ନିର୍ବାଚନ ଜିତିବାର ନୂଆ ତରିକା ! ଚାଉଳ ନିଅ, ଭୋଟ ଦିଅ । ନିର୍ବାଚନ ଜିତିଲେ ମିଳିବ ରାସନକାର୍ଡ

60

କନକ ବ୍ୟୁରୋ :ଭୋଟ୍ ପାଇଁ ଖୋଲାଖୋଲି ଦିଆଯାଉଛି ଲାଂଚ । ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲାଂଚ ଆକାରରେ ଦିଆଯାଉଛି ଚାଉଳ । ଆଉ ନିର୍ବାଚନ ସରିଲା ପରେ ରାସନକାର୍ଡ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଉଛନ୍ତି ବିଜେଡି ସମର୍ଥନରେ ୱାର୍ଡ ମେମ୍ବର ପଦ ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ । ଆଉ ଏଥିରେ ସମର୍ଥନର ହାତ ବଢ଼ାଇଛନ୍ତି ଚାଉଳ ଯୋଗାଉଥିବା ଡିଲର । ପୁରୀ ଜିଲ୍ଲା ସୁହାଗପୁର ପଂଚାୟତରୁ ଆସିଛି ଏଭଳି ଏକ ସାଂଘାତିକ୍ ଅଭିଯୋଗ ।

vlcsnap-2018-01-16-21h22m12s194ରାସନକାର୍ଡ ନଥାଇ ମିଳୁଛି ଚାଉଳ ଏବଂ ନୂଆ ରାସନକାର୍ଡ ଦେବା ପାଇଁ ଦିଆଯାଉଛି ପ୍ରତିଶ୍ରୁତି । ମାତ୍ର ଏଥିପାଇଁ ସର୍ତ ରହିଛି ବିଜେଡି ସମର୍ଥିତ ୱାର୍ଡ ମେମ୍ବରଙ୍କୁ ଭୋଟ୍ ଦେବାକୁ ହେବ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ପୁରୀ ଜିଲ୍ଲାରୁ । ଆସନ୍ତା ୧୯ ତାରିଖରେ ପୁରୀ ଜିଲ୍ଲା ସୁହାଗପୁର ପଂଚାୟତର ୧୬ ଏବଂ ୧୭ ନମ୍ବର ୱାର୍ଡରେ ହେବ ନିର୍ବାଚନ । ଆଉ ଏଥିରେ ବିଜୟୀ ହେବା ପାଇଁ ବିଜେଡି ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଏଭଳି ଉପାୟ ବାଛି ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ଭୋଟ୍ ପାଇଁ ପରିବାର ପିଛା ୨୦ କେଜି ଚାଉଳ ଦିଆଯାଉଥିଲା । ଆଉ ଘଟଣା ପ୍ରଘଟ ହେବା ପରେ ଡିଲର ଜଣକ ନିଜକୁ ବଂଚାଇବାକୁ ଯାଇ, ବାହାରୁ ଚାଉଳ ଆଣି ଷ୍ଟକ୍ ପୂରଣ କରୁଥିବା ବେଳେ ଧରିଥିଲେ ଗ୍ରାମବାସୀ । ଯାହାକୁ କାକଟପୁର ଥାନାରେ ଜିମା ଦିଆଯାଇଛି । କିନ୍ତୁ ସବୁ ଜାଣି ଅଜଣା ପାଲଟିଛି ଯୋଗାଣ ବିଭାଗ । ଷ୍ଟକ୍ ଠିକ୍ ଥିବା ଦର୍ଶାଇବା ସହ ଡିଲରଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି ଯୋଗାଣ ଅଧିକାରୀ । ଏପଟେ କିନ୍ତୁ ବିଡିଓ ଘଟଣାରେ ହସ୍ତକ୍ଷେପ କରିବା ସହ ତଦନ୍ତ କରାଯାଇ, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି-ଯଦି ଗୋଦାମରେ ମହଜୁଦ ଚାଉଳର ପରିମାଣ ଠିକ୍ ଅଛି, ଜବତ ହୋଇଥିବା ଚାଉଳ ଆସିଲା କେଉଁଠୁ ?ଡିଲର ଖୋଲାଖୋଲି ନିୟମ ଉଲଂଘନ କରୁଥିଲେ ସୁଦ୍ଧା ତାଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଆଗେଇ ଆସୁଛନ୍ତି ଯୋଗାଣ ଅଧିକାରୀ । ଭୋଟ୍ ହାତେଇବା ପାଇଁ କେମିତି ବେଆଇନ ଭାବରେ ଲୋକଙ୍କୁ ଦିଆଯାଉଛି ଚାଉଳ ?