ସୋନିଆଙ୍କ ଡିନର ପାର୍ଟି ! ଡାଇନିଙ୍ଗ ଟେବୁଲରେ ୨୦୧୯ ପାଇଁ ରଣନୀତି, ବିଜେଡି, ଟିଆରଏସ ଓ ଟିଡିପିକୁ ଡାକିଲେନି ସୋନିଆ

32

ଜାତୀୟ ରାଜନୀତିରେ ହେବାକୁ ଯାଉଛି ନୂଆ ସମୀକରଣ । ଆସନ୍ତା ୨୦୧୯ ନିର୍ବାଚନ ପାଇଁ ସବୁ ବିରୋଧୀ ଏକଜୁଟ କରିବା ପାଇଁ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାତ୍ରିଭୋଜନର ଆପାୟିତ କରିଛନ୍ତି । ଏଥିରେ କଂଗ୍ରେସ ସମେତ ୨୦ ବିରୋଧୀ ଦଳର ନେତା ଓ ପ୍ରତିନିଧି ସାମିଲ ହୋଇଥିଲେ । ଓଡିଶାର ବିଜୁ ଜନତା ଦଳ, ତେଲେଙ୍ଗାନାର ଟିିଆରଏସ ଓ ୩ ଦିନ ତଳେ ଏନଡିଏରୁ ଅଲଗା ହୋଇଥିବା ଟିଡିପିକୁ ଡିନର ପାର୍ଟି ପାଇଁ ଡକାଯାଇନଥିଲା । ଜାତୀୟ ରାଜନିତୀରୁ ଏନଡିଏ, ୟୁପିଏକୁ ଛାଡି ତୃତୀୟ ମେଂଟ ଚର୍ଚ୍ଚା ଭିତରେ ସୋନିଆଙ୍କ ରାତ୍ରଭୋଜି ବେଶ ଚର୍ଚ୍ଚାକୁ ଆସିଛି ।

ସୋନିଆଙ୍କ ଏହି ଡିନର ଡିପ୍ଲୋମାସିରେ ଯୋଗ ଦେଇଥିଲେ ଏନସିପିର ଅଧ୍ୟକ୍ଷ ଶରଦ୍ ପାୱାର, ଶରଦ୍ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଜିତନରାମ ମାଂଝୀ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ । ସେହିପରି ଡିଏମକେର କାନିମୋଝି, ବାମପନ୍ଥୀ ନେତା ଡି. ରାଜା ଓ ଜେବିଏମର ବାବୁଲାଲ୍ ମାରାଣ୍ଡି ଯୋଗ ଦେଇଛନ୍ତି ।

କୁହାଯାଉଛି ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମୂୁଳପୋଛ କରିବା ପାଇଁ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ଡିନର ପାର୍ଟି ଦେଇଛନ୍ତି ସୋନିଆ । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦିଙ୍କ ବିରୁଦ୍ଧରେ ମହାମେଂଟ ଗଢ଼ିବେ ସୋନିଆ । ଦେଶରେ ବିଜେପିର ପ୍ରଭାବକୁ କାଉଁଣ୍ଟର୍ କରିବାକୁ ସୋନିଆ ରଣନୀତି ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ଅନ୍ୟପଟେ ଡିନର୍ ପାର୍ଟି ଏହି ରଣନୀତିର ଏକ ଅଂଶ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଡିନର ପାର୍ଟିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି, ଏଥିରେ ବିରୋଧୀ ଦଳ ନେତାମାନଙ୍କ ମଧ୍ୟରେ ନିକଟତା ବଢିଛି । ଏଥିରେ ବହୁ ରାଜନୈତିକ ଚର୍ଚ୍ଚା ମଧ୍ୟ ହେଲା, ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଡିନର ପାର୍ଟିରେ ସକରାତ୍ମକ ବାତାବରଣ ଦେଖିବାକୁ ମିଳିଲା ।