ମାତ୍ର ୫ ଦିନରେ ୪୬ ବୀରପୁତ୍ରକୁ ହରାଇଛି ଭାରତ ! ପାକିସ୍ତାନ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?

185

କନକ ବ୍ୟୁରୋ : ମାତ୍ର ୫ ଦିନରେ କାଶ୍ମୀରରେ ୪୬ ଜଣ ଯବାନ ସହିଦ ହୋଇଛନ୍ତି । ଜମ୍ମୁ-କଶ୍ମୀର ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ମୃତ୍ୟୁକୁ ଭୁଲିନି ଦେଶ । ଏପରିସ୍ଥଳରେ ଆଜି ଆଉ ୫ ଜଣ ଯବାନ ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଛନ୍ତି । ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦୁଇ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ । ଆଇଡିକୁ ନିଷ୍କିୟ କରିବାକୁ ପ୍ରୟାସ କରୁଥିବାବେଳେ ବିସ୍ଫୋରଣ ଘଟି ମେଜର ଚିତ୍ରେଶ ବିଷ୍ଟ ସହିଦ୍ ହୋଇଥିଲେ ।

ଆଉ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଆଜି ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ଓ ଗୁଲଜାର ମହମ୍ମଦ ସହିଦ ହୋଇଛନ୍ତି । ଏହା ସହିତ ୨ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ଗୁଳିବିନିମୟରେ ମୃତ୍ୟୁବରଣ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ପୁଲୱାମା ଆକ୍ରମଣର ପ୍ରଥମ ପ୍ରତିଶୋଧ ନେଇଛି ଭାରତୀୟ ସେନା । ଶେଷରେ ମଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଛି ସେନା । ତେବେ ଏହି ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ଏହି ଦୁଇଜଣ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାରେ ଜଡିତ ଦୁଇ ଆତଙ୍କବାଦୀ କାମରାନ ଓ ଗାଜି ରସିଦ୍ ବୋଲି ଅନୁମାନ କରାଯାଉଛି ।