ଜୟପୁରରେ ବଡ ଘୋଟାଲା ! ସାଗର ସଫେଇ ନାଁରେ ଠକେଇ

51

କନକ ବ୍ୟୁରୋ : ସାଗର ସଫେଇ ନାଁରେ ଠକେଇ । ଠିକାଦାର ଟେଣ୍ଡର ପାଇ କାମ କରିବା ଆଗରୁ ଜିଲ୍ଳା ପ୍ରସାଶନ କରୁଛି ସଫେଇ । ପଦାରେ ପଡ଼ିଲା କ୍ଷୁଦ୍ର ଜଳ ସମ୍ପଦ ବିଭାଗର ଭିତିରି କଥା । ଗୋଟିଏ ପଟେ କାମ ଅନ୍ୟପଟେ ୪୦ ଲକ୍ଷ ଟଙ୍କାର ଟେଣ୍ଡର । ଜିଲ୍ଳା ପ୍ରଶାସନର ସମସ୍ତ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଳାପାଳଙ୍କ ନେତୃତ୍ୱରେ ସାଗର ସଫେଇ କାମ ଚାଲିଛି । କୋରାପୁଟ ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଜଗନ୍ନାଥ ସାଗରକୁ ସଫା କରାଯାଉଛି । ଯେତେ ଖରା ହେଲେ ବି କେବେ ଏହି ସାଗର ସୁଖି ନାହିଁ । ସହରକୁ ଜଳ ଯୋଗାଉଥିବାଏହି ସାଗର ଏବେ ଦଳରେ ପୋତି ହୋଇପଡିଥିବା ବେଳେ ସଫା କରିବା ପାଇଁ ସରକାରଙ୍କ ପକ୍ଷରୁ ୨ କୋଟିରୁ ଉର୍ଦ୍ଧ ଟଙ୍କା ଯୋଗାଇଥିଲେ । ହେଲେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ଯୋଗୁଁ ସାଗର ସଫେଇରେ କୌଣସି ଆଖିିଦୃଶିଆ କାମ ହୋଇ ନାହିଁ କିନ୍ତୁ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ଜଣାପଡିଛି ।

ଜୟପୁର ସହରର ଲାଇଫ ଲାଇନ୍ ଜଗନ୍ନାଥ ସାଗର । ୧୭୯୧ ମସିହାରେ ୧୫୭.୭୭ ଏକର ଜାଗାରେ ରାଜା ବିକ୍ରମ ଦେବ ସିଂଦେଓ ଏହି ସାଗର ଖୋଳିଥିଲେ । ୧୦ ମିଟର ଗଭିର ସାଗର ତହସିଲ ଖାତା ପ୍ଳଟ ନଂ-୧୪୦୪, ୧୭୮୯, ୧୭୮୪ରେ ରହିଛି । ଜଗନ୍ନାଥ ସାଗରକୁ ଅସ୍ଥାୟୀ ଭାବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି । ସାଗରର ଦଳ ସଫା କରିବା ପାଇଁ କ୍ଷୁଦ୍ର ଜଳସମ୍ପଦ ବିଭାଗ ପକ୍ଷରୁ ୩୯,୦୮୦ ହଜାର ଟଙ୍କାର ଟେଣ୍ଡର ହୋଇଛି ।

ସାଗର ସଫେଇ ନେଇ ଠିକାଦାର ନିୟୋଜିତ ହୋଇଛନ୍ତି । କିନ୍ତୁ ଏନେଇ ଜିଲ୍ଲାପଳଙ୍କ ପାଖରେ କୌଣସି ଖବର ନାହିଁ । ତେଣୁ ଜିଲ୍ଳାପାଳ ଜିଲ୍ଳାର ସମସ୍ତ ଅଧିକାରୀଙ୍କ ସହଯୋଗ ନେଇ ସରକାରୀ କର୍ମଚାରୀ , ଓଡ଼୍ରାଫ ଟିମ, ଜୟପୁର ମ୍ୟୁନିସିପାଲଟିର ସଦସ୍ୟ ସାଗର ସଫେଇ କାମ ଆରମ୍ଭ କରିଛନ୍ତି । ସାଗର ସଫେଇ ପାଇଁ ଟେଣ୍ଡର ହୋଇଥିବା ଖବର କାହାରିକୁ ଜଣାନାହିଁ ବୋଲି କହିଛି ଜିଲ୍ଳା ପ୍ରଶାସନ ।

ପୌର ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଏହାକୁ ଭଲ କାମ କହିବା ସହ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ସଫେଇ ଅଭିଯାନ ଚାଲିଥିବା କହିଛନ୍ତି । ସେପଟେ ଟେଣ୍ଡର କରିଥିବା ଜଳସଂପଦ ବିଭାଗର ଅଧିକାରୀ କହୁଛନ୍ତି, ସଫେଇ ବାବଦକୁ ହୋଇଥିବା ଟେଣ୍ଡର ଟଙ୍କା ଅନ୍ୟତ୍ର ଖର୍ଚ କରାଯିବ । ସାଗର ସଫେଇ କାମ ଆଗରୁ ଅନେକ ସଂଗଠନ ହାତକୁ ନେଇଥିଲେ ସୁଦ୍ଧା ଏହାର କୌଣସି ସୁଫଳ ଜୟପୁରବାସୀଙ୍କୁ ମିଳିନାହିଁ । ବର୍ତମାନ ଚାଲିଥିବା ଏହି ଅଭିଯାନରେ ଟେଣ୍ଡର ପ୍ରକ୍ରୀୟାକୁ ବାତିଲ କରାନଗଲେ ରାଜସ୍ୱ ହାନି ହେବା ଆଶଙ୍କ ରହିଛି ।