ଧର୍ମଘଟ ପାଇଁ ଆଜି ବି ଶିକ୍ଷାନୁଷ୍ଠାନରେ ତାଲା । ରାଜ୍ୟର ୨୨ଟି ଜିଲ୍ଲାରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା

313

କନକ ବ୍ୟୁରୋ: ଆଜି ରାଜ୍ୟର ୨୨ଟି ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ୍ ରହିବ । ଧର୍ମଘଟର ଦ୍ୱିତୀୟ ଦିନ ହୋଇଥିବାରୁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ୍ ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସୂଚନା ଅନୁଯାୟୀ ଖୋର୍ଧା, ଅନୁଗୁଳ, ପୁରୀ, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡା, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ନୂଆପଡା, କେନ୍ଦୁଝର, କଟକ, ବଲାଙ୍ଗୀର, ବୌଦ୍ଧ ଓ ଗଜପତି ଆଜି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ୍ କରାଯାଇଛି । ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ୍ ରହିବ ।

 

ଧର୍ମଘଟ ଡାକରା ଯୋଗୁଁ ପ୍ରଥମ ଦିନରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଅଙ୍ଗନୱାଡି କେନ୍ଦ୍ର ବନ୍ଦ୍ ରଖିବାକୁ ପୂର୍ବରୁ ଘୋଷଣା କରିଥିଲେ ରାଜ୍ୟ ସରକାର । ତେଣୁ ଗତକାଲି ଏହିସବୁ ଶିକ୍ଷାନୁଷ୍ଠାନ ଖୋଲିନଥିଲା । ଦ୍ୱିତୀୟ ଦିନରେ ଆଜି ହରତାଳ ଜାରି ରହୁଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନା ଖୋଲା ରହିବ ସେନେଇ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଥିଲା । ଉଭୟ ବିଭାଗରୁ ଚିଠି ମିଳିବା ପରେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ବନ୍ଦ ଘୋଷଣା କରିଛନ୍ତି ।

ମୋଦି ହଟାଅ, ଦେଶ ବଂଚାଅ ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ଧର୍ମଘଟର ପ୍ରଭାବ ସାରା ରାଜ୍ୟରେ ପଡିଥିଲା । ଦିନତମାମ ସବୁକିଛି ଠପ୍ ହୋଇଯାଇଥିଲା । ବସ୍, ଅଟୋ ଚଳାଚଳ ବନ୍ଦ୍ ହେବା ଯୋଗୁଁ ଗମନାଗମନ ବ୍ୟବସ୍ଥା ଭୀଷଣ ପ୍ରଭାବିତ ହୋଇଥିଲା । ରାଜ୍ୟର ପ୍ରମୁଖ ସହରାଂଚଳରେ ଦୋକାନବଜାର ବନ୍ଦ୍ ରହିଥିଲା । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରାସ୍ତାଗୁଡିକରେ ଗାଡିମୋଟର ଯାତାୟତ କରିପାରିନଥିଲା । ତେବେ କିଛି ସ୍ଥାନରେ ଛୋଟ ଛୋଟ ଗଣ୍ଡଗୋଳ ହୋଇଥିଲେ ବି ବଡ ଧରଣର ହିଂସାକାଣ୍ଡ ଦେଖିବାକୁ ମିଳିନଥିଲା । ଆଜି ମଧ୍ୟ ହରତାଳ ଜାରି ରଖିଛନ୍ତି ଶ୍ରମିକ ସଂଗଠନ ।