ଭୁଶୁଡ଼ି ପଡିଛି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ! ସ୍କୁଲ ଅଛି, ହେଲେ ଶିକ୍ଷକ ନାହାଁନ୍ତି

36

କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଛି । କେଉଁଠି ଭଙ୍ଗା ଶ୍ରେଣୀ ଗୃହରେ ବିପଦ ସଙ୍କୁଳ ଅବସ୍ଥାରେ ପିଲା ପାଠ ପଢୁଛନ୍ତି । ସ୍କୁଲ ଅଛି, ହେଲେ ଶିକ୍ଷକ ନାହାଁନ୍ତି । ଛାତ୍ରଛାତ୍ରୀ ଅଛନ୍ତି, ହେଲେ ପଢାଇବାକୁ କେହି ନାହାଁନ୍ତି । କାଳେ ସ୍କୁଲ ଚୋରି ହୋଇଯିବ ସେହି ଭୟରେ ପ୍ରଶାସନ କେବଳ ରାତ୍ର ଜଗୁଆଳିଟିଏ ନିଯୁକ୍ତି ଦେଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନରେ ଏମିତି ଢଙ୍ଗରେ ଚାଲିଛି ଶିକ୍ଷକ ତାଲିମ୍ । ଶିକ୍ଷକ ନଥିବାରୁ ଶିକ୍ଷକ ହେବା ପାଇଁ ତାଲିମ୍ ନେବାକୁ ଆସିଥିବା କିଛି ପିଲା ସ୍କୁଲ ଛାଡି ଚାଲିଗଲେଣି ।

୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ବାଲିଗୁଡା ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ଉଦଘାଟନ କରିଥିଲେ । ଏବେ ଏହି ସ୍କୁଲର ଦାୟିତ୍ୱରେ ଅଛନ୍ତି ଟିକାବାଲି ଡିଆଇଇଟିର ପ୍ରିନ୍ସିପାଲ । ଏପଟେ ଅବ୍ୟବସ୍ଥା ସଂପର୍କରେ ପ୍ରଶାସନ ପାଖରେ ମଧ୍ୟ ଖବର ନାହିଁ । ସେପଟେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ନହନ୍ତରା ଗାଁ ହାଇସ୍କୁଲରେ ଅବ୍ୟବସ୍ଥାରେ ଚାଲିଛି ପାଠପଢା । ଫଟା କାନ୍ଥ, ବିପଦ ସଂକୁଳ ଶ୍ରେଣୀଗୃହ ଯୋଗୁଁ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି । ବର୍ଷା ଦିନ ହୋଇଥିବାରୁ ଯେକୌଣସି ମୁର୍ହୂତ୍ତରେ କାନ୍ଥ ଭୁଶୁଡି ଅଘଟଣ ଘଟିବାର ଆଶଙ୍କା ମଧ୍ୟ ରହିଛି । ତୁରନ୍ତ ସରକାର ବିଦ୍ୟାଳୟ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି । ଶିକ୍ଷାର ପ୍ରସାର ଓ ମାନବୃଦ୍ଧି ପାଇଁ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି । ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ଗ୍ରାମାଂଚଳରେ ଏହାର ସୁଫଳ ମିଳିପାରୁ ନାହିଁ ।

ଦେଖନ୍ତୁ ଏହି ଭିଡିଓ –