ବିଜେପୁରରେ ବିଜେଡିର ବିଜୟ ପାଇଁ ରୀତାଙ୍କ ଦମ୍ଭ ! ବ୍ରାଣ୍ଡ ନବୀନ, ଅନୁକମ୍ପା ଭୋଟ ଭରସା

38

କନକ ବ୍ୟୁରୋ : ବିଜେପୁର ମହାଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ ବିଜେଡି । ଆଜି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ନାମାଙ୍କନ ପତ୍ର ଦାଖଲ ସହ ବିଜେପୁର ଗଡ ଜିତିବା ପାଇଁ ଶଙ୍ଖ ଫୁଙ୍କିଛନ୍ତି । ନାମାଙ୍କନ ଦାଖଲ କରିବା ପାଇଁ ଏକ ବିଶାଳ ପଟୁଆରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ପ୍ରାର୍ଥୀପତ୍ର ଦାଖଲ ସମୟରେ ହୋଇଥିବା ବିଶାଳ ଜନସମାଗମ ହିଁ ରୀତାଙ୍କ ବିଜୟ ଆଶାକୁ ଦ୍ୱିଗୁଣିତ କରିଛି । ତେବେ ଚଳିତ ଉପନିର୍ବାଚନରେ ରୀତାଙ୍କ ପାଇଁ ଅନେକ ଆହ୍ୱାନ ରହିଛି ଯାହା ତାଙ୍କ ବିଜୟ ପଥକୁ ଅଗ୍ନିପଥରେ ପରିଣତ କରିପାରେ । ରୀତାଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ସ୍ୱାମୀ ସୁବଳ ସାହୁଙ୍କ ଗଡ ରକ୍ଷା କରିବା । କାରଣ ସୁବଳ ବିଜେପୁର ଆସନରୁ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ସୁବଳଙ୍କ ଦେହାନ୍ତ ପରେ ତାଙ୍କ ଗଡ ରକ୍ଷା କରିବାକୁ ଏହାର ମଙ୍ଗ ଧରିଛନ୍ତି ସ୍ତ୍ରୀ ରୀତା । ବିଜେପୁର ପାଇଁ ରୀତା ନୁଆ ହୋଇନଥିଲେ ସୁଦ୍ଧା ବିଜେପୁର ରାଜନୀତି ପାଇଁ ସେ ସମ୍ପୂର୍ଣ୍ଣ ନୂଆ ।ଏହାବ୍ୟତୀତ ସ୍ୱାମୀଙ୍କ ଦେହାନ୍ତ ପରେ ରୀତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଯେଉଁ ବିଜେପୁର ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ସୁବଳ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ଦେହାନ୍ତ ପରେ ପୂରା ପରିବାର କଂଗ୍ରେସର ହାତ ଛାଡି ଶଙ୍ଖ ଧରିବାକୁ ସାଧାରଣ ଲୋକ କିପରି ଗ୍ରହଣ କରିବେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ।

bijepur (2)ରୀତା ସାହୁଙ୍କ ଯେବେଠାରୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛି ସେବେଠାରୁ ବିଜେପୁର ଗଡ ଜିତିବା ପାଇଁ ମଧ୍ୟ କସରତ ଆରମ୍ଭ କରିଛି । ତେଣୁ ଏଥିପାଇଁ ନବୀନ ବିଜେପୁର ମଇଦାନକୁ ପ୍ୟାକେଜର ଗୁଗୁଲି ଛାଡିଛନ୍ତି । ଆଉ ଏହି ଗୁଗୁଲି ବିରୋଧୀଙ୍କୁ କ୍ଲିନ ବୋଲ୍ଡ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ରୀତାଙ୍କ ବିଜୟ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟରେ ନବୀନ ଘୋଷଣା କରିଥିବା ଯୋଜନା ପ୍ୟାକେଜ ଟ୍ରମ୍ପକାର୍ଡ ଭାବେ ଉଭା ହେବ । କାରଣ ଏହି ସମ୍ମାନର ଲଢେଇ ଜିତିବା ପାଇଁ ଶାସକ ବିଜେଡି ବିଜେପୁର ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଘୋଷଣା କରି ଟଙ୍କାର ବର୍ଷା କରିଛି । ରୀତାଙ୍କ ବିଜୟ ପଥକୁ ପରିଷ୍କାର କରିବା ପାଇଁ ବିଜେପୁର ବାସୀଙ୍କୁ ବଡ ବଡ ସ୍ୱପ୍ନ ଦେଖାଇଛନ୍ତି ରାଜ୍ୟ ସରକାର । ୧୨୬୦ କୋଟି ଟଙ୍କାର ଗଙ୍ଗାଧର ମେହେର ଭୂତଳ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରି ଶାସକ ବିଜେଡି ବିଜେପୁରରେ ଖେଳିଛି ବଡ ଗେମ । ସବୁଠାରୁ ବଡ କଥା ହେଉଛି ଏହି ଉପନିର୍ବାଚନ ବିଜେପୁର ପାଇଁ ବିକାଶର ଦ୍ୱାରକୁ ଖୋଲିଦେବା ସହ ରୀତାଙ୍କ ପାଇଁ ବିଜୟକୁ ଆହୁରି ସରଳ କରିଦେଇଛି ।

