ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥ କାହିଁକି ଗଜାନନ ବା ହାତୀ ବେଶ ହୁଅନ୍ତି ? କେବେଠାରୁ ଚାଲିଆସୁଛି ଏହି ପରମ୍ପରା ।

410

କନକ ବ୍ୟୁରୋ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମାରେ ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ ରତ୍ନ ସିଂହାସନ ଛାଡି ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଥାଆନ୍ତି । ତେବେ ସାଧାରଣ ଭକ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ, କାହିଁକି ଏହି ନୀତି ପାଳନ କରାଯାଏ? ସ୍ୱୟଂ ଭଗବାନ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ମଣ୍ଡପରୁ ବାହାରି ସ୍ନାନ ବେଦୀକୁ ବିଜେ କରିଥାନ୍ତି । ଭକ୍ତଗଣଙ୍କ ଭିତରେ ଟାହିଆ ଲଗାଇ ଝୁଲିଝୁଲି ଦଇତାପତି ସେବାୟତମାନେ ଚତୁର୍ଦ୍ଧ ମୂର୍ତ୍ତିକୁ ପହଣ୍ଡି ବିଜେ କରାନ୍ତି । ଏହାପରେ ଯଥାରୀତିରେ ପୂଜାର୍ଚ୍ଚନା କରାଗଲା ପରେ ୧୦୮ କୁମ୍ଭ ଜଳରେ ମହାପ୍ରଭୁ ଏବଂ ଜ୍ୟେଷ୍ଠ ଭ୍ରାତା,ଭଗିନୀଙ୍କୁ ସ୍ନାନ କରିବାର ବିଧି ରହିଛି । ସ୍ନାନ ପରେ ରାଘବଦାସ ମଠରୁ ପ୍ରସ୍ତୁତ ହୋଇଥିବା ଗଜାନନ ବେଶର ମୁକୁଟ ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ପରିଧାନ କରି ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।

ଏହି ସ୍ନାନ କଥା ଜାଣିଲାପରେ ସାଧାରଣ ଲୋକମାନଙ୍କ ମନରେ ଏକ ପ୍ରଶ୍ନ ଆସେ କି ପ୍ରଭୁ କଣ ସବୁଦିନ ସ୍ନାନ କରନ୍ତି ନାହିଁ? ଜ୍ୟେଷ୍ଠ ପୂର୍ଣ୍ଣିମାକୁ ତେବେ ସ୍ନାନ ପୂର୍ଣ୍ଣିମା କାହିଁକି କୁହାଯାଏ? ପ୍ରତ୍ୟେକ ଦିନ ପ୍ରଭୁ ମନ୍ଦିର ଭିତରେ ସ୍ନାନ କରନ୍ତି । କେବଳ ଏହି ଗୋଟିଏ ଦିନ ସମସ୍ତଙ୍କ ସାମ୍ନାରେ ପ୍ରଭୁଙ୍କର ସମସ୍ତ ସ୍ନାନ ନୀତିକାନ୍ତି ପାଳନ କରାଯାଏ । ଯେହେତୁ ଭକ୍ତଙ୍କ ଆଗରେ ଠାକୁରମାନଙ୍କୁ ସ୍ନାନ କରାଯାଏ । ତେଣୁ ଏହି ପୂଣ୍ୟ ତିଥିକୁ ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା କୁହାଯାଏ ।

ଏହି ନୀତି ହେବା ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ସହ ବିବାହ ହୋଇଥାଏ । ତେବେ ବିବାହ ପରେ ଏହି ନୀତି ଆରମ୍ଭ କରାଯାଉଥିବାରୁ ପ୍ରଭୁଙ୍କ ଚତୁର୍ଥୀ କର୍ମ ହୋଇ ପାରିନଥାଏ । ଅଧିକ ସ୍ନାନ କରିଥିବା ହେତୁ ପ୍ରବଳ ଜ୍ୱରରେ ଭଗବାନ ୧୫ ଦିନ କାହାରିକୁ ଦର୍ଶନ ଦିଅନ୍ତି ନାହିଁ ଏବଂ ଅଣସର ପିଣ୍ଡିରେ ପ୍ରଭୁ ବିରାଜ କରି ବିଶ୍ରାମ ନିଅନ୍ତି । ତେବେ ଏହି ପୂର୍ଣ୍ଣିମାରେ ଦେବସ୍ନାନ ମଣ୍ଡପରେ ଠାକୁର ସାଧରଣ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ଦର୍ଶନ ଚାଲୁଥିବା ବେଳେ ମହାରାଷ୍ଟ୍ରର ଜଣେ ଭକ୍ତ ଆସି ପ୍ରଭଙ୍କୁ ଦର୍ଶନ କଲେ । କିନ୍ତୁ ସେ ଦର୍ଶନ କରି ସନ୍ତୁଷ୍ଟ ଲାଭ କଲେ ନାହିଁ । ଏହି କଥା ଅନ୍ତର୍ଯାମୀ ମହାପ୍ରଭୁ ଜାଣିବାପରେ ପ୍ରଭୁ ପଚାରିଲେ “ଭକ୍ତ କାହିଁକି ତୁମେ ମତେ ଦର୍ଶନ କଲାପରେ ମଧ୍ୟ ଖୁସି ନାହଁ ।” ସେତେବେଳେ ଭକ୍ତ ଜଣଙ୍କ ଉତ୍ତରରେ କହିଥିଲେ “ ପ୍ରଭୁ ମୋର ଇଷ୍ଟ ଦେବ ଗଣେଷ । ତେଣୁ ଆପଣଙ୍କୁ ମୋର ଇଷ୍ଟ ଦେବ ରୂପେ ଦର୍ଶନ କରିବାକୁ ଇଚ୍ଛା ଥିଲା । ଇଚ୍ଛା ଅନୁସାରେ ଦର୍ଶନ ପାଇପାରି ନ ଥିବାରୁ ମୋତେ ସନ୍ତୋଷ ଲାଭ ହେଲା ନାହିଁ”ା ଏ କଥା ଶୁଣିଲାପରେ ପ୍ରଭୁ ଜଗନ୍ନାଥ ତଥାସ୍ତୁ ବୋଲି କହିଦେଲେ । ଏହା ପରଠାରୁ ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମାରେ ବା ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତି ଗଜାନନ ବେଶ ଧାରଣ କରିଥାଆନ୍ତି ।

ସ୍ନାନଲାଗି ହେବା ପୂର୍ବ ବର୍ଷରୁ ସୁନାକୂ୍ପରୁ ଜଳ ଆଣି ତାହା ମଧ୍ୟରେ ଅନେକ ସୁଭାସିତ ଦ୍ରବ୍ୟମାନ ମିଶାଇ ରଖାଯାଇଥାଏ । ସେହି ଜଳରେ ହିଁ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥାଏ । ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପ୍ରଭୁ ପଡିଥାଆନ୍ତି । ପରେ ଦଇତାପତି ସେବାୟତମାନେ ଅଣସର ପିଣ୍ଡିରେ ପ୍ରଭଙ୍କ ଗୁପ୍ତ ସେବାରେ ଲିପ୍ତ ଥାଆନ୍ତି । ଏହା ହିଁ ଦେବସ୍ନାନ ପୂର୍ଣ୍ଣମାର ବିଶେଷତ୍ୱ ।