିତ ଆପଣଙ୍କ ସୋସିଆଲ ମିଡିଆରେ ଥିବା ଆକାଉଂଟକୁ ସଂଯୋଗ କରିବା ପୂର୍ବରୁ ଟିକେ ସାବଧାନତା ଅବଲମ୍ବନ କରନ୍ତୁ । କାରଣ, ଏହା ହେଉଛି ହ୍ୟାକରମାନଙ୍କର ଏକ ସୁପରିକଳ୍ପିତ ଚାଲ୍ । ପ୍ରତ୍ୟେକ ପ୍ରୋଫାଇଲ୍ ସେଟିଂରେ କେଉଁ ଆପ୍ ସହ ଆପଣ ନିଜ ଆକାଉଂଟକୁ ଯୋଡି ପାରିବେ ତାକୁ ଭଲଭାବେ ପରଖି ନିଅନ୍ତୁ ।

• ଆପଣ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ ସୁରକ୍ଷା ପ୍ରତି ପ୍ରଥମେ ଧ୍ୟାନ ଦିଅନ୍ତୁ । ତେଣୁ ଫୋନର ପ୍ରାଥମିକ ସୁରକ୍ଷା ପାଇଁ ଫୋନରେ ପାସୱାର୍ଡ ବ୍ୟବହାର କରନ୍ତୁ । କାରଣ ଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ ଯଦି ତାର ପାସୱାର୍ଡ ଲକ୍ ବ୍ୟବସ୍ଥା ଥିବ ତେବେ ତାକୁ ହ୍ୟାକ୍ କରିବା ମୁସ୍କିଲ ହୋଇଥାଏ । କିଛି ଫୋନରେ ଆଟୋ-ଇରେଜ ବା ଆପେ ଆପେ ସଂପୂର୍ଣ୍ଣ ଡାଟା ନଷ୍ଟ ହୋଇଯିବାର ବ୍ୟବସ୍ଥା ଥାଏ । ଯାଦ୍ୱାରା ଆପଣ ନିଜ ଆକାଉଂଟକୁ ଡିଲିଟ୍ କରିପାରିବେ ।

• ଆପଣ ବ୍ୟବହାର କରୁଥିବା ସୋସିଆଲ ମିଡିଆରେ ଥିବା ଆକାଉଂଟକରେ ମଜଭୁତ୍ ତଥା କଠିନ ପାସୱାର୍ଡ ଦିଅନ୍ତୁ । ତେବେ ଆପଣ ବ୍ୟବହାର କରୁଥିବା ଆକାଉଂଟ ଯେପରି ଜିମେଲ୍, ଫେସବୁକ୍, ଟୁଇଟର ଆଦ ଭିନ୍ନ ଭିନ୍ନ ପାସୱାର୍ଡ ଦିଅନ୍ତୁ । ଯେପରିକି ‘ଡାସଲେନ୍’ ଭଳି ପାସୱାର୍ଡ ମ୍ୟାନେଜର ଦ୍ୱାରା କଠିନ ପାସୱାର୍ଡ ଦିଅନ୍ତୁ । ଏଥିସହ କିଛି ଅନ୍ତରାଳରେ ଏହାକୁ ପରିବର୍ତ୍ତନ କରନ୍ତୁ ।

• ଯଦି ଆପଣ ଅନ୍ୟ କୌଣସି କମ୍ପ୍ୟୁଟର କିମ୍ବା ସାଇବର ସିଟି କିମ୍ବା ହଟସ୍ପୋଟ୍, ବେତାର ଇଂଟରନେଟ୍ କନେକ୍ସନରେ ଆପଣଙ୍କ ଏହି ସବୁ ଆକାଉଂଟକୁ ବ୍ୟବହାର କରୁଛନ୍ତି ତେବେ ବ୍ୟବହାର କରି ସାରିବାପରେ ଏହାକୁ ଲଗଆଉଟ୍ କରିବାକୁ ଭୁଲନ୍ତୁ ନାହିଁ । ଏଥିସହ କମ୍ପ୍ୟୁଟରର ହିଷ୍ଟ୍ରି ମଧ୍ୟ ନଷ୍ଟ କରିଦିଅନ୍ତୁ ।

• ଆକାଉଂଟଗୁଡିକରେ ଦୋମୁହାଁ ଯାଂଚ ବ୍ୟବସ୍ଥା ରଖନ୍ତୁୁ । ଏହାଦ୍ୱାରା ଆପଣଙ୍କ ମୋବାଇଲକୁ ଏକ ମେଲ୍ ଯିବ ଯାହା ସୂଚନା ଦେଇଥାଏ କି ଆପଣ ନିଜ ଆକାଉଂଟକୁ ଲଗ ଇନ୍ କରିଛନ୍ତି । ତାସହ ଲଗ ଇନ୍ ଆଲର୍ଟ ବ୍ୟବସ୍ଥା ରଖିଥିଲେ କୌଣସି ଅପ୍ରିତିକର ତଥା ଅନୈତିକ ଅନୁପ୍ରବେଶକୁ ଆପଣ ଏଡାଇ ଦେଇ ପାରିବେ ।

• କୌଣସି ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ସତର୍କ ରୁହନ୍ତୁ । କାରଣ ଏହି ସବୁ ସନ୍ଦିଗ୍ଧ ଲିଙ୍କରେ କ୍ଷତିକାରକ ଭାଇରସ୍ ଥାଇପାରେ । ଏବଂ ଆପଣଙ୍କ ଆକାଉଂଟ ହ୍ୟାକ୍ ବି ହୋଇପାରେ ।