ପଞ୍ଚାୟତ ସ୍ତରରେ ପହଞ୍ଚିବ ରାଜ୍ୟ ସରକାରଙ୍କ ‘ପିଠା’, ଏଣିକି ବାଟମାରଣା ହେବନି ସରକାରଙ୍କ ଯୋଜନା । ବିଭିନ୍ନ ଯୋଜନାର ସୁଫଳ ପାଇବେ ସାଧାରଣ ଲୋକ
କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପିଠା ଯୋଜନା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବା ଓ ଲୋକମାନଙ୍କ ପାଖରେ ଏହି ଯୋଜନା ଗୁଡିକୁ ପହଞ୍ଚାଇବା । ଖାସକରି ପିଠା ଯୋଜନାରେ ହିତାଧିକାରୀ ଯେମିତି ସମସ୍ତ ସରକାରୀ ଯୋଜନାର ଫାଇଦା ପାଇପାରିବେ ତାହା ଉପରେ ଫୋକସ ରଖାଯାଇଛି । ଖାସକରି ସରକାରଙ୍କ ଥ୍ରୀ-ଟି ଅନୁଯାୟୀ ଏହି ଯୋଜନା କାମ କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂଆ ସ୍କିମଟି ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ କାର୍ଯ୍ୟ କରିବ । ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ପିଠା ଯୋଜନାରେ ପ୍ରତି ମାସରେ ଏକ କ୍ୟାମ୍ପ ଆୟୋଜନ କରାଯିବ । ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହି କ୍ୟାମ୍ପ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବ । ଖାସକରି ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା ବାବଦରେ ଆଲୋଚନା କରାଯିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚାଇ ଦିଆଯିବ । ଆଉ ବ୍ଲକ ସ୍ତରର ଜଣେ ପର୍ଯ୍ୟବେକ୍ଷକ ଏହି ଯୋଜନାର ତଦାରଖ କରିବେ ।
ସବୁଠୁ ବଡ କଥା ହେଲା, ପ୍ରତି ମାସରେ ପିଠା ଯୋଜନାରେ ସଫଳତା ହାସଲ କରିଥିବା ପଞ୍ଚାୟତ ଗୁଡିକ ମଧ୍ୟରୁ ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । କ୍ୟାମ୍ପ ପରେ ଶ୍ରେଷ୍ଠ ପଞ୍ଚାୟତକୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ । ଏହାସହ ରାଜ୍ୟ ସ୍ତରୀୟ କ୍ୟାମ୍ପରେ ଶ୍ରେଷ୍ଠ ପଞ୍ଚାୟତ, ଶ୍ରେଷ୍ଠ ବ୍ଲକ ଓ ଶ୍ରେଷ୍ଠ ଜିଲ୍ଲାକୁ ସ୍ୱତନ୍ତ୍ର ଅନୁଦାନ ଦିଆଯିବା ସହ ପୁରସ୍କୃତ ମଧ୍ୟ କରାଯିବ । ଏହି ଯୋଜନା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାଟମାରଣା ନହୋଇ ଜନସାଧାରଣଙ୍କ ପାଖରେ ପହଞ୍ଚୁଏବଂ ଏହାର ଜନସାଧାରାଣ ଫାଇଦା ଉଠାନ୍ତୁ ।