କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀଙ୍କ ସମାଲୋଚନା ! ରୋହିଙ୍ଗ୍ୟାଙ୍କୁ ଆଶ୍ରୟ ସପକ୍ଷରେ ବରୁଣ ଗାନ୍ଧୀ

45

କନକ ବ୍ୟୁରୋ: ବିଜେପି ସାଂସଦ ବରୁଣ ଗାନ୍ଧୀ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଭାରତ ସରକାର ଆଶ୍ରୟ ଦେବା ଉଚିତ ବୋଲି ଦର୍ଶାଇ ବୟାନ ଦେବା ସହ ଖବରକାଗଜରେ ପ୍ରବନ୍ଧ ଲେଖିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବରୁଣ କହିଛନ୍ତି, ଭାରତ ଶରଣାର୍ଥୀଙ୍କୁ ଥଇଥାନ ଦେବା ପ୍ରସଙ୍ଗରେ ତା’ର ପାରମ୍ପରିକ ନୀତିକୁ ଗ୍ରହଣ କରିବା ଆବଶ୍ୟକ ଏବଂ ଆବଶ୍ୟକ ଯାଞ୍ଚ ପରେ ଶରଣାର୍ଥୀଙ୍କୁ ସହାୟତା ଦେବା ଉଚିତ । ତେବେ ବରୁଣ ଗାନ୍ଧୀଙ୍କ ଏହି ଆଭିମୁଖ୍ୟକୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଯେଉଁମାନେ ରାଷ୍ଟ୍ରର ସ୍ୱାର୍ଥକୁ ଧ୍ୟାନରେ ରଖି କାମ କରନ୍ତି, ସେମାନେ ଏଭଳି ବୟାନ କେବେ ଦିଅନ୍ତି ନାହିଁ । ବରୁଣ ଏ ବାବଦରେ ଏକ ପ୍ରବନ୍ଧରେ ଲେଖିଛନ୍ତି ଯେ ମିଆଁମାରରୁ ପଳାଇ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆମେ ଆଶ୍ରୟ ଦେବା ଉଚିତ, କିନ୍ତୁ ସମସ୍ତ ବୈଧ ଯାଞ୍ଚ ପ୍ରକ୍ରିୟା ପରେ ଏହା ହେବା ଆବଶ୍ୟକ । ଏହା ସହିତ ବରୁଣ ଟ୍ଵିଟ୍ କରି ସରକାରଙ୍କୁ ‘ଅତିଥି ଦେବ ଭବଃ’ ନୀତିକୁ ମନେ ପକାଇ ଦେଇଛନ୍ତି ।

ବରୁଣଙ୍କ ଏଭଳି ମତ ସରକାରଙ୍କ ଆଭିମୁଖ୍ୟର ସଂପୂର୍ଣ୍ଣ ଓଲଟା ହୋଇଥିବାରୁ ତାଙ୍କୁ ଦଳ ଭିତରେ ସମାଲୋଚନା ଆରମ୍ଭ ହୋଇଯାଇଛି । କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରି ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀମାନେ ଅନୁପ୍ରବେଶକାରୀ ଏବଂ ସେମାନେ ଦେଶ ପାଇଁ ବିପଦ ବୋଲି ଦର୍ଶାଇଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରିବାକୁ ହେବ ବୋଲି କହିଛନ୍ତି ।