ବହି ଉପରେ ବିଶ୍ୱାସ ନାହିଁ : ପଂଚମ ଶ୍ରେଣୀ ବହିରେ ସାପ କାମୁଡିବାର ପ୍ରାଥମିକ ଚିକିତ୍ସାକୁ ନେଇ ଦିଆଯାଇଛି ଭୁଲ୍ ତଥ୍ୟ

47

କନକ ବ୍ୟୁରୋ : ପିଲାଙ୍କୁ ପଢାଯାଉଛି ବିଭ୍ରାନ୍ତକାରୀ ପାଠ । ଏ ହେଉଛି ଗଣଶିକ୍ଷା ବିଭାଗର ଖାମଖିଆଲି ମନୋଭାବର ଆଉ ଏକ ନମୂନା । ସାପ କାମୁଡିଲେ କିପରି ପ୍ରତିକାର କରାଯିବ, ଏ ନେଇ ପିଲାଙ୍କୁ ଯାହା ପଢାଯାଉଛି, ତାହା ଜଣଙ୍କୁ ବିଷ ମୁକ୍ତ କରିବା ପରିବର୍ତ୍ତେ ମରଣ ମୁହଁକୁ ଟାଣିନେବ । ବିଜ୍ଞାନସମ୍ମତ କଥା ଲେଖାନଯାଇ ଶୁଣାକଥା ସ୍ଥାନ ପାଇଛି ପଂଚମ ଶ୍ରେଣୀ ବହିରେ ।

ବହିରେ ଲେଖାଯାଇଛି ସାପ କାମୁଡ଼ା ଅଂଶର ଉପର ଓ ତଳ ଭାଗକୁ ଦଉଡ଼ି ଓ କପଡ଼ାରେ ଶକ୍ତ ଭାବେ ବାନ୍ଧି ଦେବ । ହେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ଇଣ୍ଡିଆନ ନ୍ୟାସନାଲ ସ୍ନେକବାଇଟ୍ ପ୍ରୋଟୋକଲ କହୁଛି, ଏପରି କରିବା ବିପଦଜନକ ସାବ୍ୟସ୍ତ ହୋଇଥାଏ । ସାପ କାମୁଡାଥିବା ଅଂଶର ଉପର ତଳ ଭାଗକୁ ବାନ୍ଧିଲେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ । ସେହି ସ୍ଥାନ ଅକାମୀ ହୋଇଯାଏ, ଏପରିକି ସେହି ଅଂଗକୁ କାଟିବାକୁ ପଡିଥାଏ ସ୍ଥଳବିଶେଷରେ । କିଛି ବ୍ୟକ୍ତି କୋମାକୁ ଚାଲିଯିବା ନଜିର ମଧ୍ୟ ରହିଛି । ଡାକ୍ତରଙ୍କ କହିବା କଥା ହେଲା ବିଷ ରକ୍ତ ଦ୍ୱାରା ଶରୀର ମଧ୍ୟରେ ବ୍ୟାପୀ ନଥାଏ, ଚର୍ମ ତଳେ ଥିବା ଲସିକା ଗ୍ରନ୍ଥି ଦ୍ୱାରା ବିଷ ପ୍ରବାହିତ ହୋଇଥାଏ ।ବହିରେ ପଢା ଯାଉଥିବା ଭୁଲ ତଥ୍ୟ ସଂପର୍କରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ସେ ଯାହା ଉତ୍ତର ଦେଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ହିସାବ ଅନୁଯାୟୀ ଭାରତରେ ପ୍ରତିବର୍ଷ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ । ଯାହା ସାରା ବିଶ୍ୱରେ ସର୍ବାଧିକ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ବାରମ୍ବାର ଗାଇଡଲାଇନ ଜାରି କରିଛି । ଡବ୍ଲୁଏଚଓ ମଧ୍ୟ ସ୍ୱତନ୍ତ୍ର ଗାଇଡଲାଇନ ଦେଇଛି । ହେଲେ ଗଣଶିକ୍ଷା ବିଭାଗର ଏଥିପ୍ରତି ନଜର ନାହିଁ । ବର୍ଷ ବର୍ଷ ଧରି ବହିରେ ଭୁଲ ତଥ୍ୟକୁ ସ୍ଥାନ ଦେଇ କୋମଳମତି ପିଲାଙ୍କୁ ବିଭ୍ରାନ୍ତ କରୁଛି ଗଣଶିକ୍ଷା ବିଭାଗ ।