ସେନା ପୋଷାକରେ ଧୋନୀ ଗ୍ରହଣ କଲେ ପଦ୍ମ ଭୂଷଣ । ୭ ବର୍ଷ ପରେ କ୍ୟାପଟେନ୍ କୁଲଙ୍କ ପାଇଁ ପୁଣି ସ୍ମରଣୀୟ ହେଲା ୨ ଏପ୍ରିଲ ।

119
୨୦୧୧ ଏପ୍ରିଲ ୨ ତାରିଖ ଅର୍ଥାତ ଆଜିର ଦିନରେ ଏକ ଆକର୍ଷଣୀୟ ସଟ୍ ଖେଳି ଭାରତକୁ ବିଶ୍ୱକପ ବିଜେତା କରାଇ ପ୍ରଶଂସକଙ୍କ ହୃଦୟ ଜିଣିଥିବା ଧୋନୀ ଆଜି ପୁଣି ଥରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜିର ଦିନ ଦୁଇଗୁଣା ଖୁସି ଆଣିଦେଇଛି ।
ସୋମବାର ସନ୍ଧ୍ୟାରେ ଧୋନୀଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଧୋନୀଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ମହେନ୍ଦ୍ର ସିଂହ ଧୋନୀ  ଏହି ପୁରସ୍କାର ଗ୍ରହଣ କରିବା ସମୟରେ ସେନା ପୋଷାକରେ ଥିଲେ । ଧୋନୀ ଏବେ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ କାର୍ଯ୍ୟରତ ଅଛନ୍ତି ।
୨୮ ବର୍ଷ ପରେ ଆଜିର ଦିନରେ (ଏପ୍ରିଲ ୨, ୨୦୧୧) ଭାରତକୁ ବିଶ୍ୱକପ ଚାମ୍ପିୟନ କରାଇଥିଲେ ଧୋନୀ । ଧୋନୀଙ୍କ ସହ ଏହି ସମ୍ମାନ ଭାରତୀୟ ବିଲିୟାର୍ଡସ ଖେଳାଳୀ ପଙ୍କଜ ଆଡଭାନୀଙ୍କୁ ମଧ୍ୟ ଦିଆଯାଇଛି । ତେବେ ଚଳିତ ବର୍ଷ ପଦ୍ମ ସମ୍ମାନ ପାଇଁ ୮୪ ଜଣ ବିଶିଷ୍ଟ ବାକ୍ତିଙ୍କୁ ଚୟନ କରାଯାଇଥିଲା । ଆଜି ୪୧ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିବା ସମାରୋହରେ ସମ୍ମାନିତ କରିଛନ୍ତି ।
୨୦୧୧ ଆଜିର ଦିନରେ ମେନ୍ ଇନ୍ ବ୍ଲୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ୬ ଓି୍ୱକେଟରେ ପରାସ୍ତ କରି ଭାରତୀୟ ପ୍ରଶଂସକ ମାନଙ୍କ ସ୍ୱପ୍ନ ସାକାର କରିଥିଲେ । ଫାଇନାଲ ମ୍ୟାଚରେ କୁଲ୍ କ୍ୟାପ୍ଟେନ ଶ୍ରୀଲଙ୍କାର କୁଳଶେଖରାଙ୍କ ବଲରେ ହେଲିକପ୍ଟର ସଟ୍ ଖେଳି ଏକ ସୁନ୍ଦର ଛକା ମାରିବା ସହ ଭାରତକୁ ଏକ ରୋମାଞ୍ଚକର ବିଜୟ ଦେଇଥିଲେ । ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ୯୧ ରନର ଏକ ସୁନ୍ଦର ପାଳି ଖେଳିଥିଲେ ।