ଦେବ୍ରୀଗଡ ଅଭୟାରଣ୍ୟରେ ମହାବଳ । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ବିଟ୍ ଗର୍ଜନ ପାହାଡରେ ବାଘ ଖୋଜୁଛି ବନବିଭାଗ

37

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଦାଘୋରା ବିଟ ଗର୍ଜନପାହାଡ ରେଞ୍ଜରେ ବନବିଭାଗ ଠାବ କରିଛି ମହାବଳ ବାଘ । ଦୀର୍ଘ ତିନିମାସର କସରତ ପରେ କ୍ୟାମେରା ଓ ପାଦଚିହ୍ନ ପାଇ ସଫଳତା ହାସଲ କରିଛି ବନ ବିଭାଗ । ହେଲେ ଗତ ୪ ମାସ ପୂର୍ବରୁ ଏହି ଅଚଳରେ କଳାବାଘକୁ ଠାବ କରିଥିଲା ବନବିଭାଗ । ଏହାପରେ ସଂପୃକ୍ତ ଜଙ୍ଗଲରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଉଚ୍ଚ ଟାୱାର କରାଯାଇ ଜଙ୍ଗଲ ଉପରେ ତୀଷ୍ମ ନଜର ରଖିଛି ବନବିଭାଗ । ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ କ୍ୟାମେରା ଲଗାଯାଇଛି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲରୁ ସଫା କରାଯାଉଛି ଓ ନିଆଁ ଲାଗିଲେ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ସ୍କାର୍ଡକୁ ପ୍ରସ୍ତୁତ କରି ରଖାଯାଇଛି । ଶିକାରୀମାନଙ୍କ ଅବାଧ ପ୍ରବେଶ ରୋକିବା ଲାଗି ଗାଡି ପାଟ୍ରୋଲିଂକୁ ବି ବଢାଇଦିଆଯାଇଛି ।

ସେପଟେ, ରାଜ୍ୟରେ ସାତକୋଶିଆ ଓ ଶିମିଳିପାଳକୁ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ମିଳିବା ପରେ ଏବେ ମହାବଳ ଦେଖାଯାଇଥିବା ଅନ୍ୟ ଜଙ୍ଗଲକୁ ମଧ୍ୟ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଚିନ୍ତା କରୁଛି ବନବିଭାଗ । ନିକଟରେ ରାଜ୍ୟର ତିନୋଟି ସ୍ଥାନରେ ମହାବଳ ବାଘର ସନ୍ଧାନ ମିଳିବା ପରେ ଉକ୍ତ ସ୍ଥାନକୁ ତଥା ସୁନାବେଡା, ଦେବ୍ରିଗଡ ସମେତ ହେମଗିରିକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ଏବେ ବନବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିନ୍ତୁ ଏହାରି ଭିତରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏହି ନୂଆ ମହାବଳ ଦେଖାଯିବା ପରେ ଜଙ୍ଗଲ ବିଭାଗ ଓ ବନ୍ୟପ୍ରେମୀଙ୍କ ମନରେ ବଂଶ ବୃଦ୍ଧି ନେଇ ସୃଷ୍ଟି ହୋଇଛି ନୂଆ ଆଶା ।