ସବୁଠାରୁ ବଡ କଥା ହେଲା ଯଦି ରୀତା ସାହୁ ଏଠାରେ ବିଜୟ ହୁଅନ୍ତି ତେବେ ତାଙ୍କ ନିକଟରେ ଅନେକ ଆହ୍ୱାନ ରହିବ । କାରଣ ରୀତା ସାହୁ ବିଜେଡିରେ ଯୋଗ ଦେବା ପରେ ତାଙ୍କ ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଥିଲେ । ତେଣୁ ରୀତାଙ୍କ ବିଜୟ ଓ ୨୦୧୯ ସାଧାରଣ ନିର୍ବାଚନ ମଧ୍ୟରେ ଖୁବ ସମୟ ବାକି ରହିଛି । ଏଭଳି ସ୍ଥିତିରେ ଏତେ କମ ସମୟ ମଧ୍ୟରେ ସ୍ୱାମୀଙ୍କ ଅଧୁରା ସ୍ୱପ୍ନ ରୀତା ପୂରଣ କରିପାରିବେ କି ନାହିଁ ତାହା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ଉପନିର୍ବାଚନ ପୂର୍ବରୁ ବିଜେପୁର ପାଇଁ ଯେଉଁ ସବୁ ଘୋଷଣା ହୋଇଛି ତାହାକୁ ମଧ୍ୟ ପୂରଣ କରିବା ରୀତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

Bijepurରୀତାଙ୍କ ବିଜୟ ପଥରେ ସବୁଠାରୁ ବଡ ଅନ୍ତରାୟ ସୃଷ୍ଟି କରିବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ । କାରଣ ରୀତାଙ୍କ ଭଳି ସେ ମଧ୍ୟ ଦଳ ଡେଇଁଛନ୍ତି । ବିଜେଡିରୁ ପଦ୍ମ ପୋଖରୀକୁ ଡେଇଁବା ସହ ବିଜେପି ଟିକେଟ ମଧ୍ୟ ହାସଲ କରିଛନ୍ତି । ଏହାସହ ତାଙ୍କର ଏକ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ରହିଛି । ବିଜେଡିର ପୂର୍ବତନ ବିଧାୟକ ୨୦୧୪ ମସିହାରେ ସ୍ୱାଧୀନ ଭାବେ ଛିଡା ହୋଇ ୧୮ ହଜାର ଭୋଟ ହାତେଇଥିଲେ । ଆଉ ଏହି ଭୋଟ ହିଁ ସେତେବେଳେ ବିଜେଡି ପ୍ରାର୍ଥୀଙ୍କ ପାଇଁ କାଳ ହୋଇଥିଲା । ଏହାସହ ସ୍ୱାଧୀନ ଭାବେ ୧୮ ହଜାର ଭୋଟ ହାତେଇବା ତାଙ୍କ ଲୋକପ୍ରିୟତାକୁ ଦର୍ଶାଇଥିଲା । ଏସବୁ ବ୍ୟତୀତ ଦୀର୍ଘଦିନରୁ ସେ ବିଜେଡି ସଙ୍ଗଠନ ସହ ଜଡିତ ଥିବାରୁ ଦଳୀୟ ଭୋଟବ୍ୟାଙ୍କ ଭାଙ୍ଗି କିଛି ଭୋଟ ହାତେଇବେ ବୋଲି ଚର୍ଚ୍ଚା ହେଉଛି । ତାଛଡା ରୀତା ସାହୁଙ୍କ ପାଇଁ ଆଉ ଚିନ୍ତାର ବିଷୟ ହେଉଛି ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା । ପଞ୍ଚାୟତ ନିର୍ବାଚନରେ ବିଜେପୁରବାସୀ ବିଜେପିକୁ ୭ଟି ଜିଲ୍ଲା ପରିଷଦ ଆସନରୁ ୬ଟି ବିଜୟୀ କରି ପରିବର୍ତ୍ତନର ପାଇଁ ଏକ ବଡ ସଂକେତ ଦେଇଛନ୍ତି । ତେଣୁ ରୀତା ସାହୁଙ୍କ ପାଇଁ ବିଜେପୁର ବିଜୟ ଏତେ ସହଜ ନୁହେଁ ।

