ସେଲଟର ହୋମକୁ ନେଇ ତେଜିଲା ରାଜନୀତି ! ଯୌନ ଶୋଷଣ ଅଭିଯୋଗ ପରେ ଜୋରଦାର ଚଢାଉ ।

99

କନକ ବ୍ୟୁରୋ : ସେବାଶ୍ରମରେ ଯୌନ ଶୋଷଣର ସାଂଘାତିକ୍ ଅଭିଯୋଗ ଆସିବାରେ ଘନେଇବାରେ ଲାଗିଛି ବିବାଦ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ ଉପରେ ଚଢ଼ାଉ କରାଯାଇଛି । ଆଉ ଏସବୁ ଭିତରେ ସେବା ନାଁରେ ଧର୍ମାନ୍ତିକରଣ ଭଳି ସମ୍ବେଦନଶୀଳ ଅଭିଯୋଗ ଆସିଛି । ସେଲଟର ହୋମରେ ଥିବା ଅନ୍ତେବାସୀଙ୍କୁ ଧର୍ମଗ୍ରନ୍ଥ ପଢ଼ିବାକୁ ଦେବା ସହ ଧର୍ମ ପରିବର୍ତନ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହିସବୁ ଅଭିଯୋଗର ଜବାବରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, ସରକାର ଚୁପ ବସିନାହାନ୍ତି ।

ସରକାରଙ୍କ ସ୍କାନରରେ ସେଲଟର୍ ହୋମ୍ । ସେଲଟର୍ ହୋମକୁ ନେଇ ତେଜିଲା ରାଜନୀତି । ଢ଼େଙ୍କାନାଳ ଗୁଡ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଂଟର ଭିତରେ ଯୌନ ନିର୍ଯାତନା ଅଭିଯୋଗ ହେବା ପରେ ଘନେଇବାରେ ଲାଗିଛି ବିବାଦ । କନକ ନ୍ୟୁଜରେ ଏ ନେଇ ଖବର ପ୍ରସାରଣ ପରେ ଗତକାଲି ସଂସ୍ଥାର ମୁଖ୍ୟ ଫୟାଜ ରହେମାନଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ପୁରୀ, ବରଗଡ଼, ବାଲେଶ୍ୱର, ଗଜପତି ପରେ ଏହି ସଂସ୍ଥା ଅଧୀନରେ ପରିଚାଳିତ ଅନ୍ୟ ସେଲଟର ହୋମ ଗୁଡିକ ଉପରେ ଚଢ଼ାଉ କରାଯାଉଛି । ଭଦ୍ରକ, ରାୟଗଡ଼ା, ବାଲେଶ୍ୱର, ବାଲିଗୁଡା, ଝାରସୁଗୁଡ଼ା ଆଦି ସ୍ଥାନରେ ଆଜି ତୁହାକୁ ତୁହା ଚଢ଼ାଉ ହୋଇଛି । ଜିଲ୍ଳପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ ଯାଇ ଗୁଡ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ୍ ଗୁଡିକର ଯାଂଚ କରୁଛନ୍ତି ।

ଧର୍ମାନ୍ତକରଣ ଅଭିଯୋଗ କରି ସରକାରଙ୍କୁ ଘେରିଲା ବିଜେପି । ଗୋଟିଏ ପଟେ ସେଲଟର୍ ହୋମ୍ ଗୁଡିକରେ ଚଢ଼ାଉ ଜାରି ରହିଥିବା ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲକୁ ଘେରିଛି ବିଜେପି । ଦଳ ଅଭିଯୋଗ କରିଛି, ମନ୍ତ୍ରୀ ଓ ପ୍ରଶାସନର ଜାଣତରେ ଚାଲିଥିଲା ନିର୍ଯାତନା । ସେଲଟର ହୋମ୍ ଆଢ଼ୁଆଳରେ ନାବାଳିକା, ନାବାଳକ ଚୋରାଚାଲାଣ ଓ ଧର୍ମାନ୍ତରୀକରଣ ଚାଲିଥିବା ଅଭିଯୋଗ କରାଯାଇଛି । ୨୦୧୫ରେ କଳାତାଲିକାଭୁକ୍ତ ହୋଇଥିବା ସଂସ୍ଥା ପୁଣି କେମିତି ୨୦୧୭ରୁ ଚାଲିଲା ବୋଲି ପ୍ରଶ୍ନ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଏହିସବୁ ଅଭିଯୋଗର ଜବାବରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, ସରକାର ଚୁପ ବସିନାହାନ୍ତି, ଚାଲିଛି କାର୍ଯ୍ୟାନୁଷ୍ଠାନ ।

ଗୁଡ୍ ନ୍ୟୁଜ ଇଣ୍ଡିଆ ସେଲଟର ହୋମରେ ଚାଲିଥିବା କେଳେଙ୍କରୀ ନେଇ ପ୍ରଥମେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା ଖବର । ସଂସ୍ଥାର ମୁଖ୍ୟ ଫୟାଜ ରହେମାନ କିପରି ବଢିଲା ଝିଅଙ୍କୁ ହଗ୍ କିସ୍ କରୁଥିଲେ, ଏ ନେଇ ଆଶ୍ରମର ଛାତ୍ରଛାତ୍ରୀ ଓ ରୋଷେୟା କରିଥିବା ଅଭିଯୋଗର ଭିଡିଓ ଦେଖାଇଥିଲା କନକ ନ୍ୟୁଜ୍ । ଏହା ପରେ ଆଶ୍ରମ ସ୍କୁଲ ନାଁରେ କ’ଣ ଚାଲିଛି, କିପରି ଦିଆଯାଉଛି ନିର୍ଯାତନା, ଆସିଥିଲା ଲୋକଲୋଚନକୁ । ସେହିପରି କନକ ନ୍ୟୁଜ ହାତରେ ଲାଗିଥିଲା ଏପରି ଏକ ସଂଗୀନ ଭିଡିଓ, ଯେଉଥିରେ କିଛି ନାବାଳିକା ଓ ନାବାଳକଙ୍କୁ ନିଜେ ଡୁବନ୍ ଦେଉଥିଲେ ଫୟାଜ ରହେମାନ୍ । ଅଭିଯୋଗ ହୋଇଥିଲା, ସେଲଟର୍ ହୋମର ଛାତ୍ରଛାତ୍ରୀଙ୍କୁ ଏପରି ପାଣିରେ ଡୁବାଇ ଧର୍ମାନ୍ତକରଣ କରୁଥିଲେ ଫୟାଜ ରହେମାନ୍ । ଏହା ପରେ ସରକାରଙ୍କର ଚେତା ପଶିଥିଲା । ଫୟାଜ ରହେମାନଙ୍କୁ ଗିରଫ କରାଯିବା ସହ ସବୁ ସେଲଟର୍ ହୋମରେ ଆରମ୍ଭ ହୋଇଛି ଚଢ଼ାଉ ।