ଆଜି ବଲିଉଡ଼ ନାୟିକା ଅଦିତି ରାଓ ହାଇଦରୀଙ୍କ ଜନ୍ମଦିନ !

61

ବଲିଉଡ଼ ନାୟିକା ଅଦିତି ରାଓ ହାଇଦରୀଙ୍କର ଆଜି ହେଉଛି ଜନ୍ମଦିନ । ସେ ୧୯୭୮ ମସିହା ଅକ୍ଟୋବର ୨୮ ତାରିଖରେ ହାଇଦ୍ରାବାଦଠାରେ ଜନ୍ମ ହୋଇଥିଲେ । ଇତିମଧ୍ୟରେ ଅଦିତି ବେଶ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରିସାରିଲେଣି । ଏଥିମଧ୍ୟରେ ଚଳିତ ବର୍ଷ ମୁକ୍ତିପ୍ରାପ୍ତ ସିନେମା ‘ଭୂମି’ ବି ରହିଛି ।

ସେ ବର୍ତ୍ତମାନ ତାଙ୍କର ଏକ ଆଗାମୀ ସିନେମାର ଅପେକ୍ଷାରେ ରହିଛନ୍ତି । ଏହା ହେଲା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତୀ ’। ଏଥିରେ ଅଦିତି ରାଓ ହାଇଦରୀଙ୍କ ଭୂମିକା ହେଉଛି ଆଲ୍ଲାଉଦ୍ଦିନ୍‌ ଖିଲଜୀଙ୍କ ପତ୍ନୀ । ଏହି ସିନେମାରେ ରଣବୀର ସିଂହ ଅଛନ୍ତି ଆଲ୍ଲାଉଦ୍ଦିନ୍‌ ଖିଲଜୀ ଚରିତ୍ରରେ । ତେବେ ଏଯାବତ୍‌ ସେଭଳି ବଡ଼ ହିଟ୍‌ ସିନେମାର ଅଙ୍ଗ ହୋଇନଥିବା ହେତୁ ତାଙ୍କର ନଜର ଏବେ ରହିଛି ‘ପଦ୍ମାବତୀ’ ଉପରେ ।

ଅଭିନୟ ସହିତ ଗାୟନ କ୍ଷେତ୍ରରେ ବି ପ୍ରବେଶ କରିଛନ୍ତି । ତେବେ ସେ କୌଣସି ସିନେମା ପାଇଁ ଗୀତ ଗାଇନାହାଁନ୍ତି । ଅଦିତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍‌ ରହେମାନ୍‌ଙ୍କ ସହ ଡେବ୍ୟୁ କରିଛନ୍ତି । ଅଦିତି ରାଓ ହାଇଦରୀ ନ୍ୟୁୟର୍କରେ ଅନୁଷ୍ଠିତ ଆଇଫା ଆଓ୍ଵାର୍ଡ଼ରେ ଏ.ଆର୍‌ ରହେମାନ୍‌ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚରେ ଗୀତ ଗାଇଛନ୍ତି । ସେ ଏଯାବତ୍‌ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସୁଯୋଗ ପାଇ ନାହାନ୍ତି, ମାତ୍ର ତାଙ୍କର ସିନେମାରେ କଣ୍ଠଦାନ କରିବାର ଅଭିଳାଷ ରହିଛି ବୋଲି ଅଦିତି ରାଓ ହାଇଦରୀ କହିଛନ୍ତି ।