ବିଜେପିକୁ ଟାର୍ଗେଟ କଲେ ଶିବସେନା ନେତା ସଞ୍ଜୟ ରାୱତ  । କହିଲେ, ଦିଲ୍ଲୀ କାହାର ବାପାର ନୁହେଁ, ଏମିତି ଅନେକ ନେତା ଆସିଛନ୍ତି ଓ ଯାଇଛନ୍ତି । 

308

ମହାରାଷ୍ଟ୍ରରୁ ଦିଲ୍ଲୀ । ଶିବସେନା-ବିଜେପି ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଆଉ ଏସବୁ ଭିତରେ ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହାପୂର୍ବରୁ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ । ସଞ୍ଜୟଙ୍କ କହିବା ଅନୁଯାୟୀ, ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି ଓ ଡିସେମ୍ବର ଶେଷ ସୁଦ୍ଧା ମହାରାଷ୍ଟ୍ରରେ ଶିବସେନା ସରକାର ଗଢିଥିବ । ଆଉ  ୫ ବର୍ଷ ଯାଏଁ ଶିବସେନାର ହିଁ ମୁଖ୍ୟମନ୍ତ୍ରୀ ରହିବେ ।

ମହାରାଷ୍ଟ୍ରରେ ସରକାର ଗଢିବାକୁ ଏନସିପି-କଂଗ୍ରେସ ସହ ଶିବସେନାର ଆଲୋଚନା ହୋଇଥିବା ବେଳେ ଆସନ୍ତାକାଲି ସୋନିଆ ଗାନ୍ଧିଙ୍କୁ ଭେଟିବେ ଶରଦ ପାୱାର । ଆଉ ଏହି ଭେଟଘାଟ ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି । ଏ

ଏହାବ୍ୟତୀତ ବିଜେପିର ହାତ ଛାଡିବା ପରେ ସଂସଦରେ ଶିବସେନା ସଦସ୍ୟଙ୍କ ଆସନ ମଧ୍ୟ ବଦଳାଯାଇଛି । ତେବେ ଏହାକୁ ନେଇ ସଞ୍ଜୟ କହିଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ଏତିକି ବୁଝିନେବା ଆବଶ୍ୟକ ଯେ, ଦିଲ୍ଲୀ କାହା ବାପାର ନୁହେଁ । ଏମିତି ଅନେକ ବଡ ବଡ ନେତା ଆସିଛନ୍ତି ଓ ଅନେକ ଯାଇଛନ୍ତି । ବିଜେପି ଆମକୁ ଧୋକା ଦେଇଛି । ସମସ୍ତଙ୍କ ସାମ୍ନାରେ ବିଜେପି ଯାହା କହିଥିଲା ତାହା ପାଳନ କରିନାହିଁ । ମହାରାଷ୍ଟ୍ରରେ ଏବେ କେବଳ ନେତା ନୁହଁନ୍ତି ଜନତା ମଧ୍ୟ ବିଜେପିର ହାତ ଛାଡୁଛନ୍ତି ।

ଏହାଛଡା ଏନଡିଏ ଉପରେ ମଧ୍ୟ ବଡ ପ୍ରଶ୍ନବାଚୀ ଛିଡା କରିଛନ୍ତି ସଞ୍ଜୟ । ଏନଡିଏରେ ସାମିଲ ଥିବା ସମସ୍ତ ଦଳ କ୍ଷମତା ପାଇଁ ହାତ ମିଳାଇଛନ୍ତି । ପୂର୍ବରୁ ଗୋଧ୍ରା ଘଟଣାରେ ମୋଦିଙ୍କ ଉପରେ ଆଙ୍ଗୁଳି ଉଠାଇ ରାମବିଳାଶ ପାଶୱାନ ଏନଡିଏରୁ ବାହାରି ଯାଇଥିଲେ । ସେହିଭଳି ୨୦୧୪ ନିର୍ବାଚନ ପୂର୍ବରୁ ନୀତିଶ କୁମାର ମଧ୍ୟ ମୋଦିଙ୍କୁ ବିରୋଧ କରି ଏନଡିଏରୁ ଓହରି ଯାଇଥିଲା । କିନ୍ତୁ ଏବେ କ୍ଷମତା ଓ ସ୍ୱାର୍ଥ ପାଇଁ ପୁଣିଥରେ ମୋଦିଙ୍କ ସହ ହାତ ମିଳାଇଛନ୍ତି । କେବଳ ଅକାଳୀ ଦଳ ପ୍ରଥମରୁ ଏନଡିଏ ସହ ଯୋଡି ହୋଇ ରହିଛି ବୋଲି କହିଛନ୍ତି ସଞ୍ଜୟ । ନଚେତ ଅନ୍ୟ ଦଳ ଗୁଡିକୁ କ୍ଷମତା ପାଇଁ କେବେ ଏନଡିଏ ତ ପୁଣି କେବେ ୟୁପିଏରେ ଦେଖିବାକୁ ମିଳିଥାଏ ।