ଏମିତି ପାଠ ପଢିବେ ପିଲା ! ଆଣ୍ଠୁଏ ପଚ ପଚ କାଦୁଅରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ, କେନ୍ଦ୍ରାପଡାରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ

62

କନକ ବ୍ୟୁରୋ : ବର୍ଷା ଆରମ୍ଭରୁ ଆଣ୍ଠୁଏ କାଦୁଅରେ ଭରିଛି ଗାଁ ଦାଣ୍ଡ । ପାନୀୟ ଜଳ ସମସ୍ୟା କହିଲେ ନସରେ । ସ୍ୱାଧୀନତାର ୭୦ ବର୍ଷ ପରେ ବି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ତେରଗାଁ ପଂଚାୟତର ସାମନ୍ତସିଂହାରପୁରରେ ଦେଖିବାକୁ ମିିଳିଛି ଏଭଳି ଦୃଶ୍ୟ । ଆଉ ଭାଗ୍ୟକୁ ଆଦରି ପଡିରହିଛନ୍ତି ଗ୍ରାମବାସୀ । ନା ଶୁଣୁଛନ୍ତି ସରକାର ନା ଶୁଣୁଛି ପ୍ରଶାସନ ।

ଉପାନ୍ତ ଅଞ୍ଚଳର ଅବ୍ୟବସ୍ଥାକୁ ଟପିଗଲା ଉପକୂଳବର୍ତ୍ତୀ ଅଞ୍ଚଳ । ରାଜଧାନୀ ଠାରୁ ମାତ୍ର ୧୦୦ କିଲୋମିଟର ଦୂର । କିନ୍ତୁ ବିକାଶର ଚିହ୍ନ ବର୍ଣ୍ଣ ଏଠାରେ ଏଯାଏଁ ଦେଖିବାକୁ ମିଳିନାହିଁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅର୍ନ୍ତଗତ ତେରଗାଁ ପଂଚାୟତ ସାମନ୍ତସିଂହାରପୁର ଗାଁ ୧୬ ନମ୍ବର ୱାର୍ଡରେ ବର୍ଷା ପରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ପ୍ରଶାସନର ବିଫଳତାକୁ ପଦାରେ ପକାଇଛି । ଦୀପ ତଳ ଭଳି ସାମନ୍ତସିଂହାରପୁର ଗାଁ ଲୋକଙ୍କ ଭାଗ୍ୟ ମଧ୍ୟ ଅନ୍ଧାର । ବର୍ଷା ପରର ଦୃଶ୍ୟ ହିଁ ବୟାନ କରୁଛି ଏହି ଗାଁକୁ କେତେ ପହଁଚିଛି ବିକାଶ । ଅସରାଏ ବର୍ଷାରେ ଗାଁକୁ ଯିବା ଅସମ୍ଭବ ହୋଇପଡିଛି । ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ଭରିଯାଇଛି ଗାଁ ଦାଣ୍ଡ । ସ୍କୁଲ ଯିବାକୁ ହେଲେ ଛାତ୍ରଛାତ୍ରୀମାନେ ହାତରେ ଚପଲ ଧରି କାଦୁଅରେ ଅତି କଷ୍ଟରେ ଯିବାକୁ ପଡୁଛି । ସେହିପରି ଗାଁରେ ଯଦି କୋ÷ଣସି ଲୋକର ଦେହ ଖରାପ ହେଲା କଥା ସରିଲା । ଗାଁ ଭିତରକୁ ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇପଡେ । ସେହିପରି ପିଇବା ପାଣି କଥା ନକହିବା ଭଲ । ଭଲ ପାଣି ମୁନ୍ଦେ ପାଇଁ ଅଧା କିଲୋମିଟର କାଦୁଅ ରାସ୍ତାରେ ଚାଲିଚାଲି ଯିବାକୁ ପଡୁଛି । ଫଳରେ ପାଣି ଆଣିବା ବେଳେ କେତେଜଣ ପଡି ଆହତ ହୋଇଛନ୍ତି । ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ଏଠି ବାସ କରୁଥିବା ୮୦ ପରିବାରର ୩ଶହରୁ ଉର୍ଦ୍ଧ ଲୋକ ।

ସମସ୍ୟା ନେଇ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁ ନଥିବାର ଅଭିଯୋଗ କରିଛନ୍ତି ୱାର୍ଡବାସୀ । ତେବେ ମହାକାଳପଡା ବ୍ଲକର ବଡିଓ କହିଛନ୍ତି ଏନଆରଜିଏ ଯୋଜନାରେ ଏହି ରାସ୍ତାକୁ ଅର୍ନ୍ତଭୁକ୍ତ କରି ଜିଲ୍ଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଯିବ । ଅନୁମୋଦନ ହେବାପରେ କାର୍ଯ୍ୟ ଆରମ୍ଭ କରାଯିବ । ଖରାପ ହୋଇ ପଡିରହିଥିବା ନଳକୂପ ସ୍ଥାନରେ ନୁତନ ନଳକୂପ ବସାଇବାକୁ ପଦକ୍ଷେପ ନିଆଯିବ । ୧୯୪୭ରୁ ୨୦୧୮ । ସ୍ୱାଧୀନତାର ୭୦ ବର୍ଷ ପରେ ସାମନ୍ତସିଂହାରପୁର ଗାଁର ଅବସ୍ଥା ଦେଖିବା ପରେ ମନକୁ ଆପଣା ଛାଏଁ ପ୍ରଶ୍ନ ଆସୁଛି, ଏତେ ଦିନ ଯାଏଁ ବିକାଶର ନାରା ଦେଉଥିବା ବିଭିନ୍ନ ଦଳର ସରକାର ବାସ୍ତବରେ ଜନସାଧାରଣଙ୍କ ପାଇଁ କରୁଥିଲେ କଣ ।