ଦିନରେ ଲୋକାର୍ପଣ, ରାତିରେ ଚୋରୀ !

29

କନକ ବ୍ୟୁରୋ : ଦିନରେ ଲୋକାର୍ପଣ ରାତିରେ ଚୋରୀ । ଏଭଳି ଘଟଣା ରାଉରକେଲାରେ ନଜରକୁ ଆସିଛି । ଗତକାଲି ମାରାଥନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଆରଜିଏଚ କ୍ୟାମ୍ପସରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃଶିଶୁ ଚିକିତ୍ସାଳୟ ଲୋକାର୍ପିତ କରିଥିଲେ । ଲୋକାର୍ପଣ ଉତ୍ସବରେ ସଜେଇ ହୋଇଥିଲା ଏମସିଏଚ୍ ବିଲ୍ଡିଂ । କିନ୍ତୁ ଲୋକାର୍ପଣ ଉତ୍ସବ ପରେ ଏହି ବିଲ୍ଡିଂର ବାସ୍ତବ ଚିତ୍ର ଏବେ ସାମ୍ନାକୁ ଆସିଛି । ଲୋକର୍ପଣ ହେବାର ରାତିରେ ହିଁ ଏଠାରୁ ବିଭିନ୍ନ ସାନିଟାରୀ ସାମଗ୍ରୀ ଚୋରି ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଗତକାଲି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ମେଡିକାଲକୁ ଲୋକର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୧୪ କୋଟି ୮୬ ଲକ୍ଷ ଟଙ୍କାରେ ନିର୍ମିତ ଏହି ବିଲ୍ଡିଂଟି ଲୋକାପର୍ଣ ସମୟରେ ବେଶ ଚମକୁଥିଲା । କିନ୍ତୁ ୧୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ ଭିତରେ କେଉଁ ସବୁ ସୁବିଧା ରହିଛି ତାହା ଜାଣିବାକୁ ଆମ କନକ ନ୍ୟୁଜ ଟିମ୍ ଆଜି ଏମସିଏଚ୍ ବିଲ୍ଡିଂରେ ପହଞ୍ଚଥିଲା । ବାହାରକୁ ବେଶ ଚମକି ଉଠୁଥିଲା ବିଲ୍ଡିଂ । କିନ୍ତୁ ଭିତରେ ପହଞ୍ଚିବା ପରେ ସବୁକିଛି ପାଣିଫଟୋକା ପରି ମିଳେଇଯାଇଥିଲା । ବିଲ୍ଡିର ବାସ୍ତବ ଚିତ୍ର ଲୋକଙ୍କୁ ଅନ୍ଧାରରେ ରଖି ବିନା ଅବଶ୍ୟକ ଭିତ୍ତିଭୂମିରେ ଏହି ମେଡିକାଲକୁ ଲୋକାର୍ପଣ କରାଯାଇଥିଲା ।

୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲରେ କେଉଁଠି ବି ଗୋଟିଏ ବେଡ ଦେଖିବାକୁ ମିଳିନଥିଲା । ବିଲ୍ଡିଂକୁ ବିଦ୍ୟୁତ ସଂଯୋଗ ନଥିବା ବେଳେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । କିନ୍ତୁ ଏସବୁ ସତ୍ତେ୍ୱ ମଧ୍ୟ ତରବରିଆ ଭାବେ ଏହି ମେଡିକାଲକୁ ଲୋକାର୍ପିତ କରାଯାଇଛି । ସବୁଠାରୁ ଆଶ୍ଚଯ୍ୟ କଥା ହେଉଛି, ଠିକାସଂସ୍ଥା ନିର୍ମାଣ କରିଥିବା ବିଲ୍ଡିଂକୁ ହସ୍ତାନ୍ତର ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ପୂର୍ତ୍ତବିଭାଗ କିମ୍ବା ଆଇଜିଏଚ୍ କର୍ତ୍ତୃପକ୍ଷ ଗ୍ରହଣ କରୁନଥିବା ଜଣାପଡିଛି ।

ଅନ୍ୟପକ୍ଷରେ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ସରିଥିଲେ ହେଁ ଆହୁରି ଅନେକ କାର୍ଯ୍ୟ ବାକି ରହିଥିବା ସ୍ୱୀକାର କରିଛନ୍ତି ଉଭୟ ପୂର୍ତ୍ତ ବିଭାଗ ଓ ଆଇଜିଏଚ୍ କର୍ତ୍ତୃପକ୍ଷ । ତେବେ ଚୋରୀ ପ୍ରସଙ୍ଗରେ ଠିକାସଂସ୍ଥାକୁ ଦୋଷ ଦେଇଛନ୍ତି ଉଭୟ ବିଭାଗର କର୍ତ୍ତୃପକ୍ଷ । ଯେହେତୁ ବିଲ୍ଡିଂଟି ତାଙ୍କୁ ହସ୍ତାନ୍ତର କରାଯାଇ ନାହିଁ ତେଣୁ ବିଲ୍ଡିଂର ସୁରକ୍ଷା ଠିକା ସଂସ୍ଥାର ବୋଲି ସଫେଇ ଦିଆଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇନଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବା କେତେଦୂର ଠିକ୍ ଏବେ ତାକୁ ନେଇ ପ୍ରଶ୍ନ ଉଠିଛି ।