‘ଏକାଠି ହେବା ଗଣତନ୍ତ୍ରର ମୂଳମନ୍ତ୍ର’ : ସତ୍ୟବାଦୀ ମହୋତ୍ସବର ଉଦଯାପନୀ ଉତ୍ସବରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ

75

କନକ ବ୍ୟୁରୋ: ବିଭିନ୍ନତା ମଧ୍ୟରେ ଏକତା ଭାରତୀୟ ଅସ୍ମିତାର ପରିଚୟ । ଠିକ ସେହିଭଳି ଏକାଠି ହେବା ମଧ୍ୟ ଗଣତନ୍ତ୍ରର ମୂଳମନ୍ତ୍ର । ପଂଚସଖା ମୁକ୍ତାକାଶ ରଙ୍ଗମଂଚରେ ଆୟୋଜିତ ସତ୍ୟବାଦୀ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଭାରତରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ଦେଖାଦେଇଥିବା ଦେଶପ୍ରୀତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଏକାଠି ହୋଇ ଯଦି କିଛି ନିଷ୍ପତି ନିଆଯାଏ ତାକୁ କେହି ଅଟକାଇପାରିବେ ନାହିଁ । ରାଜ୍ୟରେ ଦାରିଦ୍ର‌୍ୟ ଦୂରୀକରଣ ପାଇଁ ସମସ୍ତେ ଏକ ହୋଇ ସଂକଳ୍ପନେବାକୁ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ସତ୍ୟବାଦୀ ମହୋତ୍ସବର ପ୍ରାରମ୍ଭରେ ପ୍ରଥମେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ଅବସରରେ ସୁରେନ୍ଦ୍ର ସ୍ମୃତି ସଂସଦ ପକ୍ଷରୁ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ପଞ୍ଚଶଖା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅନୁଷ୍ଠାନର ପତ୍ରିକା ‘ତମାଳ’ ଉନ୍ମୋଚିତ ହୋଇଥିଲା। ଏଥି ସହିତ ସତ୍ୟବାଦୀ ଅଞ୍ଚଳର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଂଜନ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହୋତ୍ସବ କମିଟିର ସଂପାଦକ ଜାନକୀ ବଲ୍ଲଭ ବରାଳ ଧନ୍ୟବାଦ ଦେଇଥିଲେ।