bijepurରୀତା ସାହୁଙ୍କ କଂଗ୍ରେସରୁ ଆଣି ବିଜେଡି ପ୍ରାର୍ଥୀ କରି ବିଜେପୁର ବିଜୟ ପାଇଁ ବିଜେଡି ଯେଉଁ ସ୍ୱପ୍ନ ଦେଖୁଛି ସେଥିରେ ବାଧା ଦେଇ ପାରନ୍ତି ହାତ ଦଳର ପ୍ରାର୍ଥୀ ପ୍ରଣୟ ସାହୁ । କାରଣ ରୀତା ସାହୁ କଂଗ୍ରେସ ଛାଡି ହାତ ଧରିବା ପରେ କଂଗ୍ରେସରୁ ଯେଉଁ ଅନୁକମ୍ପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିଲେ ସେଥିରେ ପ୍ରଣୟ ବଡ କଣ୍ଟା ଭାବେ ଉଭା ହେବେ । ସ୍ୱଗତଃ ସୁବଳ ସାହୁଙ୍କର ଘନିଷ୍ଠ ତଥା ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ଥିବା ପ୍ରଣୟଙ୍କର ଉକ୍ତ ଅଞ୍ଚଳରେ ନିଜସ୍ୱ ଭୋଟ ବ୍ୟାଙ୍କ ରହିଛି । ତେଣୁ ପ୍ରଣୟଙ୍କ ହାତରୁ କଂଗ୍ରେସ ଭୋଟ ଛଡାଇବା ରୀତାଙ୍କ ପାଇଁ ଏତେ ସହଜ ହେବନି । ଏହାଛଡା ରୀତାଙ୍କ ପାଇଁ ଆଉ ଏକ ମୁଣ୍ଡ ବିନ୍ଧାର କାରଣ ହେଉଛି ଦଳୀୟ ଅସନ୍ତୋଷ । ରୀତାଙ୍କୁ ପ୍ରାର୍ଥୀ କରିବା ପରେ ଦେଖାଦେଇଥିବା ଦଳୀୟ ଅସନ୍ତୋଷ କିଛି ମାତ୍ରାରେ ପ୍ରଶମିତ ହୋଇଥିଲେ ମଧ୍ୟ ଏବେ ମଧ୍ୟ କିଛି କର୍ମୀଙ୍କ ମନରେ ଅସନ୍ତୋଷ ରହିଛି । ତେଣୁ ଦଳୀୟ କର୍ମୀ ଯଦି ଗୃହଭେଦୀ ବିଭିଷଣ ସାଜନ୍ତି ତେବେ ଦଳ ତଥା ରୀତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏସବୁ ଭିତରେ ଦେଖିବା ବାକି ରହିଲା କେଉଁ ଦଳ ବିଜେପୁରରେ ବିଜୟ ପତାକା ଉଙ୍ଗାଇବ ।