ବନ୍ଦ ଗୃହରେ ବିଧାୟକ : ମୁଲତବୀ ପରେ ବି ବିଧାନସଭା ଭିତରେ ଏସସି-ଏସଟି ବିଧାୟକଙ୍କ ଅନଶନ ଜାରି

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୃହ ସୋମବାର ଯାଏଁ ମୁଲତବୀ । ହେଲେ ବାଚସ୍ପତିଙ୍କ ପୋଡିୟମ ତଳେ କିନ୍ତୁ ଧାରଣାରେ ବସି ରହିଛନ୍ତି ଆନ୍ଦୋଳନରତ ବିଧାୟକ । ବିଜେପି ଓ କଂଗ୍ରେସ ବିଧାୟକଙ୍କ ସହ ଯଦିଓ ଶାସକ ଦଳର ସଭ୍ୟ ସ୍ୱର ମିଳାଇ ଆନ୍ଦୋଳନର ବସୁ ନାହାନ୍ତି ତଥାପି ଦାବି ପ୍ରତି ସମର୍ଥନ ଦେଇଛନ୍ତି । ଓଆର୍ଭି ଆକ୍ଟ ଅଧୀନରେ ବୈଷୟିକ ଶିକ୍ଷାନୁଷ୍ଠାନରେ ୩୮ ପ୍ରତିଶତ ସଂରକ୍ଷଣ ଦାବିରେ ଅଡି ବସିଛନ୍ତି ବିଧାୟକ । ଦାବି ପୂରଣ ଜିଦରେ ଅଟଳ ଅଛନ୍ତି, ଆଉ ଅଧିବେଶନ ସରିବା ଯାଏଁ ଅନଶନରେ ବସିବେ ବୋଲି ସ୍ଥିର କରିଛନ୍ତି । ଅନ୍ୟ ରାଜ୍ୟରେ ଆଇନ କାର୍ଯ୍ୟକାରୀ ହୋଇ ସାରିଥିବା ବେଳେ ଏବେ ରାଜ୍ୟରେ ଏହାକୁ ଚୁଡାନ୍ତ ରୂପ ଦେବାକୁ ଅଂଟା ଭିଡିଛନ୍ତି ଅନୁସୂଚିତ ଜାତି ଜନଜାତି ସଦସ୍ୟ । ଦାବି ପୂରଣ ପାଇଁ ସୋମବାର ସବୁ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ କରାଯିବା ନେଇ ତିଆରି ହୋଇଛି ବ୍ଲୁ-ପ୍ରିଂଟ ।

ଓଆରଭି ଆକ୍ଟରେ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସସି/ଏସଟି ଜନସଂଖ୍ୟା ଅନୁପାତରେ ବର୍ଷେ ହେଲା ସରକାରୀ କଲେଜରେ ୩୮ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି । ହେଲେ ଇଂଜିନିୟରିଂ ଓ ମେଡିକାଲ୍ ଭଳି ବୈଷୟିକ ଶିକ୍ଷାରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇନାହିଁ । ସେହିଭଳି ପଦୋନ୍ନତି ଓ କେତେକ ଜିଲ୍ଲାରେ ନାମ ଭିତିରେ ସଂରକ୍ଷଣରେ ଥିବା ଅସଂଗତି ଦୂର କରିବା ଦାବି ଦୋହରାଇଛନ୍ତି ବିଧାୟକ ।

୧୯୯୨ରୁ ବିଧାୟକମାନେ ଓଆରଭି ଆକ୍ଟ ଭିତିରେ ସବୁ ସ୍ତରରେ ସଂରକ୍ଷଣ କରିବା ପାଇଁ ଦାବି କରିଆସୁଛନ୍ତି । ବଜେଟ ସେସନର ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ବାହାରେ ଓ ଭିତରେ ବସିଛନ୍ତି ଧାରଣାରେ । ଏପରିକି ଦାବି ହାସଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଡିଛନ୍ତି । ଗୃହ ବାହାରେ ବସିଥିବା ବେଳେ ସୁରକ୍ଷାକର୍ମୀ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସାମ୍ନାରୁ ବିଧାୟକଙ୍କୁ ଉଠାଯାଇଛି । ଏତେ ସବୁ ପରେ ବି ନା ଦାବି ପୂରଣ ହେଉଛି, ନା ଆନ୍ଦୋଳନ ଭାଙ୍ଗୁଛି ।