ଗାଡି ନେଇଗଲା ଗୋଡ ! ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ଦୁର୍ଘଟଣାରେ ଗୋଡ ହରାଇଲେ କାର ମାଲିକ

57

କନକ ବ୍ୟୁରୋ : ଗତକାଲି ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାରେ ବିଏମଡବ୍ଳୁ ଦୁର୍ଘଟଣା ଘଟଣାରେ ଆହତ ଗାଡି ମାଲିକଙ୍କ ଡାହାଣ ଗୋଡ କଟାଯାଇଛି । ଦୁର୍ଘଟଣାରେ ଜଙ୍ଘ ତଳୁ ତଳିପାଦ ଯାଏଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତାଙ୍କର ଗୋଡ କାଟିବା ବାଧ୍ୟବାଧକତା ଥିଲା ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି । କିନ୍ତୁ ଦୁର୍ଘଟଣା ପରଠାରୁ ଏଯାଏଁ ତାଙ୍କର ଚେତା ଫେରିନାହିଁ । ଅନ୍ୟ ଜଣେ ଯୁବତୀ ଓ ପୁରୁଷ ବନ୍ଧୁଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି ।

3ଦୁର୍ଘଟଣା ପରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବିଏମଡବ୍ଲ୍ୟୁର ମାଲିକ କଳିଙ୍ଗ କେଶରୀ ସାମନ୍ତରାୟ । ଅଚେତ ଅବସ୍ଥାରେ ହସ୍ପିଟାଲ ବେଡରେ କଳିଙ୍ଗ । କିନ୍ତୁ ହୋସ ଆସିବା ପରେ ହୁଏତ ତାଙ୍କ ସହ ଘଟିଥିବା ଘଟଣାକୁ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ । କାରଣ ଦୁର୍ଘଟଣାରେ ଡାହାଣ ଗୋଡର ଜଙ୍ଘ ତଳଠାରୁ ତଳିପାଦ ଯାଏଁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ, ଡାକ୍ତର ଅପରେସନ କରି କାଟିବା ପାଇଁ ବାଧ୍ୟ ହୋଇଛନ୍ତି । ଏକ ଛୋଟିଆ ଭୁଲ୍ ସାଙ୍ଘାତିକ ପରିଣାମ ଆଣିଦେଲା । ବାପାଙ୍କ ବ୍ୟବସାୟ ପରିଚାଳନା କରୁଥିବା ମାତ୍ର ୨୫ ବର୍ଷର କଳିଙ୍ଗ ଦୁର୍ଘଟଣା ପରଠାରୁ ଅଚେତ ଅଛନ୍ତି ।

ତେବେ ଏସବୁ ଭିତରେ ଜନ୍ମଦିନ ପାଳିବାକୁ ପୁରୀରୁ କୋଣାର୍କ ଯିବା ପୁର୍ବରୁ ସେଲିବ୍ରେସନର ଦୃଶ୍ୟ ସାମନାକୁ ଆସିଛି । ବିଏମଡବ୍ଲ୍ୟୁରେ ବସିଥିବା ୪ ଜଣ ଯାକ ସାଙ୍ଗ ଜନ୍ମଦିନର କେକ୍ କାଟିବା ସହ ବେଶ ଖୁସି ଥିଲେ । ଏହାପରେ ବାହାରିପଡିଥିଲେ ପୁରୀ ଅଭିମୁଖେ । ଶୂନଶାନ ରାସ୍ତାରେ ଯାଉଥିବା ବେଳେ ପୁରୀ କୋଣାର୍କ ମେରାଇନଡ୍ରାଇଭ ରୋଡରେ ହଠାତ୍ ଆରମ୍ଭ ହୋଇଯାଇଥିଲା ଅଡି ଓ ବିଏମଡବ୍ଳୁ ମଧ୍ୟରେ ରେସ୍ । ଜନ୍ମଦିନର ଉତ୍ସାହ ଏକ ନୂଆ ଉନ୍ମାଦନା ଭରି ଦେଇଥିଲା । କିନ୍ତୁ ସେମାନେ ଜାଣି ନଥିଲେ ଏହା କେତେ ଘାତକ ହୋଇପାରେ ।

ବିଏମଡବ୍ଲ୍ୟୁ ଓ ଅଡି ରେସ ଚାଲିଥିବା ବେଳେ ହଠାତ ତାଙ୍କୁ ବାନ୍ଧି ନେଇଥିଲା ମୃତ୍ୟୁର ଫାଶ । ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାକଡର ଗଛରେ ପିଟି ହେଲା ବିଏମଡବ୍ଲ୍ୟୁ କାର । ଜନ୍ମଦିନରେ କଳିଙ୍ଗ ନିଜ ଆଖି ଆଗରେ ଦେଖିଲେ ମୃତ୍ୟୁର ତାଣ୍ଡବ ଲୀଳା । ସେଇଠି ହିଁ ଜଣେ ସାଙ୍ଗଙ୍କର ପ୍ରାଣବାୟୁ ଉଡିଯାଇଥିଲା ।ଦୁର୍ଘଟଣାରେ ଆହତ ଅନ୍ୟ ୨ ଜଣ ପୁରୁଷ ଓ ମହିଳା ବନ୍ଧୁଙ୍କର ଚିକିତ୍ସା ଚାଲିଛି । ସେମାନେ ଖୁବଶୀଘ୍ର ଠିକ୍ ହୋଇଯିବେ ବୋଲି ଆଶା କରାଯାଉଛି ।