ଏସସି/ଏସଟି ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ଦେଶରେ ହଙ୍ଗାମା ! ଦଳିତ ସଙ୍ଗଠନର ଭାରତ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ

41

କନକ ବ୍ୟୁରୋ : ଅନସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧୀ ଆଇନରେ କିଛି ନିର୍ଦ୍ଦିଷ୍ଟ ଧାରାକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିବା ପରେ ଆଜି ସାରା ଦେଶରେ ହଙ୍ଗାମା ଦେଖିବାକୁ ମିଳିଛି । ରାସ୍ତା ଉପରକୁ ଓହ୍ଲାଇଆସିଛନ୍ତି ଦଳିତ ସଙ୍ଗଠନ । ଭାରତ ବନ୍ଦ ଡାକରା ଦେବା ଫଳରେ ଏହାକୁ ନେଇ ନିଆଁ ଜଳିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ୟୁପିରେ ଏହି ପ୍ରତିବାଦ, ୭ ଜଣଙ୍କ ଜୀବନ ନେଇଯାଇଛି । ଓଡିଶାରେ ମଧ୍ୟ ଦଳିତ ସଂଗଠନ ଗୁଡିକ ଏହାକୁ ତୀବ୍ର ପ୍ରତିବାଦ କରିଛନ୍ତି । ସୁପ୍ରିମକୋର୍ଟ ଗତ ମାର୍ଚ ୨୦ ତାରିଖରେ ଏସସି-ଏସଟି ଆଇନର ଧାରାକୁ ନିଷିଦ୍ଧ କରିଥିଲେ । ଅଭିଯୋଗ ଆସିବା ମାତ୍ରେ ଗିରଫ କରାଯିବାର ବ୍ୟବସ୍ଥାକୁ ନିଷିଦ୍ଧ କରାଯାଇଥିଲା । ଏକ ସପ୍ତାହ ଭିତରେ ତଦନ୍ତ କରି ପ୍ରାଥମିକ ପ୍ରମାଣ ମିଳିବା ପରେ ଗିରଫ କରା ଯାଇପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ଏହି ଆଇନର ଦୁରୁପଯୋଗ ହେଉଛି ବୋଲି ଅନୁଭବ କରି ଏହି ପରିବର୍ତନ ଆଣିଥିଲେ କୋର୍ଟ । ସେପଟେ ଆଜିର ତୀବ୍ର ପ୍ରତିବାଦ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ରାୟର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି କେନ୍ଦ୍ର ସରକାର ।

ଏସସି-ଏସଟି କ୍ରୁରତା ନିବାରଣ ଆଇନରେ ସୁପ୍ରିମକୋର୍ଟଙ୍କ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ । ଭାରତ ବନ୍ଦ ଡାକରାରେ ଜଳୁଛି ହିଂସାର ନିଆଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ସଂକୁଚିତ ହେଉଥିବା ଅଭିଯୋଗ କରି ସଂଗଠିତ ହୋଇଛନ୍ତି ଏକାଧିକ ଦଳିତ ଆଦିବାସୀ ସଂଗଠନ । ଯେଉଁଠି ରେଳରୋକ୍, ଆଉ କେଉଁଠି ରାସ୍ତାରୋକ ।

ପ୍ରତିବାଦର ହିଂସା ଏତେ ତୀବ୍ର ହୋଇଛି ଯେ, ଗୋଷ୍ଠୀ ସଂଘର୍ଷ ଭିତରେ ଚାଲି ଯାଇଛି ଜୀବନ । ବିଶେଷ କରି ମଧ୍ୟପ୍ରଦେଶ, ଉତର ପ୍ରଦେଶ ଏବଂ ରାଜସ୍ଥାନରେ ଉକ୍ରଟ ହୋଇଛି ସ୍ଥିତି । ଦଳିତଙ୍କ ଅଧିକାରଙ୍କ ହତ୍ୟା କରିବା ପାଇଁ ଏକ ସୁଚିନ୍ତିତ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖ ଏସସି/ଏସଟି ପ୍ରିଭେନସନ୍ ଅଫ୍ ଆଟ୍ରୋସିଟି ଆକ୍ଟର ଦୁରୁପୋଯୋଗ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ଯେଉଁଥିରେ କୁହାଯାଇଥିଲା ।

– ଏସସି/ଏସଟି ଆକ୍ଟ ବଳରେ ତକ୍ରାଳ ଗିରଫ କରାଯାଇପାରିବନାହିଁ
– ଅଭିଯୋଗର ସତ୍ୟାସତ୍ୟ ନେଇ ତଦନ୍ତ ପରେ ଗିରଫଦାରୀ ସଂଭବ
– ଅଭିଯୋଗର ୭ ଦିନ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା
– ପ୍ରାଥମିକ ତଦନ୍ତ ଡିଏସପି କିମ୍ବା ଉଚ୍ଚ ପାହ୍ୟା ପୋଲିସ ଅଧିକାରୀ କରିବେ

ଆଉ ଯେତେବେଳେ ପାଣି ନେଡିଗୁଡ କହୁଣୀକୁ ବୋହିବା ଆରମ୍ଭ କରିଛି-ସେତେବେଳେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର । ଏସସି/ଏସଟି ଆକ୍ଟକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର କରିବା ପାଇଁ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି । ଏହି ୧୯୮୯ରେ ସଂଶୋଧନ କଲେ କ’ଣ ସବୁ ସମସ୍ୟା ସୃଷ୍ଟି ହେବ ସେନେଇ ଯୁକ୍ତି ସଂଗତ ତଥ୍ୟ ସହ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ । ହେଲେ ଏପଟେ କିନ୍ତୁ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୋଟିଏ ପଟେ ଏହି ଆକ୍ଟର ଦୁରୁପଯୋଗ ହେଉଥିବା ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଥିବା ବେଳେ ଅନ୍ୟପଟେ ଏସସି/ଏସଟିଙ୍କ ଅଧିକାର ସୁରକ୍ଷା ଯୋଗାଇ ଦେବା ମଧ୍ୟ ସବୁଠାରୁ ବଡ ଆହ୍ୱାନ୍ ।