ଗୋରଖପୁର ଶିଶୁମୃତ୍ୟୁ ମାମଲାରେ ନୂଆ ମୋଡ଼ ! ଜିଲ୍ଲାପାଳଙ୍କ ରିପୋର୍ଟରେ ନାହିଁ ମୃତ୍ୟୁର କାରଣ

31

କନକ ବ୍ୟୁରୋ: ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜ ଶିଶୁମୃତ୍ୟୁ ଘଟଣାରେ ଯୋଗୀ ଆଦିତ୍ୟନାଥ ସରକାର ମୃତ୍ୟୁର କାରଣ ଭାବେ ଅକ୍ସିଜେନ ଯୋଗାଣକୁ ଏଡ଼ାଇ ଆସୁଥିବା ବେଳେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ସିଧାସଳଖ ଅକ୍ସିଜେନ ଯୋଗାଣକାରୀ ଦୋଷୀ ବୋଲି ଉଲ୍ଲେଖ କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତ୍ୟୁର କାରଣ କିନ୍ତୁ ଅସ୍ପଷ୍ଟ ରହିଥିବା କୁହାଯାଇଛି । ଜିଲ୍ଲାପାଳ ପ୍ରଦାନ କରିଥିବା ରିପୋର୍ଟରେ ଅକ୍ସିଜେନ କ୍ରୟ ଓ ରିଫିଲିଂ ନେଇ ଲଗବୁକର ଅନେକ ସ୍ଥାନରେ ଓଭରରାଇଟିଂ କରାଯାଇଥିବା କୁହାଯାଇଛି ।

ଅକ୍ସିଜେନ ଯୋଗାଣ ରୋକିବା ପାଇଁ ପୁଷ୍ପା ସେଲ୍ସକୁ ଦାୟୀ କରାଯାଇଛି । କୌଣସି ପରିସ୍ଥିତିରେ ପୁଷ୍ପା ସେଲ୍ସ ଅକ୍ସିଜେନ ଯୋଗାଣକୁ ବନ୍ଦ ନକରିବାର ଆବଶ୍ୟକ ଥିଲା । ଏହା ଜୀବନ ରକ୍ଷକ ହୋଇଥିବାରୁ ଏହାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବାର ଆବଶ୍ୟକତା ରହିଥିଲା । ସେହିପରି ଅଗଷ୍ଟ ୧୦ତାରିଖରେ ତତ୍କାଳୀନ ମେଡିକାଲ ଅଧ୍ୟକ୍ଷ ଆର୍ କେ ମିଶ୍ରା ଓ ଆନେସ୍ଥେସିଆ ବିଭାଗ ମୁଖ୍ୟ ଡକ୍ଟର ସତୀଶ କୁମାରଙ୍କ ଅନୁପସ୍ଥିତି ନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଛି । ଆର୍ କେ ମିଶ୍ରା ସେଦିନ ଅଫିସ ଆସିନଥିବା ବେଳେ ସତୀଶ କୁମାର କାହାକୁ ସୂଚନା ପ୍ରଦାନ ନକରି ମୁମ୍ବାଇ ଚାଲିଯାଇଥିଲେ ।

ସତୀଶ କୁମାର ବିଭିନ୍ନ ଓ୍ଵାର୍ଡରେ ଅକ୍ସିଜେନ ଯୋଗାଣର ଦାୟିତ୍ୱରେ କାର୍ଯ୍ୟ କରୁଥିଲେ । ଏପରିକି ସତୀଶଙ୍କ ନିକଟରେ ରଖାଯିବାକୁ ଥିବା ଲଗବୁକରେ ହସ୍ତାକ୍ଷର କିମ୍ବା ଟିପଚିହ୍ନ ମଧ୍ୟ ନଥିବା ରିପୋର୍ଟରେ ଦର୍ଶାଯାଇଛି । ଏହା ସିଧାସଳଖ ଲଗବୁକରେ ସିଲିଣ୍ଡର ସଂଖ୍ୟାର ଅନିୟମିତତା ଓ ଆର୍ଥିକ ହେରଫେରକୁ ଦର୍ଶାଉଥିବା କୁହାଯାଇଛି । ଅକ୍ସିଜେନ ଯୋଗାଣର ସମସ୍ୟା ନେଇ ସେମାନେ କାହା ସହ ଚର୍ଚ୍ଚା କରିଥିଲେ ହୁଏତ ଅଘଟଣକୁ ଏଡ଼ାଇ ଦିଆଯାଇପାରିଥାନ୍ତା । ଏହାସହ ମେଡିକାଲ ଅଧ୍ୟକ୍ଷ, ସିଏମଏସ୍ ରାମଶଙ୍କର ଶୁକ୍ଲା, ଶିଶୁରୋଗ ବିଶେଷଜ୍ଞ ମୁଖ୍ୟ ଓ ଏନସେଫାଲାଇଟ୍ସ ଓ୍ଵାର୍ଡ ଓଏସଡିଙ୍କ ମଧ୍ୟରେ ଆଦୌ ସମନ୍ଵୟ ରହିନଥିବା ରିପୋର୍ଟରେ କୁହାଯାଇଛି ।

ଅଗଷ୍ଟ ୧୦ତାରିଖରେ ବିଆରଡି ମେଡିକାଲ କଲେଜକୁ ଅକ୍ସିଜେନ ଯୋଗାଣ ବନ୍ଦ ହେବା ପରେ ୩୦ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଗତ ସପ୍ତାହକ ମଧ୍ୟରେ ୭୦ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି ।