ନିଆଁ ଜାଳିଦେଲା ସ୍ୱପ୍ନ…ମାସକ ପରେ ଥିଲା ଝିଅ ବାହାଘର । ଜଳିଗଲା ସବୁ ସାମଗ୍ରୀ, ପାଉଁଶ ଗଦାରୁ ମାଆ ସାଉଁଟୁଛି ଝିଅର ବାହା ମୁକୁଟ ଓ ଓଢଣୀ

721

କନକ ବ୍ୟୁରୋ: ଆଉ ମାସେ ପରେ ହୋଇଥାନ୍ତା ଝିଅର ବାହାଘର । ହେଲେ ଝିଅ ବାହାଘର ପାଇଁ ରଖାଯାଇଥିବା ସବୁ ଜିନିଷପତ୍ର ନିଆଁରେ ପୋଡି ପାଉଁଶ ହୋଇଗଲା । ଏବେ ଝିଅ ବାହାଘର କେମିତି ହେବ ସେହି ଚିନ୍ତାରେ ପରିବାର ଲୋକେ । ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ହୋଇଥିବା ଅଗ୍ନିକାଣ୍ଡ ଖାଲି ସବୁକିଛି ଜାଳି ପୋଡି ନଷ୍ଟ କରିଦେଇନି, ବରଂ ମାଟିରେ ମିଶେଇ ଦେଇଛି ଅନେକ ସ୍ୱପ୍ନ । କାହା ଝିଅ ବାହାଘର ପାଇଁ ଜିନିଷ ପୋଡିଛି ତ ଆଉ କାହାର ବର୍ଷକର ଆହାର ।

ଝିଅ ବାହାଘର ସ୍ୱପ୍ନରେ ଲାଗିଗଲା ନିଆଁ । ଭୟଙ୍କର ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଗଲା ସବୁ ଆଶା ଆଉ ଉକ୍ରଣ୍ଠା । ଆଉ ମାସେ ପରେ ହୋଇଥାନ୍ତା ଝିଅର ବାହାଘର । ହେଲେ ବାହାଘର ଆଗରୁ ପୋଡି ପାଉଁଶ ହୋଇଯାଇଛି ବାହାଘର ପାଇଁ ରଖାଯାଇଥିବା ଟଙ୍କା, ସୁନା, ବାସନକୁସନ ଓ ଖଟ । ଏବେ ଝିଅ ବାହାଘର କେମିତି ହେବ? ସେହି ଚିନ୍ତାରେ ଅଗ୍ନି ବିପନ୍ନ ବିପ୍ର ସେଠୀ । ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ସୁନାଥର ଗାଁରେ ହୋଇଥିବା ଅଗ୍ନିକାଣ୍ଡ ଖାଲି ସବୁ କିଛି ଜାଳି ପୋଡି ନଷ୍ଟ କରିଦେଇନି, ବରଂ ମାଟିରେ ମିଶେଇ ଦେଇଛି ବିପ୍ର ସେଠୀଙ୍କ ଝିଅ ବାହାର ସ୍ୱପ୍ନ ।

ଆଜି ସକାଳୁ ଗାଁର ନୂଆସାହି କୌଣସି କାରଣ ବଶତଃ ଜଣଙ୍କ ଘରେ ନିଆଁ ଲାଗିଯାଇଥିଲା । ପରେ ଏହା ଗୋଟିଏରୁ ଆଉ ଗୋଟିଏ ଘରକୁ ଡେଇଁଥିଲା । ଏମିତି ପ୍ରାୟ ୩୦ରୁ ଅଧିକ ଘରେ ଲାଗିଯାଇଥିଲା ନିଆଁ । ଆପଣ ଦେଖୁଛନ୍ତି ନିଆଁ ଲାଗିବା ସମୟର ଚିତ୍ର । ଅଧିକାଂଶ ଚାଳ ଛପର ଘର ହୋଇଥିବାରୁ ଅତି କମ ସମୟ ମଧ୍ୟରେ ବ୍ୟାପିଯାଇଥିଲା ନିଆଁ । ଲୋକେ ନିଆଁ ଲିଭାଇବାକୁ ବି ସମୟ ପାଇନଥିଲେ । ଖବର ପାଇ ପୁରୁଷୋତ୍ତମ ଅଗ୍ନିଶମ ବିଭାଗର ୨ଟି ଗାଡି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । ଦେଢ ଘଂଟା ମଧ୍ୟରେ ନିଆଁକୁ ଆୟତ ମଧ୍ୟ କରାଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ ।