ମାଲକାନଗିରି କରୁକୋଣ୍ଡାରେ ଚାଷୀ ଉତ୍ତେଜନା। ଟୋକନ ନମିଳିବାରୁ ମଣ୍ଡିରେ ବିକ୍ରି ହୋଇପାରୁନି ଧାନ। ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ

ସେପଟେ, ଶ୍ରମିକଙ୍କ ମଜୁରୀ ବୃଦ୍ଧି ଦାବିରେ କଳାହାଣ୍ଡିରେ ବନ୍ଦ ପଡ଼ିଛି ମଣ୍ଡି

170

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା କରୁକୋଣ୍ଡାଠାରେ ଚାଷୀ ଉତ୍ତେଜନା । ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ତେଜିତ ଚାଷୀ । ଫଳରେ ମାଲକାନଗିରି ବାଲିମେଳା ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚାଷୀଙ୍କୁ ଧାନବିକ୍ରି ପାଇଁ ଟୋକେନ ନ ମିଳିବା, ଜଳକର ପୈଠ କରିବା ପରେ ମଧ୍ୟ ଜମିକୁ ଅଣ ଜଳସେଚିତ ଦର୍ଶାଇ ଚାଷୀଙ୍କ ଟାର୍ଗେଟ କମାଇ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । କୋରୁକୋଣ୍ଡା ଲ୍ୟାମ୍ପ ଅନ୍ତର୍ଗତ ୮୮୬ ଜଣ ଚାଷୀଙ୍କୁ ଟୋକେନ ନ ମିଳିବାରୁ ଚାଷୀ ଧାନ ବିକ୍ରୀ କରିପାରୁନାହାନ୍ତି । ଟୋକେନ ପାଇବାର ଦୁଇଦିନ ଭିତରେ ମଣ୍ଡିରୁ ଧାନ ଉଠେଇବାର ବ୍ୟବସ୍ଥା ଥାଇ ମଧ୍ୟ ଖରାରେ ଧାନ ଶୁଖିଯାଉଥିବା ଅଭିଯୋଗ ହୋଇଛି । କୋରୁକୋଣ୍ଡା ମଣ୍ଡିରେ ଏବେ ବି ଉତେଜନା ଲାଗି ରହିଛି ।

ସେପଟେ, ଶ୍ରମିକଙ୍କ ମଜୁରୀ ବୃଦ୍ଧି ଦାବିରେ ବନ୍ଦ ପଡ଼ିଛି ମଣ୍ଡି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ସମବାୟ ଅଧୀନରେ ଥିବା ୩ଟି ମଣ୍ଡି ୨ ଦିନ ହେଲା ଅଚଳ । ମଣ୍ଡିରେ କାମ କରୁଥିବା ଶ୍ରମିକ ମଜୁରୀ ବୃଦ୍ଧି ଦାବିରେ ଧାନ ଉଠାଣ କରୁ ନାହାନ୍ତି । ଏଥିପାଇଁ ହଜାର ହଜାର ଧାନ ବସ୍ତା ମଣ୍ଡିରେ ପଡ଼ି ରହିଛି । ଏପରି ଅବସ୍ଥାରେ ଶୀତ ରାତିରେ ମଣ୍ଡିରେ ଚାଷୀ ନିଜ ଧାନକୁ ଜଗି ବସିିଛି । ଗତବର୍ଷ ମଣ୍ଡି ଶ୍ରମିକମାନଙ୍କୁ କୁଇଂଟାଲ ପ୍ରତି ୧୦ଟଙ୍କା ମଜୁରୀ ଦିଆଯାଉଥିବା ବେଳେ ଚଳିତ ବର୍ଷ ୮ଟଙ୍କା ୪୭ ପଇସା ଦିଆଯାଉଛି । ଯାହା ପାଇଁ ପ୍ରତିବାଦ କରିଛନ୍ତି ଶ୍ରମିକ । ୧୩ ତାରିଖ ଭିତରେ ମାମଲା ବିଚାରକୁ ନିଆଯିବ ବୋଲି କୁହାଯାଇଛି ।