ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ନେଇ କାହିଁକି କଠୋର ହେଲେ କୋର୍ଟ ? ଆବେଦନରେ କ’ଣ ଦର୍ଶାଇଥିଲେ ମୃଣାଳିନୀ ପାଢ଼ୀ ?

58

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅବେଦନକାରୀ ବରିଷ୍ଠ ଆଇନଜ୍ଞ ମୃଣାଳିନୀ ପାଢ଼ୀ । ନବକଳେବର ବିଭ୍ରାଟ, ଠାକୁର ଉପାସରେ ରହିବାଠାରୁ ଆରମ୍ଭ କରି ରତ୍ନଭଣ୍ଡାର ଚାବି ହଜିବା ଯାଏଁ ଘଟଣାକୁ ଆବେଦନରେ ଦର୍ଶାଇଥିଲେ । ଯାହାକୁ ବିଚାର କରି ଖୁବ କଡା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୋଟି କୋଟି ଭକ୍ତି ଓ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିଛି । ଆଉ ସମସ୍ତଙ୍କ ମନରେ ଆଶା ସଂଚାର ହୋଇଛି ଯେ, ସବୁକିଛି ବ୍ୟବସ୍ଥିତ କରିବା ପାଇଁ କିଛି ଠୋସ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିରରେ ସେବାୟତଙ୍କ ଦୌରାତ୍ମ୍ୟ ନେଇ ଯେଉଁ ଅଭିଯୋଗ ହୋଇଆସୁଛି ସେଥିରୁ ମୁକ୍ତି ମିଳିବ । ଆଉ ଏହାରି ଭିତରେ ଚର୍ଚ୍ଚାକୁ ଆସିଛି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ମୂଳ ପିଟିସନ । ବିଶିଷ୍ଟ ଆଇନଜ୍ଞ ମୃଣାଳିନୀ ପାଢୀଙ୍କ ଆବେଦନର ଶୁଣାଣି କରି ଏଭଳି ଯୁଗାନ୍ତକାରୀ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ।

ପୁରୀ ଶ୍ରୀମନ୍ଦିରରେ ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେଇଆସୁଛି । ନବକଳେବର ବିଭ୍ରାଟଠାରୁ ଆରମ୍ଭ କରି ସେବାୟତ ଓ ପ୍ରଶାସନ କଳିରୁ ଠାକୁର ଓପାସ ରହିବା । ସର୍ବୋପରି ଶ୍ରମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ଆଦି ପ୍ରସଙ୍ଗ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପୁରୀ ଶ୍ରୀମନ୍ଦିରରେ ବର୍ଷବର୍ଷ ଧରି ଚାଲିଥିବା କେତେକ ବିଶୃଙ୍ଖଳାକୁ ଆବେଦନରେ ଦର୍ଶାଇଥିଲେ ପିଟିସନର ମୃଣାଳିନୀ ପାଢୀ । ଯାହାକୁ ବିଚାର କରି କୋର୍ଟ କଡ ଆଭିମୁଖ୍ୟ ଦେଖାଇଛନ୍ତି ।

୨୦୧୫ ଜୁନ୍ – ଦୀର୍ଘ ୧୯ ବର୍ଷ ପରେ ଅନୁଷ୍ଠିତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରାରେ ବ୍ୟାପକ ବିଭ୍ରାଟ ଦେଖାଯାଇଥିଲା । ପରମ୍ପରାକୁ ଭାଙ୍ଗି ପୁରା ପ୍ରକ୍ରିୟାର ବ୍ୟବସାୟକରଣ କରାଯାଇଥିବା କୋର୍ଟଙ୍କୁ ଜଣାଇଥିଲେ ପିଟିସନର ।

