ମିଆଁମାରରୁ ଆସିଲା ୧୫ଖଣ୍ଡ ସୁନା ବିସ୍କୁଟ, ଓଜନ ପାଖାପାଖି ଅଢେଇ କିଲୋ । ଜାଣନ୍ତୁ କିଏ ଓ କାହିଁକି ଆଣିଥିଲା ଏହି ସୁନା ବିସ୍କୁଟ

47

କନକ ବ୍ୟୁରୋ : ଓଡିଶାରେ ଜବତ ହେଲା ସୁନା ବିସ୍କୁଟ୍ । ଖୋର୍ଦ୍ଧା ଷ୍ଟେସନରେ ଜଣେ ଯାତ୍ରୀଙ୍କଠାରୁ ୧୫ଟି ସୁନା ବିସ୍କୁଟ୍ ଜବତ କରିଛି ରାଜସ୍ୱ ଗୁଇନ୍ଦା ବିଭାଗ । ଅଚାନକ ଯାତ୍ରୀ ଜଣକ ଉପରେ ମାଡି ବସିଥିଲେ ଗୁଇନ୍ଦା ବିଭାଗର ଅଧିକାରୀ । ଏବଂ ତାଙ୍କପାଖରୁ ବାହାରିଥିଲା ଗୋଟିଏ ପରେ ଗୋଟିଏ ସୁନା ବିସ୍କୁଟ୍ । ଆଉ ଏହି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଗୋଟେ କି ଦୁଇଟି ନୁହଁ, ୧୫ଟି ସୁନା ବିସ୍କୁଟ୍ । ଓଜନ ପାଖାପାଖି ଅଢେଇ କିଲୋ । ଆଉ ଦାମ୍ ପ୍ରାୟ ୭୭ ଲକ୍ଷ ଟଙ୍କା । ଚକ୍ ଚକ୍ କରୁଥିବା ସୁନା ବିସ୍କୁଟରେ ରହିଛି ମିଆଁମାରର ଚିହ୍ନ । ଖୋର୍ଦ୍ଧାରୋଡ୍ ଷ୍ଟେସନରୁ ଜଣେ ଯାତ୍ରୀଙ୍କ ଠାରୁ ଏସବୁ ସୁନା ବିସ୍କୁଟ୍ ଜବତ କରିଛନ୍ତି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀ । ଯାତ୍ରୀ ଜଣକ ଗୌହାଟୀ–ଚେନ୍ନାଇ ଏକ୍ସପ୍ରେସରେ ଯାଉଥିବା ବେଳେ ଗୁଇନ୍ଦା ଅଧିକାରୀ ତାଙ୍କୁ କାବୁ କରିଛନ୍ତି । ସୁନା ବିସ୍କୁଟକୁ ନିଜର ସାର୍ଟ ତଳେ ଏବଂ ଜୋତା ଭିତରେ ଲୁଚାଇ ରଖିଥିଲେ ଯାତ୍ରୀ ଜଣକ । ଅଧିକାରୀ କହିଛନ୍ତି, ସ୍ମଗଲିଂ ଉଦ୍ଦେଶ୍ୟରେ ଏସବୁ ସୁନା ନେଉଥିଲେ ସଂପୃକ୍ତ ଯାତ୍ରୀ ।

ଜବତ ହୋଇଥିବା ଏହି ସୁନା ବିସ୍କୁଟ୍ କଳାଟଙ୍କାରେ କିଣାବିକା ହୁଏ । ଆଉ ଟାର୍ଗେଟରେ ଥାଏ ବେଶି ସୁନାର ଚାହିଦା ଥିବା ସ୍ଥାନ । ମିଆଁମାରରୁ ଆସିଥିବା ଏହି ସୁନା ଖୋର୍ଦ୍ଧାରେ ଜବତ ହେବା ପରେ ସୁନା ସ୍ମଗଲିଂର ଓଡିଶା ଲିଙ୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଦେଶରୁ ସୁନା ଚୋରା ଚାଲାଣ କରାଯାଇ ଏଠାରେ ବ୍ୟବସାୟୀଙ୍କୁ କମ୍ ଦାମରେ ବିକ୍ରି ହୁଏ । ଆଉ ଦୋକାନୀଙ୍କ ଠାରୁ ବିନା ବିଲ୍ରେ ସୁନା ନେଇଥାନ୍ତି ଚୋରା ଗ୍ରାହକ ।

ଚୋରା ସୁନାକୁ ପ୍ରଥମେ ତରଳାଯାଏ । ପରେ ତାକୁ ବାର୍ ଏବଂ ବିସ୍କୁଟ୍ର ନୂଆ ରୁପ ଦିଆଯାଏ । ଏହାପରେ ନୂଆ ସୁନାକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଇଥାଏ । ସୁନା ଚୋରା ଚାଲାଣରେ ମିଆଁମାର-ଆସାମ ସୀମା ବେଶ ସମ୍ବେଦନଶୀଳ ଅଂଚଳ । ୨୦୧୨ ରୁ ୨୦୧୬ ଭିତରେ ଭାରତରେ ୩ହଜାର ୧୨୦ କୋଟିର ସୁନା ସ୍ମଗଲିଙ୍ଗ ହୋଇଥିବା ସୂଚନା ମିଳିଛି ।