ସ୍ନାନବେଦୀରେ ଚତୁର୍ଦ୍ଧାମୂରତି : ଠାକୁରଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ

26

କନକ ବ୍ୟୁରୋ : ଆଜି ରଥଯାତ୍ରାର ଆଦ୍ୟପର୍ବ ପ୍ରସିଦ୍ଧ ସ୍ନାନଯାତ୍ରା । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ରତ୍ନ ବେଦି ଛାଡ଼ି ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, କାମ୍ପିଲ୍ୟବାସିନୀ ମା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ସ୍ନାନ ବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇ ଆଜି ସକାଳୁ ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ସମାପନାନ୍ତେ ଶ୍ରୀଜୀଉମାନଙ୍କ ଧାଡ଼ି ପହଣ୍ଡିରେ ସ୍ନାନବେଦୀର ବିଜେ କରାଯାଇଛି । ଝିିପିଝିପି ବର୍ଷାରେ ଭିଜି ହଜାର ହଜାର ଭକ୍ତ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ବଡ଼ ଦାଣ୍ଡରେ ଭିଡ଼ ଜମାଇଛନ୍ତି । ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପରିସରସ୍ଥିତ ସୁନା କୂଅରୁ ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଗତକାଲି ଏହାର ଶୋଧ କାର୍ୟ୍ୟ କରାଯାଇ ଜଳ ପ୍ରସ୍ତୁତ କରି ରଖାଯାଇଛି ।

ଆଜି ଭୋର ୫ଟାରେ ଠାକୁରଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଡୋର ଲାଗି ଓ ପୁଷ୍ପାଞ୍ଜଳି ନୀତି ପରେ ସକାଳ ସାଢ଼େ ୫ରୁ ସ୍ନାନବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା । ସ୍ନାନବେଦୀରେ ଶ୍ରୀଜୀମାନେ ଅବସ୍ଥାପିତ ହେବା ପରେ ସେଠାରେ ମଙ୍ଗଳ ଆଳତି, ମଇଲମ ଆଦି ନୀତି ଶେଷ ହୋଇଛି । ଦେବସ୍ନାନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ଵାର ଆଗରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ୪୨ ପ୍ଲାଟୁନ୍ ଫୋର୍ସ ଓ ୨୫୦ ଅଫିସରଙ୍କୁ ଏହି କାର୍ୟ୍ୟରେ ନିୟୋଜିତ କରାଯାଇଛି ।