କନକ ବ୍ୟୁରୋ : ଦାମଙ୍କ ମୁହଁରେ ଦମଦାର ଖବର । ବିଜେଡି ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, କଂଗ୍ରେସର ସହଯୋଗ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି ବିଜେଡି । ମୋଦିଙ୍କ କାର୍ଯ୍ୟଧାରାରେ ଖପ୍ପା ବିଜେଡି, ଜାତୀୟସ୍ତରରେ ବିଜେପିର ଏକ ନମ୍ବର ଶତ୍ରୁ କଂଗ୍ରେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି । ତେବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ସହମତିରେ ଦାମ ଏଭଳି ମନ୍ତବ୍ୟ ଦେଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଦାମଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଦିନତମାମ ଆଜି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସଚ୍ଚିବାଳୟରେ ନିଜ ପ୍ରକୋଷ୍ଠରେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କିଛି ନିଆରା ଢଙ୍ଗରେ କଥା ଆରମ୍ଭ କଲେ । ବିଜେପି ଓ କଂଗ୍ରେସ ଠାରୁ ସମଦୁରତ୍ୱ କହି ବାରମ୍ବାର ଓଡିଶାବାସୀଙ୍କ ଆସ୍ଥାଭାଜନ ହେଉଥିବାବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଅଛୁଁଆ ନୁହେଁ କଂଗ୍ରେସ । ବାରମ୍ବାର ବିବାଦୀୟ ବୟାନ ଦେଇ ଦଳକୁ ଅଡୁଆ ଭିତରକୁ ଟାଣି ନେଉଥିବା ମନ୍ତ୍ରୀ ଦାମୋଦର ରାଉତ ରାଜ୍ୟ ରାଜନୀତିରେ ନୂଆସମୀକରଣ ଆଡକୁ ଇସାରା କରିଛନ୍ତି । କହିଲେ, ଅଣବିଜେପି ଦଳଙ୍କ ସହଯୋଗ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି ବିଜୁ ଜନତା ଦଳା କିଛି ସମୟ ପରେ ସ୍ପଷ୍ଟ କଲେ ଯେଉଁ ଅଣ ବିଜେପି ଦଳ କଥା ସେ କହୁଛନ୍ତି, ସେ ହେଉଛି କଂଗ୍ରେସ । ତେବେ ଦାମଙ୍କ ଏଭଳି ବୟାନ ପଛର କାରଣ ସେ ନିଜେ ଖୋଲିଥିଲେ । କାହିଁକି କଂଗ୍ରେସ ସହ ମେଣ୍ଟ କଥା ଚିନ୍ତା କରୁଛନ୍ତି ବୋଲି ତାହାର ଗୁମର ଖୋଲିଥିଲେ ଦାମ । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଶୈଳୀରେ ସହମତ ହୋଇପାରୁନାହିଁ ବିଜେଡି ଏବଂ ଜାତୀୟ ଦୃଶ୍ୟପଟରେ ବିଜେପିର ଏକ ନମ୍ବର ଶତ୍ରୁ କଂଗେସ ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛି ଦଳ ।
ଏହାସହ ଦାମ ଆଉ ଏକ ପାଦ ଆଗକୁ ଯାଇ କହିଛନ୍ତି, ଯଦି ବୁଝାମଣା ଆଗକୁ ଯାଏ ତେବେ ଯେଉଁ ଆସନରେ କଂଗ୍ରେସ ଜିତିବାର ସମ୍ଭାବନା ରହିଛି । ସେହି ଆସନ ଗୁଡିକ ବିଜେଡି ଛାଡି ଦେଇପାରେ । ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ ଏହା ଦାମଙ୍କ ବୟାନ ନା ଦଳୀୟ ବୟାନ । ପ୍ରକୃତରେ ଯଦି ବିଜେଡି ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଏ, ତେବେ କଂଗ୍ରେସର ଆଭିମୁଖ୍ୟ କଣ ରହିବ? ଏହାଛଡା ଯଦି ଦାମଙ୍କ ପ୍ରସ୍ତାବ ଅନୁସାରେ କଥା ଆଗକୁ ବଢେ ତେବେ ରାଜ୍ୟ ତଥା ଜାତୀୟ ରାଜନୀତିର ସମୀକରଣରେ ଏକ ବିରାଟ ପରିବର୍ତ୍ତନ ଆସିପାରେ ।
ଦାମଙ୍କ ବୟାନ ଉପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଦାମଙ୍କ ଏହା ବ୍ୟକ୍ତିଗତ ମନ୍ତବ୍ୟ । ବିଜେଡିର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏହା ଦାମଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି ।