ସାବଧାନ ! ବ୍ୟାଙ୍କ ନାଁରେ ଆଧାର ଲିଙ୍କ୍ କରିବାପାଇଁ ଗ୍ରାହକଙ୍କ ନିକଟକୁ ଆସୁଛି ଫର୍ଜି କଲ୍

72

ବ୍ୟାଙ୍କ ଆକାଉଂଟ୍ ସହ ଆଧାର ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ ବୋଲି ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସରକାରଙ୍କ ନୁଆ ନିର୍ଦ୍ଦେଶ ମୁତାବକ, ଆଧାର କାର୍ଡ ବିନା ଆପଣ ବ୍ୟାଙ୍କରେ କୌଣସି ନୁଆ ଖାତା ଖୋଲିପାରିବେ ନାହିଁ । ଏଥିସହିତ ୫୦ ହଜାରରୁ ଅଧିକ ଟଙ୍କା କାରବାର କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆଧାର କାର୍ଡ ନମ୍ବର ନିହାତି ଜରୁରୀ ହେବାସହିତ ଏଥିପାଇଁ ଖାତାଧାରୀମାନଙ୍କୁ ୩୧ ଡିସେମ୍ବର,୨୦୧୭ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ନଚେତ୍ ବ୍ୟାଙ୍କ ଆକାଉଂଟକୁ ଅବୈଧ ଘୋଷଣା କରି ଦିଆଯିବ ବୋଲି କେନ୍ଦ୍ର ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସରକାର ନିର୍ଦ୍ଦେଶପରେ ପରେ ଏବେ ଲୋକଙ୍କଠାରେ ଦେଖାଦେଇଛି ତତ୍ପରତା । ଅର୍ଥାତ୍ ନିଜ ଆକାଉଂଟକୁ ଆଧାର ଲିଙ୍କ କରିବାକୁ ବିଭିନ୍ନ ବ୍ୟାଙ୍କ ଗୁଡିକରେ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ସେହିପରି କିଛି ଲୋକମଧ୍ୟ ଅନଲାଇନ୍ ଜରିଆରେ ନିଜ ଆକାଉଂଟକୁ ଆଧାର ସହିତ ସଂଯୋଗ କରିବାରେ ଲାଗିପଡିଛନ୍ତି । ମାତ୍ର ଏହାର ସୁଯୋଗ ଉଠାଇଛନ୍ତି ଅନଲାଇନ୍ ଫ୍ରଡ୍ କରୁଥିବା ମାଫିଆମାନେ । ଯେଉଁମାନେକି ଆଧାର ଲିଙ୍କ୍ କରାଇଦେବା ଓ ଭେରିଫିକେସନ ପାଇଁ ଗ୍ରାହକଙ୍କୁ ଫୋନ୍ କରି ଚୁନା ଲଗାଉଛନ୍ତି ।

ଜାତୀୟ ଗଣମାଧ୍ୟମ ଅମରଉଜାଲାରେ ପ୍ରକାଶିତ ଖବର ମୁତାବକ, ଅନଲାଇନ୍ ମାଫିଆମାନେ ଆପଣଙ୍କୁ ଫୋନ୍ କଲ୍ ଜରିଆରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆଧାର ସହ ସଂଯୋଗ କରିବାକୁ କହିବେ । ଆଉ ଯଦି ଆପଣ ସେମାନଙ୍କ କଥାକୁ ବିଶ୍ୱାସ କରି ଆପଣଙ୍କ ବ୍ୟାଙ୍କ ଆକାଉଂଟ ସଂପର୍କିତ ତଥ୍ୟ ଦେଇ ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ ବିପଦ ସୃଷ୍ଟି କରିପାରେ । ଏହାଛଡା ଏନେଇ ସେମାନେ ଆପଣଙ୍କୁ ଆପଣଙ୍କ ଏଟିଏମ କାର୍ଡ ଏବଂ ଆଧାର ନମ୍ବରର ଭେରିଫିକେସନ କରାଇବାକୁ ମଧ୍ୟ କହିଥାନ୍ତି । କିନ୍ତୁ ଆପଣଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡିବ । କାରଣ ବ୍ୟାଙ୍କ ଫୋନ ଜରିଆରେ କୌଣସି ଖାତାଧାରୀଙ୍କ ଆଧାର କାର୍ଡ କିମ୍ବା ଏଟିଏମ୍ କାର୍ଡ ସଂପର୍କିତ କୌଣସି ତଥ୍ୟ ମାଗି ନଥାଏ ।

ଏହି ମାଫିଆଙ୍କ ଫୋନ କଲ୍ ଆସିବାର କିଛି ସମୟ ପରେ ଆପଣ ମିସଡ୍ କଲ୍ କରି କିମ୍ବା ଷ୍ଟାର୍ ୯୯ ହାସ୍ ଡାଏଲ୍ କରି ନିଜର ବାଲାନ୍ସ ବାଲାନ୍ସ ଚେକ୍ କରିପାରିବେ । ବାଲାନ୍ସ ଚେକ୍ କରିବା ପାଇଁ ଆପଣ ଏଟିଏମ୍ କିମ୍ବା ଇଂଟରନେଟ୍ ବ୍ୟାଙ୍କିଂର ମଧ୍ୟ ସହାୟତା ନେଇପାରିବେ । ତେବେ ଏଭଳି ଫର୍ଜି କଲଠାରୁ ସାବଧାନ ରୁହନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କୁ ବି ନିଜ ଆଧାର ସଂପର୍କିତ ତଥ୍ୟ, କ୍ରେଡିଟ୍ ଓ ଡେଭିଟ୍ କାର୍ଡର ତଥ୍ୟ କିମ୍ବା ବ୍ୟାଙ୍କ ଆକାଉଂଟର ଡିଟେଲ୍ ଦିଅନ୍ତୁ ନାହିଁ ।

ଏହାସହ ମଧ୍ୟ ପଢନ୍ତୁ- ବନ୍ଦ ହୋଇପାରେ ୧୦ ଟଙ୍କିଆ କଏନ୍ ! କେନ୍ଦ୍ର ସରକାର କରୁଛନ୍ତି ବିଚାର!