ନିଜ ନିର୍ବାଚନ ମଣ୍ଡଳୀରେ ଅଲୋଡା ହେଲେଣି କି ବୈଜୟନ୍ତ? ସବୁଠି ବିରୋଧ ଆଉ ବିବାଦ !

36

ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡା ସାଂସଦ । ବିଜୁ ଜନତା ଦଳର ଅଭିଜ୍ଞ ରାଜନେତା । ହେଲେ ନିଜର ଆଭିମୁଖ୍ୟ ଓ ମତାମତ ନେଇ ସବୁବେଳେ ବିବାଦ ଆଉ ଚର୍ଚ୍ଚାରେ ରହୁଥିବା ଏହି ନେତା ଜଣକ ନିଜ ନିର୍ବାଚନ ମଣ୍ଡଳୀରେ ଲଗାତର ଭାବେ ହେଉଛନ୍ତି ବିରୋଧର ଶିକାର । କେତେବେଳେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ରାଜନୈତିକ ଶତ୍ରୁତା ତ ପୁଣି କେତେବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଲୋକଙ୍କର ବିରୋଧର ଶିକାର ହେବା । ଏପରିକି ନିଜ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସାଥ୍ ପାଉନାହାନ୍ତି ବୈଜୟନ୍ତ ।

ପୁଣି ଚର୍ଚ୍ଚାକୁ ଆସିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ଆସିଥିବା ଖବର । ଉଦଘାଟନ ପୂର୍ବରୁ ଭାଙ୍ଗି ଦିଆଗଲା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ ଫକଳ । କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଏଭଳି କାଣ୍ଡକୁ ନେଇ ଜୋର ଧରିଛି ରାଜନୀତି । ଜାତିପାରିଲୋ ଗାଁରେ ସାଂସଦ ପାଣ୍ଠିରୁ ନିର୍ମିତ ଏକ ଓଭର ହେଡ ପାଣି ଟାଙ୍କିକୁ ମଙ୍ଗଳବାର ଉଦଘାଟନ କରିଥାନ୍ତେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ହେଲେ ଏହା ପୂର୍ବରୁ ପାଣିଟାଙ୍କି ନିକଟରେ ଲଗାଯାଇଥିବା ସାଂସଦଙ୍କ ନାମଫଳକକୁ କେହି ଦୁର୍ବୃତ ଭାଙ୍ଗି ଦେଇଛନ୍ତି ।

ସେପଟେ ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକ କହିଛନ୍ତି, ଯଦି ସାଂସଦଙ୍କ ସହ ବିଧାୟକ କାର୍ଯ୍ୟକ୍ରମକୁ ନଆସନ୍ତି ତେବେ ବିରୋଧ କରାଯିବ । ଏଥିରୁ କେନ୍ଦ୍ରାପଡା ସାଂସଦ ଓ ମାହାଙ୍ଗି ବିଧାୟକଙ୍କ ଭିତରେ ଏକ ବଡଧରଣର ବିବାଦ ରହିଥିବା ସ୍ପଷ୍ଟ ହୋଇଛି । ତେଣୁ ନାମଫଳକ ଷ୍ଟାଣ୍ଡପୋଷ୍ଟ ଭାଙ୍ଗିବା ପଛରେ କାହାର ହାତ ରହିଛି ତାକୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତେବେ ଏହି ବିବାଦ ପରେ ନିଜ ଚିରାଚରିତ ଢଙ୍ଗରେ ଟ୍ୱିଟ୍ ଜରିଆରେ ନିଜ କାର୍ଡ ଖେଳିଛନ୍ତି ବୈଜୟନ୍ତ । କହିଛନ୍ତି, ପୁଣି ଦଳୀୟ ରାଜନୀତିରେ ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି । ହେଲେ ମୁଁ ଏହା ସାମ୍ନାରେ କେବେ ବି ମୁଣ୍ଡ ନୁଆଁଇବିନି । ମାହାଙ୍ଗାରେ ସାଂସଦ ପାଂଠିରେ ତିଆରି ହେଉଥିବା ପ୍ରକଳ୍ପକୁ ଭାଙ୍ଗି ଦିଆଗଲା, ଯାହା କାଲି ଉଦଘାଟନ ହେବାର ଥିଲା । ମୁଁ ସେଠାକୁ ଯିବି ।