୨୦୧୭ ଡିସେମ୍ବର – ଶ୍ରୀମନ୍ଦିରରେ ସଂସ୍କାର ପାଇଁ ରାଜ୍ୟ ସରକାର ୨୦୧୬ରେ ଗଠନ କରିଥିବା ଜଷ୍ଟିସ ବିପି ଦାସ କମିଶନ ୨୦୧୭ ଡିସେମବ୍ର ୭ ତାରିଖରେ ତାଙ୍କ ମଧ୍ୟବର୍ତୀ କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଯେଉଁଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ସେବାୟତଙ୍କ ପାଇଁ ଅନେକ ଜନମଙ୍ଗଳ ଯୋଜନା ବାବଦରେ ସୁପାରିଶ କରାଯାଇଥିଲା । ଶ୍ରୀମନ୍ଦିରରେ ସଂସ୍କାର ପାଇଁ ମଧ୍ୟ ସୁପାରିଶ ଥିଲା । ହେଲେ ସରକାର ଏହାକୁ ପୂର୍ଣ୍ଣତଃ ଗ୍ରହଣ କଲେ ନା ନାହିଁ ତାହା ଜଣାପଡିଲା ନାହିଁ । ମିଡିଆ ରିପୋର୍ଟ ଅନୁସାରେ କମିଶନଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି ହେଲାନାହିଁ ।

୨୦୧୮ ଏପ୍ରିଲ – ଶ୍ରୀମନ୍ଦିର ଇତିହାସରେ ପ୍ରଥମଥର ଲାଗି ପ୍ରାୟ ୩୦ ଘଂଟା କାଳ ଓପାସରେ ରହିଲେ ଠାକୁର । ସେବାୟତ ଓ ପ୍ରଶାସନ ମୁହାଁମୁହିଁ ହେବାରୁ ଠାକୁରଙ୍କୁ ମହାପ୍ରସାଦ ଲାଗି କରାଗଲା ନାହିଁ । ପ୍ରଶାସନ ଓ ସେବାୟତ କଳିରୁ ଯେଭଳି ପରମ୍ପରାକୁ ଭାଙ୍ଗି ଦିଆଗଲା ଏହା ଲକ୍ଷ ଲକ୍ଷ ଭକ୍ତଙ୍କୁ ବ୍ୟଥିତ କରିଥିଲା ।

୨୦୧୮ ଏପ୍ରିଲ ୪ – ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଗଲେ ଏଏସଆଇ ବିଶେଷଜ୍ଞ । ହେଲେ ଭତର ଭଣ୍ଡାର ଚାବି ନମିଳିବାରୁ ବିଶେଷଜ୍ଞ ଦଳକୁ କେବଳ ବାହାରୁ ଥାଇ ଭିତରର ସ୍ଥିତି ଅନୁଧ୍ୟାନ ପାଇଁ କୁହାଗଲା ।

୨୦୧୮ ଜୁନ୍ – ରତ୍ନଭଣ୍ଡାର ଚାବି ହଜିଯାଇଛି ବୋଲି ପ୍ରାୟ ୨ମାସ ପରେ ଜଣାପଡିଲା । ଏହାକୁ ନେଇ ସ୍ଥାନୀୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଲା ଯେ, ରତ୍ନଭଣ୍ଡାର ଚାବି ମିଳୁନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ପରିଚାଳନା କମିଟିକୁ ଜଣାଇଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଭକ୍ତଙ୍କ ଆଧ୍ୟାତ୍ମକ ଭାବନା ସହ ଜଡିତ । ଏହାର ପାରମ୍ପରିକ, ସାମାଜିକ ଏବଂ ଐତିହାସିକ ଗୁରୁତ୍ୱ ରହିଛି । ଶ୍ରୀମନ୍ଦିର ପ୍ରଶାସନ ମଝିରେ ମଝିରେ ରତ୍ନଭଣ୍ଡାର ଯାଂଚ କରିବାର ନିୟମ ରହିଥିଲେ ମଧ୍ୟ ୧୯୮୪ରୁ ଯାଂଚ କରାଯାଇନଥିବା ଜଣାପଡିଲା ।

ଏହିଭଳି ଅନେକଗୁଡିଏ ବିଭ୍ରାଟ ନେଇ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପିଟିସନର । ଯାହାକୁ ଗୁରୁତର ସହ ବିଚାର କରି କଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦେଖିବାର କଥା କୋର୍ଟଙ୍କ କଡାକଥାର କି ପ୍ରଭାବ ପଡୁଛି ଆଉ ଶ୍ରୀମନ୍ଦିର ସଂସ୍କାର କେତେବାଟ ଆଗଉଛି ।