ଶରଦ ଯାଦବଙ୍କ ଶକ୍ତି ପ୍ରଦର୍ଶନ ! ଟାର୍ଗେଟରେ ଏନଡିଏ ସରକାର

25

କନକ ବ୍ୟୁରୋ: ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିହାରରେ ମହାମେଣ୍ଟର ପତନ ଘଟାଇ ବିଜେପି ସହ ହାତ ମିଳାଇଥିବାରୁ ଏଥିରେ କ୍ଷୁବ୍ଧ ହୋଇଥିବା ଦଳର ବରିଷ୍ଠ ନେତା ଶରଦ ଯାଦବ ଗତକାଲି ଏନଡିଏ ସରକାରଙ୍କୁ ଟାର୍ଗେଟ୍ କରି ‘ସାଝା ବିରାସତ ବଚାଓ’ ସମାବେଶ ଆୟୋଜନ କରିଥିଲେ ।

ଏଥିରେ କଂଗ୍ରେସ ସମେତ ୧୭ଟି ବିରୋଧୀ ଦଳର ନେତାମାନେ ସାମିଲ ହୋଇ ମୋଦି ସରକାରକୁ କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ଉପାଧ୍ୟ ରାହୁଲ ଗାନ୍ଧୀ ଏହି ସମାବେଶରେ ଉଦବୋଧନ ଦେଇ କହିଛନ୍ତି ଯେ ମୋଦି ସରକାର ସ୍ୱଚ୍ଛ ଭାରତ କଥା କହୁଥିବା ବେଳେ ଲୋକେ ଏବେ ‘ସତ୍ୟ ଭାରତ’ ଦେଖିବାକୁ ଚାହୁଛନ୍ତି । ପ୍ରଧାନମନ୍ତ୍ରୀ ଲୋକଙ୍କୁ କେବଳ ମିଥ୍ୟା ଆଶ୍ୱାସନା ଦେଇଚାଲିଛନ୍ତି ଏବଂ ସରକାରଙ୍କ କଥା ଓ କାମରେ ବହୁତ ଫରକ ରହିଛି ବୋଲି ରାହୁଲ କହିଛନ୍ତି ।

ଯଦି ସମସ୍ତ ବିରୋଧୀ ଦଳ ଏକଜୁଟ ହୋଇ ଲଢ଼ିବେ, ତା’ହେଲେ ବିଜେପିର ପରାଜୟ ସୁନିଶ୍ଚିତ ବୋଲି ରାହୁଲ କହିଛନ୍ତି । ବିଜେପି ସର୍ବଦା ଦେଶରେ ସାଂପ୍ରଦାୟିକତାର ମଂଜି ବୁଣୁଛି ଏବଂ ଆରଏସଏସ୍ ସମସ୍ତ ଭାରତୀୟଙ୍କୁ ଗୋଟିଏ ଦୃଷ୍ଟିରେ ଦେଖୁନାହିଁ । ଆରଏସଏସ୍ ନେତାମାନେ ବିଭିନ୍ନ ଶୀର୍ଷ ପଦରେ ଅବସ୍ଥାପିତ ହେଉଛନ୍ତି ଏବଂ ଏହାର ଚିନ୍ତାଧାରା ସର୍ବଦା ଲୋକଙ୍କୁ ଅଲଗା କରିବା ପାଇଁ ଉଦ୍ଦିଷ୍ଟ ବୋଲି ରାହୁଲ କହିଛନ୍ତି । ଦେଶରେ ‘ ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ବିଫଳ ହୋଇଛି ଏବଂ ଭାରତରେ ଅଧିକ ‘ ମେଡ୍ ଇନ୍ ଚାଇନା’ ଜିନିଷ ଉପଲବ୍ଧ ହେଉଛି ବୋଲି ରାହୁଲ କହିଥିଲେ ।

ବିରୋଧୀ ଦଳଗୁଡ଼ିକର ଏହି ସମ୍ମେଳନରେ ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ୍ ଓ ନ୍ୟାସନନାଲ କନଫରେନସ ନେତାମାନେ ମଧ୍ୟ ଯୋଗ ଦେଇଥିଲେ । ଶରଦ ଯାଦବ ଏହି ଅବସରରେ କହିଥିଲେ ଯେ, ଏହି ସମାବେଶ ଦେଶକୁ ଏକଜୁଟ କରିବା ପାଇଁ ଏବଂ ୧୨୫ କୋଟି ଲୋକଙ୍କ ସ୍ୱାର୍ଥ ହାସଲ ପାଇଁ ଆୟୋଜନ କରାଯାଇଛି । ଏହା କୌଣସି ଦଳକୁ ଟାର୍ଗେଟ୍ କରି ହୋଇନାହିଁ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ନୀତୀଶ କୁମାରଙ୍କୁ ଖୋଲାଖୋଲି ସମାଲୋଚନା କରିବାପରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଜେଡିୟୁର ରାଜ୍ୟସଭା ନେତା ପଦରୁ ଶରଦଙ୍କୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କର ଦୃଢ଼ ସମର୍ଥକ କୁହାଯାଉଥିବା ୨୩ ଜଣ ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି ଯେ, ‘ପ୍ରକୃତ ଜେଡିୟୁ ଶରଦଙ୍କ ସହିତ ହିଁ ରହିଛି ଏବଂ ନୀତୀଶ କୁମାର ଏବେ ବିଜେପି ନେତା ପାଲଟି ଯାଇଛନ୍ତି’ ।