ଖାଲି ଏତିକି ନୁହେଁ, ତୁରନ୍ତ ଆସିଥିଲା ଦ୍ୱିତୀୟ ଟ୍ୱିଟ୍ । ଯେଉଁଥିରେ ଲେଖାଥିଲା, ଗତବର୍ଷ ମୋ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିଥିଲା । ହେଲେ ମୁଁ ସେଠାକୁ ଯାଇ ଗୁଣ୍ଡାଙ୍କ ବିରୋଧରେ କହିଥିଲି । ଯାହାପରେ ଲୋକେ ପଂଚାୟତ ନିର୍ବାଚନରେ ସେମାନଙ୍କୁ ଶାସ୍ତି ଦେଲେ ।

ବୈଜୟନ୍ତଙ୍କ ଏହି ଦୁଇଟି ଟ୍ୱିଟ୍ ଏବେ ଦଳୀୟ ରାଜନୀତିକୁ ପୁଣି ହଲଚଲ କରିଛି । କୁହାଯାଉଛି, କେନ୍ଦ୍ରାପଡା ସାଂସଦ ଗତ କିଛିଦିନ ଭିତରେ ଦେଖାଇଥିବା ଆଭିମୁଖ୍ୟ ତାଙ୍କ ମୂଳକୁ ଦୋହଲାଇ ଦେଇଛି । ଦଳୀୟ ନେତାଙ୍କୁ ଅଡୁଆରେ ପକାଇବା ଭଳି ଟ୍ୱିଟ୍, ନେତାଙ୍କୁ ସମାଲୋଚନା କରିବା, ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଦଳୀୟ ଫୋରମ ବାହାରେ ମତାମତ ଦେବା ଭଳି ପ୍ରସଙ୍ଗ କେନ୍ଦ୍ରାପଡା ରାଜନୀତିରେ ତାଙ୍କ ସ୍ଥିତିକୁ ଦୁର୍ବଳ କରିଛି ।

ପୂର୍ବରୁ ଅତନୁଙ୍କ ସହ ତାଙ୍କ ବିବାଦ ଥିବା ବେଳେ, ଏବେ ଏହା ପ୍ରତାପ ଜେନାଙ୍କ କ୍ଷେତ୍ରରେ ଦେଖାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଖାଲି ଏତିକି ନୁହେଁ, ସ୍ଥାନୀୟ ବିଧାୟକ କିଶୋର ତରାଇଙ୍କର ମଧ୍ୟ ବୈଜୟନ୍ତ୍କ ସହ ଆଉ ସ-ସଂପର୍କ ନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ସାଂସଦ ବିଜେପି ଆଡକୁ ଢଳୁଥିବା ବେଳେ, ବିଜେଡି ଭିତରେ ତାଙ୍କର ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ଦଳ ବିରୋଧରେ ଲଗାତର ମନ୍ତବ୍ୟ ଦେବା ପରେ ତାଙ୍କୁ ସଂସଦୀୟ ଦଳ ମୁଖପାତ୍ର ପଦରୁ ନବୀନ ହଟାଇ ଦେଇଥିଲେ । ଯାହା ତାଙ୍କର ଦଳ ଭିତରେ ଦୁର୍ବଳ ହେଉଥିବା ସ୍ଥିତିର ପ୍ରମାଣ ।

ତେବେ ବଡ କଥା ହେଉଛି, ନା ଦଳ ଭିତରେ, ନା ଜିଲ୍ଲା ରାଜନୀତିରେ ଏବେ ପ୍ରଭାବୀ ଅଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଏବେ ନଜର ଆଗାମୀ ଦିନରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଏହି ଅଭିଜ୍ଞ ରାଜନେତା ।