ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧୩ ଯାଏଁ ଚାଲିବ ଅଧିବେଶନ

110

କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଡାକାଯାଇଥିଲା । ଏଥିରେ ୨୭ଟି ଦଳ ଭାଗ ନେଇଥଲେ ବୋଲି କୁହାଯାଉଛି । ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ବୈଠକରେ ସାଂସଦ ତଥା ନ୍ୟାସନାଲ କନଫେରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ବନ୍ଦୀ ପ୍ରସଙ୍ଗ ଉଠିଥିଲା । ଅବଦୁଲ୍ଲାଙ୍କୁ ଅଧିବେଶନରେ ଭାଗ ନେବାକୁ ସୁଯୋଗ ଦିଆଯିବା ଉଚିତ ବୋଲି ବିରୋଧୀ ଦାବି କରିଛନ୍ତି ।

ବୈଠକ ପରେ ଲୋକସଭା ବାଚସ୍ପତି ଓମବିର୍ଲା କହିଛନ୍ତି ଯେ, ବିଭିନ୍ନ ଦଳର ନେତା ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି, ଏସବୁକୁ ଧ୍ୟାନକୁ ନିଆଯାଇଛି । ଶୀତ ଅଧିବେଶନ ସଫଳ ହେବା ନେଇ ଆଶାବାଦୀ ଥିବା ବାଚସ୍ପତି କହିଛନ୍ତି । ସେପଟେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ରାଜ୍ୟସଭା ସାଂସଦମାନେ । ଡିସେମ୍ବର ୧୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଏହି ଅଧିବେଶନରେ ନାଗରିକତା ସଂଶୋଧନ ବିଲ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।