ରାଉରକେଲାରେ ମାତୃ-ଶିଶୁ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ସଂପୂର୍ଣ ହେବା ଆଗରୁ କେମିତି ହେଲା ଲୋକାର୍ପଣ ! ଖବର ପ୍ରସାରଣ ପରେ ପ୍ରଶାସନକୁ ରିପୋର୍ଟ ମାଗିଲେ ସ୍ୱାସ୍ଥ୍ୟ ସଚିବ

69

କନକ ବ୍ୟୁରୋ : ପ୍ରାୟ ୧୪କୋଟି ୮୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାତୃ ଶିଶୁ ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ତେବେ ସେହି ରାତିରେ ଦୁର୍ବୃତ୍ତ ଆସି ସାନିଟାରୀ ଉପକରଣ ଚୋରୀ କରିନେଇଥିବା ଅଭିଯୋଗ ହୋଇଥିଲା ।  ତେବେ ସ୍ଥିତି ପରଖିବାରୁ ଜଣାପଡିଥିଲା ଯେ ବିନା ଆବଶ୍ୟକୀୟ ଭିତ୍ତିଭୂମିରେ ଏହି ଲୋକାର୍ପଣ କରାଯାଇଥିଲା । ଆଉ ବିଦ୍ୟୁତ ସଂଯୋଗ କରାଯିବା ତ ଦୂରେ ଥାଉ ସ୍ତ୍ରୀ-ପ୍ରସୁତି ରୋଗ ବିଭାଗ ସହ ଶିଶୁବିଭାଗ ମଧ୍ୟ ଖୋଲାଯାଇନଥିଲା  । ଏହାଛଡା ଅଗ୍ନିକାଣ୍ଡକୁ ପ୍ରତିହତ କରିବାପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିଲା  । ଆଉ ସତ ଲୁଚାଇବାକୁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ କରାଯାଇଥିଲା  । ଏଭଳି ଘଟଣାକୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଜୁଏଲ କହିଛନ୍ତି ନବୀନ କିଛି ଜାଣୁନାହାଁନ୍ତି ଓ ଅଫିସରଙ୍କ କଥାରେ ପରିଚାଳିତ ହେଉଛନ୍ତି । ସେହିପରି କଂଗ୍ରେସ କହିଛି ନବୀନ ସରକାର ଶିଶୁଙ୍କ ଜୀବନ ସହ ମାରା ତ୍ମକ ଖେଳ ଖେଳୁଛନ୍ତି ।

ତେବେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଗାଗଲା ରିପୋର୍ଟ । ଦିନରେ ଲୋକାର୍ପଣ, ରାତିରେ ଚୋରୀ ଖବର ପ୍ରସାରିତ ହେବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବକୁ ଷ୍ଟାଟସ ରିପୋର୍ଟ ମାଗିଥିଲା । ଏହାପରେ ରାଉରକେଲା ଅତିରିକ୍ତ ଜିଲାପାଳ ମୋନିଷା ବାନାର୍ଜୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି  । ଆଉ ଏହି ରିପୋର୍ଟରେ ଅତିରିକ୍ତ ଜିଲାପାଳ ସ୍ଥାୟୀ ବିଦ୍ୟୁତ ସଂଯୋଗ ହୋଇନଥିବାର ସ୍ପଷ୍ଟ କରିଛନ୍ତି । ଏହାଛଡା ବର୍ତ୍ତମାନ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଦିଆଯାଇଥିବାର ଚିଠିରେ ଉଲେଖ କରିଛନ୍ତି । ଏହାଛଡା ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ଟେଣ୍ଡର ହେବ ବୋଲି ଚିଠିରେ ଉଲେଖ କରିଛନ୍ତି  । ସେହିପରି ସ୍ତ୍ରୀ-ପ୍ରସୁତି ରୋଗ ବିଭାଗ ସହ ଶିଶୁବିଭାଗ ଆରମ୍ଭ କରାଯାଇଥିବାର ଚିଠିରେ ଉଲେଖ କରିଛନ୍ତି  ।